କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍ ବାହାବଲ କ୍ଲଷ୍ଟରସ୍ଥିତ ଆବାସିକ ପ୍ରଯତ୍ନ କେନ୍ଦ୍ରର ୨.୪୫ ଲକ୍ଷ ଟଙ୍କା ହଡ଼ପ ହୋଇଛି। ସ୍କୁଲ ସଭାପତିଙ୍କ ଜାଲ୍ ଦସ୍ତଖତରେ ଏହି ଟଙ୍କା ଉଠିଥିବା ଜଣାପଡ଼ିବା ପରେ ସଂପୃକ୍ତ ସ୍କୁଲର ପ୍ରଧାନଶିକ୍ଷକ ନେହରୁ ତାଣ୍ଡିଙ୍କୁ ନିଲମ୍ବନ କରାଯାଇଛି।
ସୂଚନା ଅନୁସାରେ, ବ୍ଲକର ଉପାନ୍ତ ଇଲାକାରେ ଥିବା ବାହାବଲ ଗାଁର ଅନେକ ଆଦିବାସୀ ପରିବାର ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଛନ୍ତି। ଏମାନଙ୍କ ପିଲାମାନେ ଗାଁର ନୂତନ ସକରାରୀ ୟୁପିସ୍କୁଲରେ ଖୋଲାଯାଇଥିବା ଋତୁକାଳୀନ ଆବାସିକ ପ୍ରଯତ୍ନ କେନ୍ଦ୍ରରେ ରହୁଛନ୍ତି। ଏମାନଙ୍କ ପାଇଁ ଦୈନନ୍ଦିନ ଖର୍ଚ୍ଚ ତଥା ଜରୁରୀ ସାମଗ୍ରୀ କିଣିବା ପାଇଁ ସ୍ବତନ୍ତ୍ର ଅନୁଦାନ ଆସୁଛି। ହେଲେ ନିଜେ ପ୍ରଧାନଶିକ୍ଷକ ଶ୍ରୀ ତାଣ୍ଡି ସ୍କୁଲର ସଭାପତି ଦୟା ବାଗଙ୍କ ଜାଲ୍ ଦସ୍ତଖସ୍ତ କରି ବ୍ୟାଙ୍କରୁ ଏହି ପାଣ୍ଠିରୁ ୨.୪୫ ଲକ୍ଷ ଟଙ୍କା ଉଠାଇ ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଛି। ଏହି ଟଙ୍କା ବାବଦରେ ସ୍କୁଲ କମିଟି ଏକ ବୈଠକରେ ବସି ଆଲୋଚନା କରୁଥିବା ବେଳେ ସନ୍ଦେହ କରିଥିଲେ। ପରେ ଏହାର ଯାଞ୍ଚ କରି କମିଟି ବ୍ଲକ୍ ଶିକ୍ଷା ଅଧିକାରୀ ଓ ତୁରେକେଲା ଥାନାରେ ଅଭିଯୋଗ କରିଥିଲା।
ଅଭିଯୋଗ ଆଧାରରେ ବିଇଓ ସୁରେନ୍ଦ୍ର ନାଥ ପୁରୋହିତ ଏହାର ତଦନ୍ତ କରିବା ସହ ସଂପୃକ୍ତ ପ୍ରଧାନଶିକ୍ଷକ ଶ୍ରୀ ତାଣ୍ଡିଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି। ସେହିପରି ସ୍କୁଲର କମ୍ପୋଜିଟ୍ ଟଙ୍କା ମଧ୍ୟ ସମାନ ଢଙ୍ଗରେ ଶ୍ରୀ ତାଣ୍ଡି ଉଠାଇଥିବା ଅଭିଯୋଗ ହୋଇଛି। ୬୦ ହଜାର ଟଙ୍କା ଉନ୍ନତି କାମ ପାଇଁ ଉଠାଇଥିଲେ। ହେଲେ ଗଛ ଲଗାଇବା ପାଇଁ ପ୍ରାୟ ୨୦ଟି ଗମଲା କିଣି ବାକି ଟଙ୍କା ପ୍ରଧାନଶିକ୍ଷକ ଆତ୍ମସାତ କରିଛନ୍ତି ବୋଲି ମଧ୍ୟ ସ୍କୁଲ କମିଟି ଏବେ ଅଭିଯୋଗ ଆଣିଛି। ଶ୍ରୀ ତାଣ୍ଡିଙ୍କ ନିଲମ୍ବନ ପରେ ହଡ଼ପ ଟଙ୍କା ତୁରନ୍ତ ଫେରସ୍ତ କରିବାକୁ ଏବେ କମିଟି ଦାବି କରିଛି।
ମିଳିଥିବା ତଥ୍ୟ ଅନୁସାରେ ଆବାସିକ ପ୍ରଯତ୍ନ କେନ୍ଦ୍ରରେ ୫୪ ଜଣ ପିଲା ଅଛନ୍ତି। ଏହା କେବଳ କାଗଜପତ୍ରରେ ଦର୍ଶାଉଥିବା ବେଳେ ପ୍ରକୃତରେ ଅଛନ୍ତି ୨୧ଜଣ। ଅବଶିଷ୍ଟ ପିଲାମାନେ ନିଜ ଘରେ ରହି ସବୁଦିନ ସ୍କୁଲକୁ ଆସୁଛନ୍ତି। ଏମାନଙ୍କୁ ସମସ୍ତଙ୍କୁ ଦେଖାଇ ଫଟୋ ଉଠାଇ ଅଫିସକୁ ପଠାଯାଉଥିବା ଅଭିଯୋଗ ହୋଇଛି। ପିଲାମାନଙ୍କ ପାଇଁ ସ୍କୁଲ ପରିସରରେ ହଷ୍ଟେଲ ଅଛି, ହେଲେ ତାହା ଖାଲି ପଡ଼ିଛି। ପିଲାଙ୍କ ଖାଦ୍ୟ ବାବଦରେ ମେନୁ ତିଆରି ହୋଇଥିଲେ ମଧ୍ୟ ପ୍ରତିଦିନ ପିଲାଙ୍କୁ ଭୁଜା, ଚା’ ଦିଆଯାଉଥିବା ଅଭିଯୋଗ ହୋଇଛି।