ନବରଙ୍ଗପୁର କୋଭିଡ୍ ହସ୍ପିଟାଲରୁ ସଂକ୍ରମିତ ଚମ୍ପଟ, ପୁଲିସ ନାକେଦମ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବା ବେଳେ କୋଭିଡ୍ ହସପଟାଲରୁ ଜଣେ ସଂକ୍ରମିତ ଚମ୍ପଟ ମାରିଛନ୍ତି। ଫେରାର ସଂକ୍ରମିତ ଏବେ ପୁଲିସ ଓ ପ୍ରଶାସନର ନିଦ ହଜାଇ ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଗତ ୩ତାରିଖ ଦିନ ଉମରକୋଟ ବ୍ଲକ୍‌ର ବେନରା ଅଞ୍ଚଳର ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହୋଇ ନବରଙ୍ଗପୁର କୋଭିଡ୍‌ ହସପିଟାଲରେ ଭର୍ତ୍ତି ହୋଇଥିଲେ। ଗତକାଲି ସକାଳୁ ସେ କାନ୍ଥ ଡେଇଁ ଚମ୍ପଟ ମାରିଥିବା କୁହାଯାଉଛି। ଏ ନେଇ କୋଭିଡ ହସପିଟାଲର ପରିଚାଳକ ଡା. ସନ୍ତୋଷ କୁମାର ନାଗ ନବରଙ୍ଗପୁର ଥାନାରେ ଏତଲା ଦେବା ପରେ ପୁଲିସ ତନାଘନା ଆରମ୍ଭ କରିଛି। କୋଭିଡ୍‌ ହସପିଟାଲ ଫାଟକରେ ସବୁବେଳେ ତାଲା ପଡୁଥିବା ବେଳେ ଫାଟକ ନିକଟରେ ପୁଲିସ ମଧ୍ୟ ମୁତୟନ ହୋଇଛନ୍ତି। ଏତଲା ପାଇବା ପରେ ପୁଲିସ ତତ୍ପର ହୋଇ ଗତକାଲି ଉମରକୋଟ ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ମଧ୍ୟ ଫେରାର ସଂକ୍ରମିତଙ୍କ କୌଣସି ସନ୍ଧାନ ମିଳିନଥିଲା।

ଆଜି ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦଙ୍କ ନେତୃତ୍ବରେ ନବରଙ୍ଗପୁର ଥାନାର ୨ଟି ଟିମ୍ ଡାବୁଗାଁ ଥାନାର ଗୋଟିଏ ଟିମ୍ ଓ ଉମରକୋଟ ଥାନାର ଗୋଟିଏ ଟିମ୍ ଏପରି ଭାବେ ୪ଟି ଟିମ୍ ଖୋଜାଖୋଜି ଜାରି ରଖିଛନ୍ତି। ସଂଧ୍ୟା ସୁଦ୍ଧା ଫେରାର ସଂକ୍ରମିତଙ୍କ ସନ୍ଧାନ ମିଳି ନ ଥିବା ଜଣାପଡ଼ିଛି। ସଂକ୍ରମିତ ବ୍ୟକ୍ତି ଜଣକ ଫେରାର ହୋଇ କେଉଁଠି ଆଶ୍ରୟ ନେଇଛନ୍ତି ତାହା ପ୍ରଶାସନ ପାଇଁ ଅଡୁଆ ବଢ଼ାଇ ଦେଇଛି। ଗତକାଲି ନବରଙ୍ଗପୁର ଜିଲ୍ଲା ସଟ୍‌ଡାଉନ୍‌ ଥିବାରୁ ଗାଡ଼ି ମୋଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା।ଏପରିକି ସକାଳ ୯ଟାରୁ ଜିଲ୍ଲାରେ ପ୍ରବଳ ବର୍ଷା ଲାଗିରହିଥିଲା। ଏଭଳି ପରିସ୍ଥିତିରେ ସଂକ୍ରମିତ ବ୍ୟକ୍ତି ଫେରାର ହେବା ଘଟଣାକୁ ନେଇ ସାଧାରଣରେ ଭୟର ବାତାବରଣ। ଆଜି ସକାଳୁ ଫେରାର ବ୍ୟକ୍ତିଙ୍କ ସଂକ୍ରାନ୍ତରେ ଏକ ଚିଠି ଭାଇରାଲ୍‌ ହେବା ପରେ ଘଟଣା ଲୋକଲୋଚନକୁ ଆସିଥିଲା।

ସମ୍ବନ୍ଧିତ ଖବର

Comments are closed.