ନିଖୋଜ ଶ୍ବଶୁରଙ୍କୁ ଭକ୍ତଙ୍କ ଭିଡ଼ରେ ଖୋଜା, ଖୋଜିବାକୁ ଝାଡ଼ଖଣ୍ଡରୁ ପୁରୀ

ପୁରୀ : ୟା’ଙ୍କୁ କୋଉଠି ଦେଖିଛନ୍ତି କି? ପ୍ଲିଜ୍‌, ଏ ବ୍ୟକ୍ତିଙ୍କ ଖବର ଦେଇପାରିବେ କି? ସୂଚନା ଦେଲେ ୧୦ ହଜାର ଟଙ୍କା ପୁରସ୍କାର ଦେବୁ। କଟକଣା ଟିକେ କୋହଳ ହେବା ପରେ ଆଜି ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଭକ୍ତମାନେ ଲମ୍ବା ଲାଇନ୍‌ ଲଗେଇଥିବା ବେଳେ ଜଣେ ବ୍ୟକ୍ତି ନିଜ ଶ୍ବଶୁରଙ୍କ ଫଟୋ ଧରି ବଡ଼ଦାଣ୍ଡରେ ଏ ମୁଣ୍ଡରୁ ସେ ମୁଣ୍ଡ ଘୂରି ବୁଲୁଥିଲେ। ଆକୁଳ ନିବେଦନ ହୋଇ ଶ୍ବଶୁରଙ୍କ ସନ୍ଧାନ ପାଇବାକୁ ଚେଷ୍ଟା ଚଳାଇଥିଲେ।

ମିଳିଥିବା ସୂଚନା ମୁତାବକ, ଝାଡ଼ଖଣ୍ଡ ହଜାରୀବାଗର ରାମ କୁମାର ଚୌଧୁରୀ (୭୦) ନାମକ ଜଣେ ବ୍ୟକ୍ତି ଗତ ଫେବ୍ରୁଆରି ମାସ ପ୍ରଥମ ସପ୍ତାହରେ ଘରୁ ପୁରୀ ଚାଲି ଆସିଥିଲେ। ଏଠାକୁ ବରାବର ଆସୁଥିବାରୁ ଘର ଲୋକେ ଭାବିଥିଲେ ସେ ପୁଣି ଘରକୁ ଲେଉଟି ଯିବେ। କିନ୍ତୁ ଲକଡାଉନ ହୋଇଗଲା। ପରିବାର ଓ ସମ୍ପର୍କୀୟ ଭାବିଲେ ଲକ୍‌ଡାଉନରେ କୋଉଠି ଫସି ଯାଇଥିବେ। ଏହା ମଧ୍ୟରେ ସେ ଥରେ ଘରକୁ ଫୋନ୍‌ ବି କରିଥିଲେ। ମାତ୍ର ସେଇ କଲ୍‌ ଥିଲା ଶେଷ କଲ୍‌। ଏହା ପରେ ରାମଙ୍କୁ ଯେବେ ବି ତାଙ୍କ ଘରୁ କଲ୍‌ ଆସିଥିଲା, ମୋବାଇଲ୍‌ ସ୍ବିଚ୍‌ ଅଫ୍ ଦେଖାଇଥିଲା ବୋଲି କହିଛନ୍ତି ନିଖୋଜ ରାମଙ୍କ ଜ୍ବାଇଁ ଅଂଶୁମାନ ପାଣ୍ଡେ।

ଅଂଶୁମାନଙ୍କ କହିବା ମୁତାବକ, ସେମାନେ ନିଜ ଶ୍ବଶୂରଙ୍କ ନିଖୋଜ ଅଭିଯୋଗ ନେଇ ହଜାରୀବାଗ ଥାନାରେ ଏତଲା ଦେଇଛନ୍ତି। ‌କିନ୍ତୁ ଏଯାଏ ତାଙ୍କ ଖୋଜ ଖବର ମିଳିନାହିଁ। ମାତ୍ର ଏବେ ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ଖବର ପାଇବା ପରେ ପୁଣି ଆମ ମନରେ ଆଶା ଜାଗିଥିଲା। ବହୁ ଲୋକଙ୍କ ସମାଗମ ହେଉଥିବାରୁ କାଳେ ତାଙ୍କ ନିଖୋଜ ଶ୍ବଶୂରଙ୍କ ଫଟୋ ଦେଖି କେହି ଚିହ୍ନି ଦେବେ ସେଥିପାଇଁ ସେ ୧୦ ଦିନ ହେଲା ଫଟୋ ଧରି ବୁଲୁଛନ୍ତି। ସବୁଆଡ଼େ ସବୁ ଭାଷାରେ ନିଖୋଜ ବିଜ୍ଞାପନ କାନ୍ଥରେ ମାରିଛନ୍ତି। ତଥାପି ସଫଳ ହୋଇନାହାନ୍ତି। ଏହି ଖୋଜିବା ଅଭିଯାନରେ ରାମକୁମାରଙ୍କ ପୁଅ ଏବଂ ପରିବାର ଲୋକେ ସାମିଲ ହୋଇଛନ୍ତି।

ସମ୍ବନ୍ଧିତ ଖବର