ଏସ୍‌ଏଫ୍‌ଆଇଓ ମାମଲାରେ ସିସୋର ମୁଖ୍ୟଙ୍କ ସମେତ ୪ଜଣ ଅଦାଲତରେ ହାଜର

କଟକ : କମ୍ପାନି ଆଇନ ଉଲ୍ଲଘଂନ ନେଇ କଟକ ସ୍ପେଶାଲ ସିଜେଏମ୍‌ ଅଦାଲତରେ ବିଚାରାଧୀନ ମାମଲାରେ ସିସୋର ମୁଖ୍ୟ ପ୍ରଶାନ୍ତ ଦାଶ, ପ୍ରଭାତ ଦାଶ, ଜ୍ୟୋତିରାଣୀ ଷଡଙ୍ଗୀ ଓ ଏସ୍‌. ଜେନା ଓକିଲଙ୍କ ମାଧ୍ୟମରେ ହାଜର ହୋଇଛନ୍ତି। ୨୦୧୭, ନଭେମ୍ବର ୧୬ରେ କେନ୍ଦ୍ର ସରକାରଙ୍କ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରଣାଳୟ ଅଧିନରେ ଥିବା ସିରିୟସ୍‌ ଫ୍ରଡ୍‌ ଇନଭେଷ୍ଟିଗେସନ୍‌ ଅଫିସ (ଏସଏଫ୍‌ଆଇଓ)ର ଯୁଗ୍ମ ନିର୍ଦ୍ଦେଶକ ଜଗମୋହନ ହୁଡାଙ୍କ ପକ୍ଷରୁ ରୁଜୁ କଂପ୍ଲେନ୍‌ କେସ୍‌ର ଶୁଣାଣି କରି ଅଦାଲତ ସିସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କ ସହିତ ସଂସ୍ଥାର ନିର୍ଦ୍ଦେଶକ, ଅଂଶୀଦାର ଓ ପଦାଧିକାରୀଙ୍କୁ ନୋଟିସ୍‌ ଜାରି କରିଥିଲେ। ଏହି ମାମଲାରେ ୪୦ରୁ ଅଧିକ ବ୍ୟକ୍ତିଙ୍କୁ ନୋଟସ୍‌ ଜାରି କରାଯାଇଥିବା ବେଳେ ମାତ୍ର ୪ ଜଣ ଅଦାଲତରେ ହାଜର ହୋଇଛନ୍ତି। ଅନ୍ୟପକ୍ଷରେ କେତେକ ପ୍ରତିପକ୍ଷ ସେମାନଙ୍କ ଠିକଣାରେ ନଥିବାରୁ ନୋଟିସ୍‌ ଫେରି ଆସିଥିବା ଜଣାଯାଇଛି। ୨୦୧୮, ଫେବ୍ରୁଆରି ୨୨ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଏସଏଫଆଇଓ ପକ୍ଷରୁ ଆଇନଜୀବୀ ଜ୍ଞାନାଲୋକ ମହାନ୍ତି ମାମଲା ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ସିସୋର ସଂସ୍ଥା କମ୍ପାନି ଆଇନର ଉଲ୍ଲଂଘନ କରି ଜନସାଧାରଣଙ୍କ ନିକଟରୁ ପ୍ରଚୁର ଅର୍ଥ ଆଦାୟ କରିଥିବା ଅଭିଯୋଗ ହୋଇଥିଲା। ସଂସ୍ଥାର ଆର୍ଥିକ କାରବାରର ତଦନ୍ତ ଏସଏଫଆଇଓ କରିଥିଲା। ସଂସ୍ଥାର ଆର୍ଥିକ କାରବାରରେ ବ୍ୟାପକ ଅନିୟମିତତା ତଦନ୍ତରୁ ସ୍ପଷ୍ଟ ହେବା ପରେ ଏ ନେଇ ଏସ୍‌ଏଫ୍‌ଆଇଓ ଅଦାଲତରେ କଂପ୍ଲେନ୍‌ କେସ୍‌ ରୁଜୁ କରିଥିଲା।

ସମ୍ବନ୍ଧିତ ଖବର