୧୨ ଯାଏ ବର୍ଷା: ୨୪ ଘଣ୍ଟାରେ ବଦଳିବ ପାଗ

ଭୁବନେଶ୍ୱର: ଆକାଶରେ ଖଣ୍ଡ ଖଣ୍ଡ ମେଘ ଭାସିଲାଣି। ଆଉ ୨୪ ଘଣ୍ଟା ଭିତରେ ପାଗ ପୂରା ବଦଳିଯିବାର ଲକ୍ଷଣ ପ୍ରକାଶ ପାଇଲାଣି। ଗୁରୁବାର ବେଳକୁ ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ତେବେ ଏହା ବାତ୍ୟାର ରୂପ ନେବା ସମ୍ଭାବନା କମ୍‌ ବୋଲି ପାଣିପାଗବିତ୍‌ମାନେ ମତ ଦେଇଛନ୍ତି। ବାତ୍ୟା ହେଲେ ବି ସମୁଦ୍ରରେ ରହି ଦୁର୍ବଳ ହୋଇଯିବ। ଓଡ଼ିଶାରେ କେବଳ ବର୍ଷିବ। ତେବେ ରାଜ୍ୟରେ ପ୍ରାୟ ସପ୍ତାହେ ଧରି ବର୍ଷା ଲାଗି ରହିବ। ଲଗାଣ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଉଥିବାରୁ ଏହା ଚାଷ ପାଇଁ ଅଧିକ କ୍ଷତିକାରକ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କୁ ତାଗିଦ୍‌ କରିଛନ୍ତି ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଧାନକୁ ସୁରକ୍ଷିତ ରଖିବାକୁ ଆବଶ୍ୟକ ସ୍ଥଳେ ନିୟନ୍ତ୍ରିତ ବଜାର କମିଟି(ଆରଏମ୍‌ସି) ପାଣ୍ଠି ବିନିଯୋଗ କରିବାକୁ ସେ ନିର୍ଦେଶ ଦେଇଛନ୍ତି।

ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ କହିବାନୁସାରେ ଆଜି ସ୍ପଷ୍ଟଚିହ୍ନିତ ଲଘୁଚାପଟି ପୂର୍ବ ସ୍ଥାନରୁ ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରକୁ ଗତି କରିଛି। ଆଉ ୧୨ ଘଣ୍ଟା ମଧ୍ୟରେ ଯେ କୌଣସି ସମୟରେ ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ। ଏହାର ଆଉ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଡିପ୍‌ ଡିପ୍ରେସନ୍‌ରେ ପରିଣତ ହେବାର ସମ୍ଭାବନା ଅଧିକ। ଏହି ବ୍ୟବସ୍ଥା ବଙ୍ଗୋପ ସାଗରର ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ଶୁକ୍ରବାର ବେଳକୁ ତାମିଲନାଡ଼ୁ ଉପକୂଳ ଛାଡ଼ି ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳ ନିକଟତର ହେବା ବେଳକୁ ଏହା ବାତ୍ୟାର ରୂପ ନେଇପାରେ। ସମୁଦ୍ରରେ ଏହା ବାତ୍ୟାରେ ପରିଣତ ହୋଇ କ୍ରମଶଃ ଦୁର୍ବଳ ହୋଇଯିବ। ଓଡ଼ିଶାର ସ୍ଥଳଭାଗକୁ ଏହା ଛୁଇଁବାର ସମ୍ଭାବନା କମ୍‌ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଘରୋଇ ପାଣିପାଗ ସଂସ୍ଥା ସ୍କାଇମେଟ୍‌ର ପୂର୍ବାନୁମାନ ଅନୁଯାୟୀ ସମୁଦ୍ର ଜଳର ଉପରିଭାଗ ଥଣ୍ଡା ଥିବାରୁ ଡିପ୍‌ ଡିପ୍ରେସନ୍‌ରେ ପରିଣତ ହୋଇଥିବା ବ୍ୟବସ୍ଥା ଘନୀଭୂତ ହେବ ସିନା, ତାହା ବାତ୍ୟା ରୂପ ନେବା ସମ୍ଭାବନା କମ୍‌।

ବାତ୍ୟା ହେଉ ବା ନହେଉ, ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ପୂର୍ବରୁ ପୂର୍ବାନୁମାନ ହୋଇଥିଲା ଯେ ବର୍ଷା ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ହେବ। କିନ୍ତୁ ବର୍ଷା ୧୨ ଏପରି କି ୧୩ ତାରିଖ ପର୍ଯ୍ୟନ୍ତ ଲାଗି ରହିପାରେ। ୭ ତାରିଖରେ ଦକ୍ଷିଣ ଏବଂ ଉପକୂଳ, ୮ରେ ଦକ୍ଷିଣ, ଉପକୂଳ ସହିତ ଆଭ୍ୟନ୍ତରୀଣ ସ୍ଥାନଗୁଡ଼ିକରେ ବର୍ଷା ହେବ। ୯ରେ ଉପକୂଳ ସହିତ ଆଭ୍ୟନ୍ତରୀଣ ସ୍ଥାନଗୁଡ଼ିକରେ ଏବଂ ୧୦ରୁ ୧୩ ତାରିଖ ମଧ୍ୟରେ ଉତ୍ତର ଏବଂ ଆଭ୍ୟନ୍ତରୀଣ ସ୍ଥାନଗୁଡ଼ିକରେ ବର୍ଷା ହେବ। ୧୨/୧୩ ତାରିଖରେ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, ଦେବଗଡ଼, ଅନୁଗୁଳ, ବଲାଙ୍ଗୀର, ସୋନପୁର ଆଦି ସ୍ଥାନରେ ବର୍ଷା ହେବ। ଏଥିମଧ୍ୟରୁ ଅନେକ ସ୍ଥାନରେ ଲଗାଣ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ଦୀର୍ଘ ଦିନ ଧରି ଲାଗି ରହିବା ପଛରେ କାରଣ ହେଉଛି ସମ୍ଭାବ୍ୟ ଟ୍ରଫ୍‌ ଲାଇନ ଏବଂ ସମୁଦ୍ରରେ ଗୁରୁଚାପର ପ୍ରଭାବ। ଫଳରେ ରବି ଋତୁରେ ଆରମ୍ଭ ହୋଇଥିବା ପନିପରିବା, ଡାଲିଜାତୀୟ ଚାଷ ପ୍ରତି ବିପଦ ସୃଷ୍ଟି ହେବ। କୃଷି ବିଭାଗ ରିପୋର୍ଟ ଅନୁସାରେ ଖରିଫ ଧାନ ଫସଲରୁ ପ୍ରାୟ ୭୦ ଭାଗ ଅମଳ ସରିଛି। ରବି ଋତୁରେ ଧାନ ଚାଷର ପରିମାଣ ଅପେକ୍ଷାକୃତ କମ୍‌। ତେବେ ଉପକୂଳବର୍ତୀ ଜିଲ୍ଲାଗୁଡ଼ିକରେ ଧାନ ଅମଳ ଶେଷ ପର୍ଯ୍ୟାୟରେ ଥିବାରୁ ଏହି ସମୟରେ ଲଗାଣ ବର୍ଷା ଫସଲକୁ ବ୍ୟାପକ ରୂପେ ପ୍ରଭାବିତ କରିବାର ଆଶଙ୍କା ରହିଛି। ଏ ନେଇ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଜିଲ୍ଲାପାଳମାନଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ଯୋଗେ ଆଲୋଚନା କରିଥିଲେ। ଚାଷୀମାନଙ୍କୁ ଫସଲର ସୁରକ୍ଷା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ସେ ନିର୍ଦେଶ ଦେଇଥିଲେ। ବିଶେଷ କରି ଅମଳ ହୋଇଥିବା ଫସଲ ତଥା ବିଲରେ ରହିଥିବା ଫସଲର ସୁରକ୍ଷା ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଜରିଆରେ ଆବଶ୍ୟକ ପରାମର୍ଶ ଦେବାକୁ ନିର୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଏହାବ୍ୟତୀତ, ମରୁଡ଼ି, ରୋଗପୋକ ଏବଂ ଅଦିନିଆ ବର୍ଷା ପାଇଁ କୃଷି କ୍ଷେତ୍ରରେ ଇନ୍‌ପୁଟ୍‌ ସବ୍‌ସିଡି ଆକାରରେ ୨୯ଟି ଜିଲ୍ଲା ପାଇଁ ୭୧୮ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଚାଷୀମାନଙ୍କୁ ଏହି ସହାୟତା ରାଶି ଶୀଘ୍ର ପ୍ରଦାନ କରିବାକୁ ସେ ନିର୍ଦେଶ ଦେଇଥିଲେ।

ପାଣିପାଗ କେନ୍ଦ୍ର ସୂଚନାନୁସାରେ ଆସନ୍ତାକାଲିଠାରୁ ମେଘୁଆ ପାଗ ଦେଖାଦେଲେ ବି ଆଉ ୨୪ ଘଣ୍ଟା ଆପାତତଃ ଶୁଖିଲା ରହିବ। ଆଜି ଗୋପାଳପୁର, ପୁରୀକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫° ତଳେ ରହିଛି। ଦାରିଙ୍ଗିବାଡ଼ିରେ ୭° ସେଲ୍‌ସିୟସ ଥିବା ବେଳେ ଫୁଲବାଣୀରେ ୮°, କେନ୍ଦୁଝରରେ ୮.୧°, ହୀରାକୁଦରେ ୯.୧°, ଭବାନୀପାଟଣାରେ ୯.୭°, ଉପକୂଳର ବାଲେଶ୍ୱରରେ ୧୨.୩°, ଭୁବନେଶ୍ୱରରେ ୧୨.୪°, କଟକରେ ୧୨.୮° ରେକର୍ଡ ହୋଇଛି। ଅନ୍ୟପକ୍ଷରେ ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ୩୦° ଉପରକୁ ଉଠିଛି।

ସମ୍ବନ୍ଧିତ ଖବର