ଗଦାଧର ପଣ୍ଡା
ଯାଜପୁର: ରେଭେନ୍‌ସା ବିଶ୍ବବିଦ୍ୟାଳୟର ନାମ ପରିବର୍ତ୍ତନକୁ ନେଇ ଏବେ ବିତର୍କ ଚାଲିଛି। ଏହାକୁ ନେଇ ଭିନ୍ନ ମତ ବି ସାମ୍ନାକୁ ଆସୁଛି। ତେବେ ଏହି ବିତର୍କ ଭିତରେ ଓଡ଼ିଶାର ଏକ ସୁଦୀର୍ଘ ଇତିହାସକୁ ଢାଙ୍କି ଦେବାକୁ ଚକ୍ରାନ୍ତ କରାଯାଉଛି। ଓଡ଼ିଆ ଅସ୍ମିତା ଓ ଐତିହ୍ୟର ଅନ୍ୟତମ ପରିଚୟ ତଥା ପ୍ରାଚୀନ ଭାରତର ଉଚ୍ଚଶିକ୍ଷାର ପ୍ରାଣକେନ୍ଦ୍ର ପୁଷ୍ପଗିରି ବିଶ୍ବବିଦ୍ୟାଳୟ ଏବେ ତା’ର ପରିଚୟ ଖୋଜୁଛି। ଯାଜପୁର ଜିଲ୍ଲାର ଧର୍ମଶାଳା ଲାଙ୍ଗୁଡ଼ି ପର୍ବତରେ ସନ୍ଧାନ ହୋଇଥିବା ଇତିହାସ ବର୍ଣ୍ଣିତ ପୁଷ୍ପଗିରି ବିଶ୍ବବିଦ୍ୟାଳୟର ପୁନରୁଦ୍ଧାରକୁ ନେଇ କୌଣସି ଉଦ୍ୟମ କରାଯାଉନାହିଁ। ସମସ୍ତ ଐତିହାସିକ ତଥ୍ୟ ପ୍ରମାଣ, ଗବେଷକଙ୍କ ସନ୍ଦର୍ଭ ଆଧାରରେ ଖନନରୁ ମିଳିଥିବା କୀର୍ତ୍ତିରାଜିରୁ ଏହି ବିଶ୍ବବିଦ୍ୟାଳୟ ସମ୍ପର୍କରେ ସ୍ପଷ୍ଟ ହୋଇଛି। ବହୁବର୍ଷ ବିତିଯାଇଥିଲେ ବି ପୁଷ୍ପଗିରିକୁ ନୂଆ ରୂପ ଦିଆଯାଉନାହିଁ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୌଣସି ପଦକ୍ଷେପ ହାତକୁ ନେଉନାହାନ୍ତି। ଏହି ବିଶ୍ବବିଦ୍ୟାଳୟ ନାମରେ ମଧ୍ୟ ଅନ୍ୟ କୌଣସି ବିଶ୍ବବିଦ୍ୟାଳୟକୁ ନାମିତ କରାଯାଉନାହିଁ। ଅନ୍ୟପକ୍ଷରେ ବିହାର ସରକାର ଓ କେନ୍ଦ୍ର ସରକାରଙ୍କ ଉଦ୍ୟମରେ ବିହାରର ନାଳନ୍ଦା ବିଶ୍ବବିଦ୍ୟାଳୟକୁ ଜୀବନ୍ୟାସ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ନାଳନ୍ଦା ବିଶ୍ବବିଦ୍ୟାଳୟକୁ ଉତ୍ସର୍ଗ କରିଛନ୍ତି। ମାତ୍ର ପୁଷ୍ପଗିରି ଏବେ ଲୁଚି ଯିବାକୁ ବସିଛି।

Advertisment

ନାମ ପରିବର୍ତ୍ତନ ପାଇଁ ବିତର୍କ, ଲୁଚି ଯାଉଛି ଇତିହାସ
ସମସ୍ତ ତଥ୍ୟ ପ୍ରମାଣ ଥାଇ ବି ହେଉନି ପୁନରୁଦ୍ଧାର

ଯାଜପୁର ହୀରକ ତ୍ରିଭୁଜରେ ଥିଲା ପ୍ରାଚୀନ ଭାରତର ପ୍ରମୁଖ ବିଶ୍ବବିଦ୍ୟାଳୟ

ଜନୈକ ଚୀନ୍‌ ପରିବ୍ରାଜକଙ୍କ ଭାରତ ଭ୍ରମଣବେଳେ ପ୍ରାଚୀନ ଭାରତର ଏହି ପୁଷ୍ପଗିରି ବିଶ୍ବବିଦ୍ୟାଳୟ କଥା ଉଲ୍ଲେଖ କରିଥିଲେ। ପୁଷ୍ପ ସବାର ଗିରିୟ କିମ୍ବା ପୁ-ସେ-ପୋ-କିଲି ବର୍ତ୍ତମାନର ପୁଷ୍ପଗିରି ସେତେବେଳର ଓଟ୍‌ ବା ଓଡ୍ର ବର୍ତ୍ତମାନର ଓଡ଼ିଶାରେ ଥିବା କଥା ଉଲ୍ଲେଖ କରିଥିଲେ। ତଥ୍ୟ ଆଧାରରେ ଖନନ ପରେ ଯାଜପୁର ଜିଲ୍ଲା ଧର୍ମଶାଳାର ବୌଦ୍ଧ ବିହାର ଲାଙ୍ଗୁଡ଼ିରେ ଏହି ପୁଷ୍ପଗିରି ବିଶ୍ବବିଦ୍ୟାଳୟର ସନ୍ଧାନ କରାଯାଇଥିଲା। ଭାରତରେ ଉଦ୍ଧାର ହୋଇଥିବା ପ୍ରାଚୀନ ବୌଦ୍ଧ କୀର୍ତ୍ତିରାଜି ମଧ୍ୟରୁ ଯାଜପୁର ଜିଲ୍ଲାର ଲଳିତଗିରି, ଉଦୟଗରି ଓ ରତ୍ନଗିରି ପାହାଡ଼ରେ ବୌଦ୍ଧ କୀର୍ତ୍ତିରାଜିର ଆବିଷ୍କାର ହୋଇଥିଲା। ପ୍ରାଚୀନ ସ୍ତୁପ ଓ ଅନ୍ୟ ନିର୍ମାଣକୁ ନେଇ ଏଠାରେ ଏକ ପ୍ରାଚୀନ ଶିକ୍ଷାକେନ୍ଦ୍ର ଥିବା ସ୍ପଷ୍ଟ ହୋଇଥିଲା। ଲଳିତଗିରି, ରତ୍ନଗିରି ଓ ଉଦୟଗିରି ପରିସର ମଧ୍ୟରେ ଥିବା ଏହି ବିଶ୍ବବିଦ୍ୟାଳୟକୁ ଗିରି ସମୂହ ବା ପୁଷ୍ପଗିରି ବୋଲି କୁହାଯାଉଥିଲା।

 ଏବେ ଏହା ପୁଷ୍ପଗିରି ମହାବିହାର ବା ହୀରକ ତ୍ରିଭୁଜ ନାମରେ ପ୍ରସିଦ୍ଧି ଅର୍ଜନ କରିବା ସହିତ ଦେଶବିଦେଶର ଗବେଷକଙ୍କ ଦୃଷ୍ଟି ଆକର୍ଷଣ କରିଛି ବୋଲି ଗବେଷକମାନେ କହିଛନ୍ତି। ଖ୍ରୀଷ୍ଟପୂର୍ବ ଦ୍ବିତୀୟ ଶବ୍ଦାଦୀରୁ ୧୧ଶ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ପ୍ରାଚୀନ ଭାରତର ଉଚ୍ଚଶିକ୍ଷାର ଏହାଏକ ପ୍ରମୁଖ ପ୍ରାଣକେନ୍ଦ୍ର ଥିଲା। ଏହି ବିଶ୍ବପ୍ରସିଦ୍ଧ କୀର୍ତ୍ତିରାଜିକୁ ଏବେ ଚରମ ଅବହେଳା କରାଯାଉଛି। ଏହି ପ୍ରାଚୀନ ବିଶ୍ବବିଦ୍ୟାଳୟ ସମ୍ପର୍କରେ କିଭଳି ଅଧିକ ତଥ୍ୟ ମିଳିବ; ଏହି ନାମରେ ଆଉ ଏକ ବିଶ୍ବବିଦ୍ୟାଳୟ କିଭଳି ପ୍ରତିଷ୍ଠା କରାଯାଇପାରିବ ସେ ନେଇ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଉଦ୍ୟମ କରାଯାଉନାହିଁ। ପ୍ରାଚୀନ ଭାରତରେ ଓଦନ୍ତପୁରୀ, ନାଳନ୍ଦା, ବଲ୍ଲଭି, ତକ୍ଷଶିଳା, ବିକ୍ରମଶିଳା ବିଶ୍ବବିଦ୍ୟାଳୟ ଭଳି ପୁଷ୍ପଗିରି ଏକ ପ୍ରମୁଖ ଶିକ୍ଷାକେନ୍ଦ୍ର ଥିଲା। ଏନେଇ ଗବେଷକ ଡ. ହରିଶ୍ଚନ୍ଦ୍ର ପୃଷ୍ଟିଙ୍କ କହିବା କଥା ଏହାର ପୁନରୁଦ୍ଧାର ପାଇଁ ବହୁ ଉଦ୍ୟମ କରାଯାଇଛି। ହେଲେ ସରକାରଙ୍କ ଆନ୍ତରିକତା ଅଭାବରୁ ପୁଷ୍ପଗିରି ବିଶ୍ବବିଦ୍ୟାଳୟର ପୁନରୁଦ୍ଧାର ହୋଇପାରୁନାହିଁ।