ସିସୋର ସଂପତ୍ତି ବାଜ୍ୟାପ୍ତି ରାୟକୁ ହାଇକୋର୍ଟରେ ଚାଲେଞ୍ଜ

କଟକ : ସିସୋର ଗ୍ରୁପ ଅଫ୍ କମ୍ପାନିଜର ସ୍ଥାବର ଓ ଅସ୍ଥାବର ସ˚ପତ୍ତି ବାଜ୍ୟାପ୍ତି କରି ନିଲାମ ସଂପର୍କରେ କଟକ ସ୍ବତନ୍ତ୍ର ଅଦାଲତଙ୍କ ରାୟ ବିରୋଧରେ ହାଇକୋର୍ଟରେ ମାମଲା ରୁଜୁ ହୋଇଛି।  ଚିଟ୍‌ଫଣ୍ତ ମାମଲାର ଶୁଣାଣି ଲାଗି ଗଠିତ କଟକ ସ୍ବତନ୍ତ୍ର ଅଦାଲତ (ଡେଜିଗ୍‌ନେଟେଡ୍‌ କୋର୍ଟ)ଙ୍କ ୨୦୨୧ ଫେବ୍ରୁଆରି ୨୬ର ରାୟକୁ ଚାଲେଞ୍ଜ କରି ସିସୋର ମୁଖ୍ୟ ପ୍ରଶାନ୍ତ କୁମାର ଦାସ, ସିସୋର ସିକ୍ୟୁରିଟିଜ୍ ଲିମିଟେଡ୍ ଓ ଅନ୍ୟମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଫେବ୍ରୁଆରି ୨୬ର ରାୟକୁ ରଦ୍ଦ କରିବାକୁ ହାଇକୋର୍ଟରେ ଏହି ଅପିଲ ଦାୟର କରାଯାଇଛି। ଅପିଲ ଶୁଣାଣି ବିଚାରାଧୀନ ଥିବା ବେଳେ ନିମ୍ନ ଅଦାଲତ ରାୟ ଉପରେ ମଧ୍ୟବର୍ତ୍ତିକାଳୀନ ରହିତାଦେଶ ଜାରି ପାଇଁ ଅନ୍ତରୀଣ ଆବେଦନ ଦାଖଲ କରାଯାଇଛି।

ବିଭିନ୍ନ ଯୋଜନାରେ ଜମାକାରୀଙ୍କ ନିକଟରୁ ସ‌ିସୋର ଟଙ୍କା ସଂଗ୍ରହ କରି ପ୍ରତିଶ୍ରୁତି ପାଳନ କରି ନଥିବା ଜମାକାରୀ ଅଭିଯୋଗ କରିଥିଲେ। ଏହାପରେ ସଂସ୍ଥାର ବିଭିନ୍ନ ସ୍ଥାନରେ ଥିବା ଜମି, ସୁନା, ରୁପା, ୨୨ଟି ବ୍ୟାଙ୍କ୍ ଖାତାରେ ଥିବା ଟଙ୍କା, ଦାମି ଗାଡି କ୍ରାଇମବ୍ରାଞ୍ଚ ଜବତ କରିଥିଲା। ଏହା ପରେ ଓପିଆଇଡି ଆଇନ୍‌ର ଧାରା ୪(୩)ରେ ପ୍ରାଧିକୃତ ଅଧିକାରୀ ସିସୋର ସଂସ୍ଥାର  ଜବତ ଜମି, ସୁନା, ରୁପା, ଗାଡି ଓ ବ୍ୟାଙ୍କ ଜମାକୁ ଜମାକାରୀଙ୍କ ମଧ୍ୟରେ ବାଣ୍ଟିବା ପାଇଁ ଅନୁମତି ଲୋଡି କଟକ ସ୍ବତନ୍ତ୍ର ଅଦାଲତରେ ୨୦୧୩ ଡିସେମ୍ବର ୨୮ରେ ଆବେଦନ କରିଥିଲେ। ୨୦୨୧ ଫେବ୍ରୁଆରି ୨୬ରେ ସ୍ବତନ୍ତ୍ର ଅଦାଲତ ସିସୋର ଗ୍ରୁପ ଅଫ୍ କମ୍ପାନିଜର ସ୍ଥାବର ଓ ଅସ୍ଥାବର ସ˚ପତ୍ତି ବାଜ୍ୟାପ୍ତି କରି ନିଲାମ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ନିଲାମଲବ୍ଧ ଅର୍ଥ ଏହି ସ˚ସ୍ଥାର କ୍ଷତିଗ୍ରସ୍ତ ଜମାକାରୀଙ୍କୁ ପ୍ରଦାନ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ସିସୋରର ଏହି ସ୍ଥାବର ଅସ୍ଥାବର ସଂପତ୍ତିର ମୂଲ୍ୟ ୬୫୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର