ରାଜନଗର, (ସୂର୍ଯ୍ୟନାରାୟଣ ଲେଙ୍କା): ଶଙ୍ଖ ମଲମଲ ପରି ଧଳା କୁମ୍ଭୀର ଗୋରୀ ୪୬ ବର୍ଷରେ ପାଦ ଥାପିଛି। ଆଜିଯାଏ ମା’ କିନ୍ତୁ ହୋଇପାରିନି। ଉପଯୁକ୍ତ ସାଥୀ ଅଭାବରୁ ଗୋରୀ ମା’ ନ ହେବା ଦୁଃଖରେ ମନମାରି ବସିଛି। ଗୋରୀ ୭ ଥର ଅଣ୍ତା ଦେଇଥିଲେ ବି ସେଥିରୁ ଛୁଆ ଫୁଟିପାରିନି। ଆବଦ୍ଧ ପୋଖରୀ ମଧ୍ୟରେ ନିଃସଙ୍ଗ ଜୀବନ ବିତାଉଥିବା ଗୋରୀ ପାଇଁ ସାଥୀ ଖୋଜିବା ପ୍ରକ୍ରିୟା ଆରମ୍ଭ ହୋଇଛି। ୧୯୯୨ ମସିହାରେ ଶେଷଥର ପାଇଁ ଗୋରୀ ପାଇଁ ଅଷ୍ଟ୍ରେଲିଆରୁ ସାଥୀ ଅଣାଯାଇଥିଲା। ମାତ୍ର ସେମାନଙ୍କୁ ସାଥୀ ଭାବେ ଗୋରୀ ଗ୍ରହଣ କରି ନ ଥିଲା। ଦୀର୍ଘ ୨୮ବର୍ଷ ପରେ ପୁଣି ଥରେ ଗୋରୀ ପାଇଁ ସାଥୀ ଖୋଜା ଆରମ୍ଭ ହୋଇଛି। ଭିତରକନିକା ବାହାରୁ କୌଣସି ଜାତୀୟ ଉଦ୍ୟାନ କିମ୍ବା ଚିଡ଼ିଆଖାନାରୁ ବଉଳା କୁମ୍ଭୀର ଆଣିବାକୁ ବନବିଭାଗ ପ୍ରକ୍ରିୟା ଆରମ୍ଭ କରିଛି।
୧୯୭୫ ମସିହାରେ ଭିତରକନିକା ଜାତୀୟ ଉଦ୍ୟାନର ଡାଙ୍ଗମାଳଠାରେ ୧୧୫ ବର୍ଗ କିମି ଅଂଚଳରେ ୫୦ଲକ୍ଷ ଟଙ୍କା ବ୍ୟୟରେ ଦେଶର ପ୍ରଥମ ବଉଳା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ର ଗଢ଼ିଉଠିଥିଲା। ସେହି ବର୍ଷ କାଳିଭଞ୍ଜଡିଆ ସଂରକ୍ଷିତ ଜଙ୍ଗଲରୁ ପ୍ରଥମଥର ପାଇଁ ୨୫ଟି ଅଣ୍ତା ସଂଗ୍ରହ କରାଯାଇ ଗବେଷଣା କେନ୍ଦ୍ରରେ କୃତ୍ରିମ ଉପାୟରେ ଫୁଟାଯାଇଥିଲା। ତାପମାତ୍ର କମ ହୋଇଯିବାରୁ ଏହି ଅଣ୍ତାଗୁଡ଼ିକ ମଧ୍ୟରୁ ଅଣ୍ତିରା ଶାବକ ଜନ୍ମ ନେଇଥିବାବେଳେ ଦୁଇଟି ମାଈ ଶାବକ ଜନ୍ମ ନେଇଥିଲେ। ସେଥିମଧ୍ୟରୁ ଗୋଟିଏ ଛୁଆ ସମସ୍ତଙ୍କ ଠାରୁ ଭିନ୍ନ ଓ ଧଳାରଙ୍ଗର ହୋଇ ସମସ୍ତଙ୍କ ଦୃଷ୍ଟି ଆକର୍ଷିତ କରିଥିଲା। ଶଙ୍ଖ ମଲମଲ ପରି ଚକ୍ଚକ୍ ଦେହକୁ ଦେଖି ଧଳା କୁମ୍ଭୀରର ନାଁ ‘ଗୋରୀ’ ରଖାଯାଇଥିଲା। ଆଜି ଯାଏ ଗୋରୀ ମାତୃତ୍ବ ଲାଭ କରିବାରୁ ବଂଚିତ ହୋଇଛି।
ଯୌବନ ପ୍ରାପ୍ତିର ୩୬ ବର୍ଷ ମଧ୍ୟରେ ଗୋରୀ ୭ଥର ‘ବା ଅଣ୍ତା ଦେଇଛି। ମାତ୍ର କୌଣସି ଥର ଅଣ୍ତାରୁ ଛୁଆ ବାହାରି ନାହିଁ। ଗୋରୀର ଲମ୍ବ ୯ ଫୁଟରୁ ସାମାନ୍ୟ ଅଧିକ। ଏଣୁ ଆକାର କିମ୍ବା ୯ରୁ ୧୦ ଫୁଟ ମଧ୍ୟରେ ଏକ ଅଣ୍ତିରା ବଉଳା କୁମ୍ଭୀର ଆଣି ଗୋରୀ ସହ ମିଳନ ପାଇଁ ଶେଷ ପ୍ରଚେଷ୍ଟା ଆରମ୍ଭ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଭିତରକନିକା ପରିବର୍ତ୍ତେ ଅନ୍ୟ କୌଣସି ଅଭୟାରଣ୍ୟ କିମ୍ବା ଜାତୀୟ ଉଦ୍ୟାନ ବା କୌଣସି ଚିଡ଼ିଆଖାନାରୁ ଅଣ୍ତିରା ବଉଳା କୁମ୍ଭୀର ଆଣି ଗୋରୀକୁ ତା ସାଥୀ ଯୋଗାଇ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଡିଏଫ୍ଓ ବିକାଶ ରଂଜନ ଦାସ କହିଛନ୍ତି।