୮ ବର୍ଷ ପରେ ମିଳିଲା ସିସୋର୍ କମ୍ପାନିର ସମ୍ପତ୍ତି

ଦୁଇ ବ୍ୟବସାୟୀଙ୍କ ଆକାଉଣ୍ଟରୁ ୫.୬୭ କୋଟି ଟଙ୍କା ଜବତ କଲା ଇଡି
ଜଣେ ଭୁବନେଶ୍ବର ଓ ଅନ୍ୟ ଜଣେ ମହାରାଷ୍ଟ୍ରର

ଭୁବନେଶ୍ୱର : ବହୁଚର୍ଚ୍ଚିତ ସିସୋର୍ ଚିଟ୍‌ଫଣ୍ଡ ଠକେଇ ମାମଲାର ୮ବର୍ଷ ପରେ ମିଳିଛି ସମ୍ପତ୍ତି। କଳାଧନର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଜି ଦୁଇଜଣ ବ୍ୟବସାୟୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୫କୋଟି ୬୭ ଲକ୍ଷ ଟଙ୍କା ଜବତ କରିଛି। ଦୁଇ ବ୍ୟବସାୟୀ ହେଲେ, ମହାରାଷ୍ଟ୍ର ଥାନେର ଦିଲ୍ଲୀପ ଅମୃତଲାଲ୍ ଗୁଧାକା ଏବଂ ଭୁବନେଶ୍ବର ବରମୁଣ୍ଡାସ୍ଥିତ ହେରାଲ୍ଡ ଓଭରସିଜ୍ ପ୍ରାଇଭେଟ୍ ଲିମିଟେଡ୍‌ ଏମ୍‌ଡି ମୟୂରେଶ ଦାଶ। ତେଣୁ ଆହୁରି କେତେକଙ୍କ ପାଖରେ ସିସୋର୍ କମ୍ପାନିର କଳାଧନ ଥାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏହି ଦୁଇ ବ୍ୟବସାୟୀଙ୍କୁ ଜେରା କରାଯିବ ବୋଲି ଜଣାପଡ଼ିଛି। ଇଡି ପରେ ସିବିଆଇ ମଧ୍ୟ ଏମାନଙ୍କୁ ତଦନ୍ତ ପରିସରକୁ ନେଇପାରେ ବୋଲି କୁହାଯାଉଛି।

ମିଳିଥିବା ସୂଚନା ଅନୁସାରେ, ସିସୋର୍ ଚିଟ୍‌ଫଣ୍ଡ କମ୍ପାନିର କଳାଧନ ଖୋଳତାଡ଼ କରୁଥିଲା ଇଡି। ପୂର୍ବରୁ ସ୍ଥାବର ଓ ଅସ୍ଥାବର ମିଶାଇ ୨୫୮କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା ତଦନ୍ତକାରୀ ସଂସ୍ଥା। ପୁଣି ଅନୁସନ୍ଧାନ ଜାରି ରହିଥିବା ବେଳେ ଦିଲ୍ଲୀପ ଓ ମୟୂରେଶଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୬.୫କୋଟି ଟଙ୍କା ଟ୍ରାନ୍ସଫର୍‌ ହୋଇଥିବା ଜଣାପଡ଼ିଥିଲା। ସେଥିରୁ ୫.୬୭କୋଟି ଟଙ୍କା ଜବତ ହୋଇପାରିଛି।

ସୂଚନାଯୋଗ୍ୟ, ଚିଟ୍‌ଫଣ୍ଡ କାରବାର ନେଇ ୨୦୧୨ରେ ସିସୋର୍ କମ୍ପାନି ଉପରେ କ୍ରାଇମବ୍ରାଞ୍ଚ ଚଢ଼ଉ କରିଥିଲା। ଏହା ପରେ ୨୦୧୩ରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ମାମଲାର ତଦନ୍ତଭାର ନେଇଥିଲା। ୨୦୧୩ ଜୁନ୍ ୧୯ରେ ସିସୋର୍ କମ୍ପାନି ମାଲିକ ପ୍ରଶାନ୍ତ ଦାଶଙ୍କୁ ମୁମ୍ବାଇରୁ ଗିରଫ କରିଥିଲା ଇଓଡବ୍ଲୁ। ୨୦୧୪ରେ ସିସୋର୍ ମାମଲାର ତଦନ୍ତ ହାତକୁ ନେଇଥିଲା ସିବିଆଇ। ଇଓଡବ୍ଲୁ ସିସୋର୍ କମ୍ପାନିର ୧୨୭ କୋଟି ଟଙ୍କାର ବ୍ୟାଙ୍କ ଜମା, ନଗଦ ୮୬ ଲକ୍ଷ ଟଙ୍କା, କମ୍ପାନି ମୋହର ଥିବା ବିପୁଳ ସୁନା ଓ ରୁପା ଟଙ୍କା, ୨୦୪ ଏକର ଜମି, ୨୨ଟି ଚାରି ଚକିଆ ଗାଡ଼ି, ବିଭିନ୍ନ ସ୍ଥାନରେ ଥିବା କୋଠା ଓ ଶିଳ୍ପସଂସ୍ଥାକୁ ଜବତ କରିଥିଲା।

ସମ୍ବନ୍ଧିତ ଖବର