ଏସି ସଜାଡ଼ିବା ପାଇଁ ଗୁଗୁଲ୍‌ରେ ନମ୍ବର ସର୍ଚ୍ଚ କରି ଫସିଲେ, ଆକାଉଣ୍ଟରୁ କଟିଗଲା ୫୦ ହଜାର

ସମ୍ବଲପୁର: ସମ୍ବଲପୁର ସହରରେ ସାଇବର୍‌ ଠକେଇ ଥମିବାର ନାଁ ନେଉନାହିଁ। ପୁଲିସ ସାଇବର୍‌ ଅପରାଧୀଙ୍କୁ ଧରିବାକୁ ଅସମର୍ଥ ଥିବାବେଳେ ଦିନିକୁ ଦିନ ସାଇବର୍‌ ଠକଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ସମ୍ବଲପୁର ଦାନିପାଲିର ଜଣେ ବ୍ୟକ୍ତି ଶନିବାର ସାଇବର୍‌ ଠକେଇର ଶିକାର ହୋଇଛନ୍ତି। ଘରେ ଲାଗିଥିବା ଏସିର ମରାମତି କରାଇବାକୁ ଯାଇ ସେ ଏହି ଠକେଇର ଶିକାର ହୋଇଛନ୍ତି। ସାଇବର୍‌ ଠକ ତାଙ୍କ ଆକାଉଣ୍ଟରୁ ମୋଟ ୫୦ ହଜାର ଟଙ୍କା କାଟି ନେଇଛି।

କେମିତି ହୋଇଥିଲେ ଠକେଇର ଶିକାର

ଦାନିପାଲିର ବିଚିତ୍ର ଦାସ କିଛି ଦିନ ତଳେ ଟାଟା ଭୋଲ୍‌ଟାସ୍‌ର ଏକ ଏସି କିଣି ଘରେ ଲଗାଇଥିଲେ। କୌଣସି କାରଣରୁ ତାଙ୍କ ଏସିଟି କିଛି ଦିନ ତଳେ ଖରାପ ହୋଇଯାଇଥିଲା। ଏସି ଅଚଳ ହୋଇଯିବାରୁ ଡୋର୍‌ ଷ୍ଟେପ୍‌ ସର୍ଭିସ୍‌ ପାଇବା ପାଇଁ ସେ ଗୁଗୁଲ୍‌ରେ ଭୋଲ୍‌ଟାସ୍‌ ଏସି କଷ୍ଟମର କେୟାର୍‌ ନମ୍ବର ସର୍ଚ୍ଚ କରିଥିଲେ। ଗୁଗୁଲ୍‌ରୁ ପାଇଥିବା ନମ୍ବରକୁ କଷ୍ଟମର କେୟାର ନମ୍ବର ଭାବି ସାଇବର୍‌ ଠକ ସହ ଯୋଗାଯୋଗ କରିଥିଲେ। ସାଇବର୍‌ ଠକ ଜଣକ ବିଚିତ୍ରଙ୍କୁ ବ୍ୟାଙ୍କ୍‌ ସଲଗ୍ନ ମୋବାଇଲ୍‌ ନମ୍ବର, ଓଟିପି ଭଳି ବ୍ୟକ୍ତିଗତ ତଥ୍ୟ ମାଗିଥିଲା।

କଷ୍ଟମର୍‌ କେୟାର ବୋଲି ସେ ସବୁ ତଥ୍ୟ ମଧ୍ୟ ଦେଇ ଚାଲିଥିଲେ। ଠକ ଜଣକ ପ୍ରଥମେ ସର୍ଭିସ୍‌ ଚାର୍ଜେସ୍‌ ବାବଦକୁ ୧୦ ଟଙ୍କା ପୈଠ କରିବାକୁ ପଡ଼ିବ ବୋଲି କହିଥିଲେ। ଏହାପରେ ସାଇବର୍‌ ଠକ ଜଣକ ତାଙ୍କୁ ଓଟିପି ମାଗିଥିଲା। ସେ ଓଟିପି ସେୟାର୍‌ କରିବା ପରେ ଗୋଟିଏ ପରେ ଗୋଟିଏ ଟ୍ରାନ୍‌ଜେକସନ୍‌ କରି ସାଇବର୍‌ ଠକ ତାଙ୍କ ଆକାଉଣ୍ଟରୁ ଟଙ୍କା କାଟି ଚାଲିଥିଲା। ୬ରୁ ଅଧିକ ଟ୍ରାନ୍‌ଜେକ୍‌ସନ୍‌ କରି ସାଇବର୍‌ ଠକ ଜଣକ ତାଙ୍କ ଆକାଉଣ୍ଟରୁ ମୋଟ ୫୦ ହଜାର ଟଙ୍କା ଠକି ନେଇଥିଲା। ଠକେଇ ହେବା ପରେ ବିଚିତ୍ର କୌଣସି ଉପାୟ ନପାଇ ଶନିବାର ରାତି ଅଇଁଠାପାଲି ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର