ସ୍କୁଲ ବାହାରେ କେତେ କିଶୋରୀ? ଖୋଜିବେ ରାଜ୍ୟ ସରକାରଙ୍କ ଦୁଇ ବିଭାଗ

ରିପୋର୍ଟ ଦାଖଲ କରିବାକୁ ୩୦ ଜିଲ୍ଲାପାଳଙ୍କୁ ନିର୍ଦେଶ, ସିଡିପିଓ ଓ ଡିପିସିଙ୍କ ଦସ୍ତଖତ ବାଧ୍ୟତାମୂଳକ

ଭୁବନେଶ୍ୱର: ସ୍କୁଲ ଯାଉ ନଥିବା କିଶୋରୀଙ୍କୁ ଖୋଜିବ ରାଜ୍ୟ ସରକାରଙ୍କ ଦୁଇ ବିଭାଗ। ୧୧ରୁ ୧୪ ବର୍ଷ ବୟସ ମଧ୍ୟରେ ରାଜ୍ୟର କେତେଜଣ କିଶୋରୀ ବିଦ୍ୟାଳୟ ଯାଉନାହାନ୍ତି ସେ ସଂପର୍କରେ ତଥ୍ୟ ବାହାର କରାଯିବ। ମହିଳା ଓ ଶିଶୁ ବିକାଶ ବିଭାଗ ତଥ୍ୟ କହୁଛି ୫୮ ହଜାର ୮୬୮ ଜଣ କିଶୋରୀ ବିଦ୍ୟାଳୟ ମାଟି ମାଡ଼ୁନାହାନ୍ତି। ଯେତେବେଳେ କି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତଥ୍ୟ କହୁଛି ମାତ୍ର ୧୦୬୧ ଜଣ କିଶୋରୀ ପାଠ ପଢ଼ୁନାହାନ୍ତି। ରାଜ୍ୟ ସରକାରଙ୍କ ଦୁଇଟି ବିଭାଗ ତଥ୍ୟ ମଧ୍ୟରେ ଆକାଶ ପାତାଳ ତଫାତ୍‌। କେଉଁ ବିଭାଗ ସତ କହୁଛି ତାହାତୁ ନେଇ ଦୁଇ ବିଭାଗ ମୁହାଁମୁହିଁ ହୋଇଛନ୍ତି। ପରସ୍ପରକୁ ଦୋଷ ଦେବା ସହ ଗୋଟିଏ ବିଭାଗ ଅନ୍ୟ ଗୋଟିଏ ବିଭାଗ ତଥ୍ୟକୁ ଭୁଲ୍‌ ବୋଲି କହୁଛି। ମାସେ ହେଲା ଉଭୟ ବିଭାଗ ମଧ୍ୟରେ ଟଣାଓଟରା ଚାଲିଥିବା ବେଳେ ଏବେ ପ୍ରକୃତ ତଥ୍ୟ ଲୋକଲୋଚନକୁ ଆଣିବାକୁ ଉଭୟ ବିଭାଗ ମିଳିତ ଭାବେ ଉଦ୍ୟମ ଆରମ୍ଭ କରିଛନ୍ତି। ବିଦ୍ୟାଳୟ ବାହାରେ କେତେ କିଶୋରୀ ରହିଛନ୍ତି ସେମାନଙ୍କ ସର୍ଭେ କରି ତଥ୍ୟ ଦେବାକୁ ଉଭୟ ବିଭାଗର ସଚିବ ସମସ୍ତ ଜିଲ୍ଲାପାଳଙ୍କୁ କହିଛନ୍ତି। ଉଭୟ ବିଭାଗର ଅଧିକାରୀମାନେ ମିଳିତ ଭାବେ ସର୍ଭେ କରିବେ। ଏଥିରେ ସିପିଡିଓ ଓ ବ୍ଲକ ଶିକ୍ଷା ଅଧିକାରୀ ସାମିଲ ହେବେ। କିଶୋରୀମାନଙ୍କ ଆଧାର ନମ୍ବର ସହ ସେମାନଙ୍କ ନାମ, ଅଭିଭାବକଙ୍କ ନାମ, ମାତାଙ୍କ ନାମ, କେଉଁ ବର୍ଗର, ଜନ୍ମ ତାରିଖ, ୨୦୧୮ ଜାନୁଆରି ପହିଲା ସୁଦ୍ଧା କେତେ ବୟସ, ଶିକ୍ଷାଗତ ଯୋଗ୍ୟତା, ସ୍କୁଲ ଯାଇଛନ୍ତି କି ନାହିଁ, ଯଦି ସ୍କୁଲ ଯାଇଥିବେ ତେବେ ଅଧାରୁ କାହିଁକି ପାଠ ଛାଡ଼ିଲେ ତାହା ଉପରେ ସର୍ଭେ କରିବାକୁ କୁହାଯାଇଛି। ଯେତେଶୀଘ୍ର ସମ୍ଭବ ଯାଞ୍ଚ ପ୍ରକ୍ରିୟା ଶେଷ କରି ତଥ୍ୟ ପ୍ରଦାନ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି।

ମହିଳା ଓ ଶିଶୁ ବିଭାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଚଳିତବର୍ଷ ରାଜ୍ୟର ୩୦ଟି ଯାକ ଜିଲ୍ଲାରେ ସ୍କିମ୍‌ ଫର୍‌ ଆଡୋଲ୍‌ସେଣ୍ଟ ଗାର୍ଲ(ଏସ୍‌ଏଜି) କାର୍ଯ୍ୟକାରୀ ହେବାକୁ ଯାଉଛି। ଏଥିରେ ୧୧ରୁ ୧୪ ବର୍ଷ ବୟସର କେତେ କିଶୋରୀ ବିଦ୍ୟାଳୟ ବାହାରେ ରହିଛନ୍ତି ତାହା ଉପରେ ଗତ ଏପ୍ରିଲ ମାସ ଭିତରେ ସର୍ଭେ କରାଯାଇଥିଲା। ଏଥିରେ ଦେଖିବାକୁ ମିଳିଥିଲା ଯେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ କର୍ତୃପକ୍ଷ(ଓପେପା) ପକ୍ଷରୁ କରାଯାଇଥିବା ସର୍ଭେର ତଥ୍ୟ ସହ ଏହି ସର୍ଭେର ତଥ୍ୟ ମଧ୍ୟରେ ବହୁତ ତଫାତ୍‌ ରହିଛି। ଉଭୟ ତଥ୍ୟ ମଧ୍ୟରେ ୫୭ ହଜାର ୮୦୭ କିଶୋରୀ ତଫାତ୍‌ ରହିଥିବା ନେଇ ତଥ୍ୟ ସାମ୍ନାକୁ ଆସିଛି। ଏହାକୁ ଦୃଷ୍ଟିରେ ରଖି ପୁନଃଯାଞ୍ଚ କରି ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ଏହି ରିପୋର୍ଟରେ ଜିଲ୍ଲାର ଡିଏସ୍‌ଡବ୍ଲୁଓ(ଡିଷ୍ଟ୍ରିକ୍ଟ ସୋସିଆଲ୍‌ େଓ୍ଵଲଫେୟାର ଅଫିସର) ଏବଂ ଡିପିସି(ଜିଲ୍ଲା ପ୍ରକଳ୍ପ ସଂଯୋଜକ)ଙ୍କ ଦସ୍ତଖତ ରହିବା ନିତ୍ୟାନ୍ତ ଜରୁରି ବୋଲି ବିଭାଗୀୟ ସଚିବ ଅନୁ ଗର୍ଗ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଚିଠିରେ ଉଲ୍ଲେଖ କରିଛନ୍ତି। ଅନ୍ୟପକ୍ଷରେ ଓପେପା ପ୍ରକଳ୍ପ ନିର୍ଦେଶକ ଭୁପେନ୍ଦର ସିଂ ପୁନିଆ ମଧ୍ୟ ଡିପିସିମାନଙ୍କୁ ଚିଠି ଲେଖି ୧୧ରୁ ୧୪ ବର୍ଷ ବୟସ ମଧ୍ୟରେ ସ୍କୁଲ ଯାଉ ନ ଥିବା କିଶୋରୀଙ୍କ ସଂଖ୍ୟା ଭଲ ଭାବେ ଯାଞ୍ଚ କରିବାକୁ କହିଛନ୍ତି। ଡିଏସ୍‌ଡବ୍ଲୁଓ ଓ ଜିଲ୍ଲାପାଳଙ୍କ ଦସ୍ତଖତ ଚୂଡ଼ାନ୍ତ ରିପୋର୍ଟରେ ରହିବା ଆବଶ୍ୟକ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର