ଭୁବନେଶ୍ବର : ଆସନ୍ତା ଅକ୍ଟୋବର ସୁଦ୍ଧା ଦେଶର ୨ଟି ରୁଟରେ ସିପ୍ଲେନ ସେବା ଆରମ୍ଭ କରିବାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ବିଚାର କରୁଛି । କେଉଁ ଦୁଇଟି ରୁଟରେ ସିପ୍ଲେନ ଚଳାଚଳ ହେବ ତାହା ଚୂଡ଼ାନ୍ତ ହୋଇନଥିଲେ ବି ସମ୍ଭାବ୍ୟ ତାଲିକାରେ ଓଡ଼ିଶାର ଚିଲିକା-ଆନ୍ଧ୍ରପ୍ରଦେଶ ନେଟଓ୍ବାର୍କ, ଆଣ୍ଡାମାନ ଓ ନିକୋବର ଓ କେରଳ ରହିଛନ୍ତି ।
ଓଡ଼ିଶାର ଏୟାର କନେକ୍ଟିଭିଟି ବୃଦ୍ଧି ପାଇଁ ୨୨ଟି ଅଚଳ ଏୟାରଷ୍ଟ୍ରିପକୁ ପୁଣି କାର୍ଯ୍ୟକ୍ଷମ କରାଯିବ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରେ ଅନୁଷ୍ଠିତ ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସମ୍ମିଳନୀରେ ଯୋଗ ଦେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ପୂର୍ବରୁ ବି ଦେଶର ଗୋଟିଏ ରୁଟରେ ସିପ୍ଲେନ ଚାଲୁଥିଲା । କିନ୍ତୁ ଏବେ ସରକାର ସିପ୍ଲେନ ପାଇଁ ଥିବା ନିୟମାବଳୀକୁ ସରଳ କରିଛନ୍ତି । ଏହା ଫଳରେ ଆସନ୍ତା ଅକ୍ଟୋବର ସୁଦ୍ଧା ୨ଟି ରୁଟରେ ସିପ୍ଲେନ ସେବା ଆରମ୍ଭ ହେବା ଆଶା କରାଯାଉଛି । ଆଣ୍ଡାମାନ- ନିକୋବର, କେରଳ, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ଚିଲିକା ସମେତ ସମଗ୍ର ପୂର୍ବାଞ୍ଚଳ ରୁଟରେ ଏହି ସେବା ଆରମ୍ଭ ହୋଇପାରେ । ସେ କହିଛନ୍ତି ଯେ ସିପ୍ଲେନ ଚଳାଚଳ, ଓ୍ବାଟରଡୋମ, ପାଇଲଟଙ୍କ ପ୍ରଶିକ୍ଷଣ ଆଦି ନିୟମରେ ସଂଶୋଧନ କରଯାଇ ସରଳ କରାଯାଇଛି ।
ଓଡ଼ିଶାର ଏୟାର କନେକ୍ଟିଭିଟି ବୃଦ୍ଧି ପାଇଁ ୨୨ଟି ଅଚଳ ଏୟାରଷ୍ଟ୍ରିପକୁ ପୁଣି କାର୍ଯ୍ୟକ୍ଷମ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଏହି ସମାରୋହରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗ ଦେଇଥିଲେ ।