ସିଲ୍‌ ହେଲା ଭୁବନେଶ୍ୱର ମାର୍କେଟ ବିଲ୍‌ଡିଂ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍-୨ ମାର୍କେଟ ବିଲ୍‌ଡିଂକୁ ବିଏମ୍‌ସି ଜୋନାଲ ଡେପୁଟି କମିସନର ସିଲ୍‌ କରିଛନ୍ତି।  କୋଭିଡ-୧୯ ଗାଇଡ୍‌ ଲାଇନ୍‌ ଅନୁସାରେ ଦୋକାନ ଓ ମଲ୍‌ ଖୋଲିବାକୁ ଅନୁମତି ଦିଆଯାଇଥିଲା। କିନ୍ତୁ ଆସନ୍ତା ରବିବାର ରଜ ପଡ଼ୁଥିବାରୁ ମଲ୍‌ ଓ ଦୋକାନରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତା  ନ ରହିବାରୁ ବିଏମସି ପକ୍ଷରୁ ମାର୍କେଟ ବିଲ୍‌ଡିଂକୁ ସିଲ୍ କରାଯାଇଛି। ଏହି ସିଲ୍ ୭ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଜଣାପଡ଼ିଛି। ହଜାର ହଜାର ଲୋକ ବିଭିନ୍ନ ଜିନିଷପତ୍ର କିଣିବା ଲାଗି ଭିଡ ଜମାଇବାରୁ ବାଧ୍ୟ ହୋଇ ବିଏମସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ସମସ୍ତଙ୍କର ସୁରକ୍ଷା ଳାଗି ଏହି ପଦକ୍ଷେପ ନିଆଗଲା ବୋଲି ବିଏମସି ପକ୍ଷରୁ ଟୁଇଟ୍ କରି କୁହାଯାଇଛି।

ଜିନିଷପତ୍ର କିଣାକିଣି ସମୟରେ ମାର୍କେଟ ବିଲଡିଂରେ ବହୁ ଲୋକ ମାସ୍କ ପିନ୍ଧି ନ ଥିବା ସହିତ ସାମାଜିକ ଦୂରତା ବି ରଖୁ ନ ଥିବା ଅଭିଯୋଗ ହୋଇଥିଲା। ଏହାପରେ ବିଏମସି ଓ ବିଡିଏର ମିଳିତ ଟିମ୍  ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ପ୍ରବଳ ଭିଡ଼ ଦେଖି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି  ମାର୍କେଟ ବିଲ୍‌ଡିଂକୁ ୭ଦିନ ପାଇଁ ବିଏମ୍‌ସି ସିଲ୍‌ କରିଛି । ତେବେ କେତେକ ଦୋକାନୀ ଏହି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେମାନେ କହିଛନ୍ତି, ବ୍ୟବସାୟ ବନ୍ଦ ହେତୁ ସେମାନେ ବହୁ କ୍ଷତି ସହିଛନ୍ତି। ରଜରେ କିଛି ବ୍ୟବସାୟ ହେବ ବୋଲି ସେମାନେ ଆଶା ରଖିଥିଲେ। ମାତ୍ର ପ୍ରଶାସନ ନିଜ ଦାୟିତ୍ବ ଏଡାଇବାକୁ ଏଭଳି କରିଛି। ଭିଡ ନିୟନ୍ତ୍ରଣ ଓ ସାମାଜିକ ଦୂରତା ରକ୍ଷା କରିବା ଦାୟିତ୍ବ ପୁଲିସ ଓ ପ୍ରଶାସନର। ମାତ୍ର ସେମାନେ ତାହା ନ କରି ଦୋକାନ ସିଲ୍ କରିଦେଲେ।

ଆଜି ଭଦ୍ରକ ସହରରେ ବି ଅନେକ ଦୋକାନ ଓ ମଲ୍‌ ସରକାରୀ ନିୟମକୁ ଉଲଂଘନ କରି ରଜ ବ୍ୟବସାୟ କରୁଥିବା ବେଳେ ୫ଟି ଏନଫୋର୍ସମେଣ୍ଟ ଟିମ୍‌ ଓ ପୁଲିସ ମିଳିତ ଭାବେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ଦୋକାନ ଓ ମଲ୍‌ ଭିତରୁ ଗ୍ରାହକଙ୍କୁ ବାହାର କରି ଦୋକାନଗୁଡିକୁ ପ୍ରଶାସନ ସିଲ୍‌ କରି ଦେଇଥିଲା। ଭଦ୍ରକ ମେଡିକାଲ ଛକରେ ଥିବା ଏମ ବଜାର, ବାଇପାସରେ ଥିବା ରିଲାଏନ୍‌ସ ସ୍ମାର୍ଟକୁ ପ୍ରଶାସନ ସିଲ୍‌ କରିବା ସହିତ କଚେରୀ ବଜାର ଓ ଅନ୍ୟ ବଜାର ଉପରେ ଚଢ଼ାଉ ଜାରି ରଖିଛି।

ସମ୍ବନ୍ଧିତ ଖବର