କଟକ: ସିସୋର ଗ୍ରୁପ ଅଫ୍ କମ୍ପାନିଜର ସ୍ଥାବର ଓ ଅସ୍ଥାବର ସ˚ପତ୍ତି ବାଜ୍ୟାପ୍ତ କରି ନିଲାମ କରିବା ପାଇଁ ଚିଟ୍ଫଣ୍ତ ମାମଲାର ଶୁଣାଣି ଲାଗି ଗଠିତ ସ୍ବତନ୍ତ୍ର ଅଦାଲତ (ଡେଜିଗ୍ନେଟେଡ୍ କୋର୍ଟ) ନିର୍ଦ୍ଦେଶ ଦେଇଛନ୍ତି। ନିଲାମଲବ୍ଧ ଅର୍ଥ ଏହି ସ˚ସ୍ଥାର କ୍ଷତିଗ୍ରସ୍ତ ଜମାକାରୀଙ୍କୁ ପ୍ରଦାନ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି ଯେ ସିସୋର ସ˚ସ୍ଥାର କଟକ, ଭୁବେନେଶ୍ବର, ପୁରୀ, ଖୋର୍ଦ୍ଧା, ଅନୁଗୋଳ ଓ ଅନ୍ୟ ଜିଲ୍ଲାରେ ଥିବା ପ୍ରାୟ ୬୫୦ କୋଟି ଟଙ୍କା ମୂଲ୍ୟର ସ୍ଥାବର ଅସ୍ଥାବର ସଂପତ୍ତିର (ଜମି, ସୁନା,ରୁପା, ବ୍ୟାଙ୍କ ଜମା ଓ କୋଠାବାଡ଼ି ଇତ୍ୟାଦି) ବାଜ୍ୟାପ୍ତି କରାଯାଇ ସ˚ପୃକ୍ତ ଅର୍ଥକୁ ଏହି ଚିଟ୍ଫଣ୍ତ୍ ସ˚ସ୍ଥା ଦ୍ବାରା କ୍ଷତିଗ୍ରସ୍ତ ଜମାକାରୀଙ୍କ ମଧ୍ୟରେ ବଣ୍ଟନ କରାଯିବ।
ସିସୋର ବିରୋଧରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଥାନାରେ ୨୦୧୨, ଜୁଲାଇ ୧୮ରେ ଜମାକରୀଙ୍କୁ ଠକିବା ନେଇ ଅଭିଯୋଗ ରୁଜୁ ହୋଇଥିଲା। ଏହି ମାମଲାରେ ତଦନ୍ତ ପରେ ପ୍ରଶାନ୍ତ ଦାଶ, ପ୍ରଭାତ ଦାଶ ଓ ଅନ୍ୟ ଅଭିଯୁକ୍ତଙ୍କ ସହିତ ସିସୋର ସିକ୍ୟୁରିଟିଜ୍ ଲିମଟେଡ ଏମଡିଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇଥିଲା। ଏହି ମାମଲାରେ ୨୦୧୪, ମାର୍ଚ୍ଚ ୨୨ରେ ଆଇପିସିର ଦଫା ୪୨୦, ୪୬୭, ୪୬୮, ୪୭୧, ୪୦୬, ୧୨୦-ବି, ୩୪ , ପ୍ରାଇଜ୍ ଚିଟ୍ସ ଆଣ୍ତ ମନି ସାର୍କୁଲେସନ୍ ସ୍କିମ୍ସ(ବ୍ୟାନି˚) ଆକ୍ଟର ଧାରା ୪, ୫, ୬ ଏବ˚ ଓଡିଶା ପ୍ରୋଟେକ୍ସନ୍ ଅଫ୍ ଇଣ୍ଟରେଷ୍ଟସ୍ ଅଫ୍ ଡିପୋଜିଟରସ୍(ଇନ୍ ଫାଇନାରେନସିଆଲ ଏଷ୍ଟାବ୍ଲିସମେଣ୍ଟ) ଆକ୍ଟ, ୨୦୧୧(ଓପିଆଇଡି ଆଇନ୍)ର ଧାରା ୬ରେ ଚାର୍ଜସିଟ ଦାଖଲ କରାଯାଇଥିଲା।
କଟକ ସ୍ବତନ୍ତ୍ର ଅଦାଲତଙ୍କ ଏହା ୧୭ତମ ସଂପତ୍ତି ବାଜ୍ୟାପ୍ତି ସଂପର୍କିତ ରାୟ। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭାବେ ନିଯୁକ୍ତ ଆଇନଜୀବୀ ବିବେକାନନ୍ଦ ଭୂୟାଁ ଓ ସ୍ବତନ୍ତ୍ର ପବ୍ଲକ୍ ପ୍ରସିକ୍ୟୁଟର ସୁବ୍ରତ କୁମାର ମହାନ୍ତି ମାମଲା ପରିଚାଳନା କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/Seashore-property-26_THumb-1.jpg)