ବନ୍ଦ ସମ୍ପର୍କରେ ମତ ଦେଇ ଅକଳରେ ରାଜା

ଭୁବନେଶ୍ବର: କଂଗ୍ରେସ ସହଯୋଗରେ ଟ୍ରେଡ୍ ୟୁନିୟନଗୁଡ଼ିକ ପକ୍ଷରୁ ଆସନ୍ତାକାଲି ଦିଆଯାଇଥିବା ୨୪ଘଣ୍ଟିଆ ଭାରତ ବନ୍ଦ ଡାକରାକୁ ନେଇ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଆଜି ଅକଳରେ ପଡିଛନ୍ତି। ସେ ପ୍ରଥମେ ଆସନ୍ତାକାଲିର ବନ୍ଦକୁ ସମର୍ଥନ କରି କେନ୍ଦ୍ରର ମୋଦୀ ସରକାରକୁ କଡ଼ା ସମାଲୋଚନା କରିଥିଲେ। ହେଲେ କିଛି ସମୟ ପରେ କଣ ହେଲା କେଜାଣି, ଟ୍ବିଟ୍ କରି ତାଙ୍କ ମନ୍ତବ୍ୟକୁ ବଦଳାଇ ଦେଇଥିଲେ। ଆଜି ପୂର୍ବାହ୍ନରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ, ସବକା ସାଥ୍ ସବକା ବିକାଶ କଥା କହୁଥିବା ଦଳ ଏବେ ସବକା ବିନାଶ କରୁଛି। ଦରଦାମ ବୃଦ୍ଧି, ବେକାରୀ ରୋକିବାରେ କେନ୍ଦ୍ର ବିଫଳ। ଲୋକଙ୍କ ପାଖରେ କାମ ନାହିଁ। ତେଣୁ ସେ ଏହି ବନ୍ଦକୁ ସମର୍ଥନ କରୁଛନ୍ତି ବୋଲି କହିଥିଲେ।

ଏହା ଉପରେ ରାଜ୍ୟ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ତୁରନ୍ତ ପ୍ରତିକ୍ରିୟା ରଖିଥିଲେ। କହିଥିଲେ, ବନ୍ଦକୁ ସମର୍ଥନ କରି ବିଜେଡି ଏଭଳି ଐତିହାସିକ ଭୁଲ୍ ନକରୁ। କଂଗ୍ରେସ ଓ ବାମପନ୍ଥୀ ଦଳଗୁଡ଼ିକ ଆନ୍ଦୋଳନ ନାଁରେ ହିଂସାକାଣ୍ଡ ଘଟାନ୍ତି। ସେମାନେ ନିଜର ଅସ୍ତିତ୍ୱ ବଞ୍ଚାଇବା ପାଇଁ ଉଦ୍ୟମ କରୁଛନ୍ତି। ବିଜେଡି ସମର୍ଥନ କରିବା ଡବଲ ଷ୍ଟାଣ୍ଡାର୍ଡ କଥା ଭଳି ହେବ।ମନ୍ତ୍ରୀ ଶ୍ରୀ ସ୍ୱାଇଁ ଟ୍ୱିଟ୍ କରି କହିଥିଲେ, କିଛି ସମୟ ପୂର୍ବରୁ ସେ ଗଣମାଧ୍ୟମକୁ ଦେଇଥିବା ବୟାନ ହିନ୍ଦୁ ମଜଦୁର ସଭାର କାର୍ଯ୍ୟକାରୀ ସଭାପତି ଭାବେ ଦେଇଥିଲେ। ଶ୍ରମିକ ଓ ଖଟିଖିଆଙ୍କ ସ୍ୱାର୍ଥ ପାଇଁ କାମ କରିବା ତାଙ୍କର ନୈତିକ ଦାୟିତ୍ୱ। ତେବେ ତାଙ୍କର ଏହି ନିଷ୍ପତ୍ତି ସହ ବିଜେଡିର କୌଣସି ଦେଣନେଣ ନାହିଁ। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ଦ ସଂକ୍ରାନ୍ତରେ ଯେଉଁ ନିଷ୍ପତ୍ତି ନେବେ ତାକୁ ସେ ଗ୍ରହଣ ଓ ସମ୍ମାନ ଜଣାଇବେ। ପୁଲିସ କମିସନରଙ୍କ ବକ୍ତବ୍ୟ ଘଟଣାରେ ବି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ନିଜସ୍ବ ମତ ବୋଲି କହି ସମାଲୋଚନା କରିଥିଲେ। ଉଲ୍ଲେଖଯୋଗ୍ୟ, ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବାରିପଦା ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ସେ ସ୍ପଷ୍ଟ ଭାବେ ସୂଚାଇ ଦେବାକୁ ଚାହିଁଛନ୍ତି େଯ ତାଙ୍କର ବନ୍ଦକୁ ସମର୍ଥନ ଦେବାର ପ୍ରଶ୍ନ ଉଠୁନାହିଁ।

ସମ୍ବନ୍ଧିତ ଖବର