ଭୁବନେଶ୍ବର: ସବୁ ରାଜନୈତିକ ଦଳରେ ବିଭୀଷଣ ଅଛନ୍ତି। କଂଗ୍ରେସ ଦଳରେ ମଧ୍ୟ ଅଛନ୍ତି। ଯେଉଁମାନେ ଦଳରେ ରହି ଆତ୍ମଘାତୀ କାର୍ଯ୍ୟ କରି ନୂଆପଡ଼ା ଉପନିର୍ବାଚନକୁ ପ୍ରଭାବିତ କରିଛନ୍ତି, ଯେତେ ପ୍ରଭାବଶାଳୀ ହେଲେ ବି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ।
କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ କହିଲେ, ନୂଆପଡ଼ାରେ ଅର୍ଥବଳ ଓ ଭୋଟ୍ ଚୋରି ସତ୍ତ୍ବେ ୪୦ ହଜାରରୁ ଅଧିକ ଲୋକ କଂଗ୍ରେସକୁ ଭୋଟ୍ ଦେଇଛନ୍ତି। ନୂଆପଡ଼ାରେ ତୃତୀୟ ସ୍ଥାନକୁ ଠେଲିଦେଇ ବିଜେଡିର ଅସ୍ତିତ୍ବ ଉପରେ ଜନତା ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ଏଣିକି କଂଗ୍ରେସ ହିଁ ବିଜେପିର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଭାବେ ଉଭା ହୋଇଛି। ଓଡ଼ିଶା ଓ ଛତିଶଗଡ଼ର ଦୁଇ ମୁଖ୍ୟମନ୍ତ୍ରୀ ନୂଆପଡ଼ାରେ ଆସି ଅଧିଆ ପଡ଼ିଲେ। ଏବେ ଟ୍ରିପଲ୍ ଇଂଜିନ୍ ସରକାର। ଉଭୟ ମୁଖ୍ୟମନ୍ତ୍ରୀ ମହାନଦୀ ବିବାଦର ସମାଧାନ ପାଇଁ ବରଂ ଏକାଠି ବସନ୍ତୁ। କଂଗ୍ରେସ ଭୋଟ୍ ଚୋରି କଥା ଉଠେଇଲା, ସେମାନେ ଭୋଟ୍ ଲୁଟ୍ କରିକି ଦେଖେଇଦେଲେ। ୪୧ଟି ବୁଥ୍ରେ ୯୦%ରୁ ଅଧିକ ଭୋଟ୍ ପଡ଼ିଛି। ବିଶ୍ବରେ କେଉଁ ଦେଶରେ ଏଭଳି ଉଦାହରଣ ଅଛି କି ? ନିର୍ବାଚନ ସମୟରେ ଦକ୍ଷିଣାଞ୍ଚଳ ଆଇଜିଙ୍କୁ ଅବ୍ୟାହତି ଦେଇ ସରକାରୀ ଦଳର ଚାଟୁକାର ଭାବେ ଜଣାଶୁଣା ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲଙ୍କୁ ଦାୟିତ୍ୱ ଦିଆଗଲା। କରିତକର୍ମା ପୁଲିସ ଅଧିକାରୀ ହିଁ ସିଧାସଳଖ ନିର୍ବାଚନ ପରିଚାଳନା ଦାୟିତ୍ୱରେ ରହିଲେ। ହିମାଂଶୁ ଲାଲଙ୍କୁ ବିଜୟୀ ପ୍ରାର୍ଥୀ ମୁଣ୍ଡିଆ ମାରିବା ସୂଚାଇ ଦେଉଛି ପୁଲିସ ବଳ ଦ୍ୱାରା ନିର୍ବାଚନ ଜିତାଯାଇଛି। ବିଜେଡି ସରକାରରେ ଜନପ୍ରତିନିଧିମାନେ ଅମଲାତନ୍ତ୍ରୀଙ୍କ ଆଗରେ ମୁଣ୍ଡ ନୁଆଁଉଥିଲେ। ବିଜେପି ଦଳ ବି କିଛି କମ୍ ନୁହେଁ।
ସେ ଆହୁରି ମଧ୍ୟ କହିଲେ, ପ୍ରଚାରର ପ୍ରାରମ୍ଭିକ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସଭାରେ ଲୋକ ନ ହେବା, ଏପରିକି ଗାଁ ଗଣ୍ଡାରେ ବୁଲୁଥିବା ପ୍ରଚାର ଗାଡ଼ିକୁ ସମର୍ଥନ ନ ମିଳିବା ଦେଖି ବିଜେପି ଭୋଟ ଲୁଟ୍ ଯୋଜନା ଆରମ୍ଭ କଲା। ନୂଆପଡ଼ାବାସୀ ଆଜି କଂଗ୍ରେସକୁ ବିଜେପିର ଏକମାତ୍ର ବିକଳ୍ପ ରୂପେ ମୋହର ମାରିଛନ୍ତି। ଦେଶର ନିର୍ବାଚନୀ ଇତିହାସରେ କେବେ ଘଟି ନଥିବା ଘଟଣା ନୂଆପଡ଼ାରେ ଘଟିଲା। ଏସବୁର ଉତ୍ତର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିଶ୍ଚୟ ଦେବାକୁ ପଡ଼ିବ। ଆବଶ୍ୟକ ପଡ଼ିଲେ କଂଗ୍ରେସ ଦଳ ଏହାର ବିରୋଧରେ ଆଇନର ଆଶ୍ରୟ ମଧ୍ୟ ନେବ। ପିସିସି ଗଣମାଧ୍ୟମ ଅଧ୍ୟକ୍ଷ ଅରବିନ୍ଦ ଦାସ କହିଲେ, ଅନ୍ୟ ରାଜନୈତିକ ଦଳଙ୍କ ଭଳି ଅର୍ଥ ବଳ ଓ କ୍ଷମତାବଳ କଂଗ୍ରେସ ପାଖରେ ନଥିଲା। ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/18/untitled-16-2025-11-18-07-17-41.jpg)