ଆଠ ଯୋଡ଼ା ସ୍ୱତନ୍ତ୍ର ଟ୍ରେନରେ ସିଜିନ୍ ଟିକେଟ୍ ପୁନଃ ପ୍ରଚଳନ

ଭୁବନେଶ୍ୱର : ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ୧୧ ଯୋଡ଼ା ଆନ୍ତଃ ଜୋନ୍ ଏକ୍ସପ୍ରେସ୍, ୮ ଯୋଡ଼ା ଲୋକାଲ୍ ବିଶେଷ ଟ୍ରେନ ଏବଂ ୫ ଯୋଡ଼ା ଅନ୍ତଃ ଜୋନ୍ ସ୍ପେସାଲ୍ ଟ୍ରେନ୍ ସହିତ ସମୁଦାୟ ୨୪ ଯୋଡ଼ା ଟ୍ରେନରେ ସିଜନ୍ ଟିକେଟ୍ ସୁବିଧା ପ୍ରଚଳନ କରାଯାଇଛି। ଦୈନନ୍ଦିନ ଯାତାୟାତ କରୁଥିବା ଟ୍ରେନ ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ଆହୁରି ୮ଯୋଡ଼ା ଟ୍ରେନରେ ମାସିକ ସିଜିନ୍ ଟିକେଟ୍ (ଏମଏସଟି)/ ତ୍ରୟମାସିକ ସିଜିନ୍ ଟିକେଟ୍ (କ୍ୟୁଏସଟି) ସହିତ ଟ୍ରେନ୍ ଯାତ୍ରାକୁ ଅନୁମତି ଦେଇଛି। ଏହି ଟ୍ରେନ୍ ଗୁଡିକ ମଧ୍ୟରେ ସମ୍ବଲପୁର-ରାୟଗଡା-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ୍ (୧୮୩୦୧/୧୮୩୦୨), ଭୁବନେଶ୍ୱର-ବିଶାଖାପାଟନମ୍-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ୍ (୨୨୮୧୯/୨୨୮୨୦), ପୁରୀ-ଗୁଣୁପୁର-ପୁରୀ ଏକ୍ସପ୍ରେସ୍ (୧୮୪୧୭/୧୮୪୧୮), ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ୍ (୧୨୮୯୩/୧୨୮୯୪), ବିଶାଖାପାଟନମ୍-ରାୟଗଡ଼ା-ବିଶାଖାପାଟନମ୍ ଏକ୍ସପ୍ରେସ୍ (୧୮୫୨୮/୧୮୫୨୭), ଭୁବନେଶ୍ୱର-ପଲାସା-ଭୁବନେଶ୍ୱର ଏକ୍ସପ୍ରେସ୍ (୧୮୪୪୩/୧୮୪୪୪), ଭଦ୍ରକ-ହାଓଡ଼ା-ଭଦ୍ରକ ଏକ୍ସପ୍ରେସ୍ (୧୮୦୪୩/୧୮୦୪୪), ଯାଜପୁର କେନ୍ଦୁଝର ରୋଡ- ଖଡ଼ଗପୁର-ଯାଜପୁର କେନ୍ଦୁଝର ରୋଡ ଏକ୍ସପ୍ରେସ୍ (୧୮୦୩୮/୧୮୦୩୭) ରହିଛି।

ଏହାପୂର୍ବରୁ ପୂର୍ବତଟ ରେଳପଥ ୧୬ ଯୋଡ଼ା ବିଶେଷ ଟ୍ରେନରେ ଏମଏସଟି/କ୍ୟୁଏସଟି ସହିତ ଟ୍ରେନ୍ ଯାତ୍ରାକୁ ଅନୁମତି ଦେଇଥିଲା। ବର୍ତ୍ତମାନ ଯାତ୍ରୀମାନେ ୨୪ ଯୋଡ଼ା ସ୍ୱତନ୍ତ୍ର ଟ୍ରେନରେ ଏମଏସଟି/କ୍ୟୁଏସଟି ସୁବିଧା ପାଇପାରିବେ। ଉପରୋକ୍ତ ୨୪ଟି ବିଶେଷ ଟ୍ରେନ ବ୍ୟତୀତ ଯାତ୍ରୀମାନେ ଚଳାଚଳ କରୁଥିବା ଅନ୍ୟ ବିଶେଷ ଟ୍ରେନ ମାନଙ୍କରେ ସିଜିନ୍ ଟିକେଟ୍ (ଏମଏସଟି)/ତ୍ରୟମାସିକ ସିଜିନ୍ ଟିକେଟ୍ (କ୍ୟୁଏସଟି) ସହିତ ଯାତ୍ରା କରିବାକୁ ରେଳ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇନାହିଁ।

ସମ୍ବନ୍ଧିତ ଖବର