ଭୁବନେଶ୍ବର: ଧାର୍ଯ୍ୟ ସମୟର ୬ ଦିନ ବିଳମ୍ବରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି। ସ୍ୱାଭାବିକ ତାରିଖ ସେପ୍ଟେମ୍ବର ୧୭ ବଦଳରେ ଆଜି ପଶ୍ଚିମ ରାଜସ୍ଥାନ ଓ କଚ୍ଛର କିଛି ଅଞ୍ଚଳରୁ ମୌସୁମୀ ପ୍ରତ୍ୟାବର୍ତନ କରିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜସ୍ଥାନର ଆଉ କିଛି ଅଂଶ ସମେତ ପଞ୍ଜାବ, ହରିୟାଣା ଓ ଗୁଜୁରାଟରୁ ପ୍ରତ୍ୟାବର୍ତ୍ତନ କରିବ। ଦେଶରେ ବିଳମ୍ବିତ ହୋଇଥିବାରୁ ଓଡ଼ିଶାରୁ ମଧ୍ୟ ସ୍ବାଭାବିକ ସମୟ ଅକ୍ଟୋବର ୧୫ ପରେ ଦକ୍ଷିଣ ପଶ୍ଚିମ ମୌସୁମୀ ଅପସରିବ ବୋଲି ପୂର୍ବାନୁମାନ କରାଯାଇଛି।ପାଣିପାଗ ବିଶେଷଜ୍ଞ ‌ପ୍ରଫେସର ସୁ‌ରେନ୍ଦ୍ରନାଥ ପଶୁପାଳକଙ୍କ କହିବା‌ ଅନୁଯାୟୀ ମୌସୁମୀ ପ୍ରତ୍ୟାବର୍ତ୍ତନରେ ୬ ଦିନ ବିଳମ୍ବ ହୋଇଛି। ୨୦୨୩ରେ ବିଳମ୍ବ ହୋଇଥିଲେ ମଧ୍ୟ ଓଡ଼ିଶାରୁ ଶୀଘ୍ର ଅପସରି ଯାଇଥିଲା। ବର୍ତ୍ତମାନ ଲଘୁଚାପ ଦ୍ବାରା ବଙ୍ଗୋପସାଗରରେ ସାମୁଦ୍ରିକ ପବନ ଦକ୍ଷିଣରୁ ଉତ୍ତର ଦିଗକୁ ଯାଉଛି। ଓଡ଼ିଶାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ସମୟରେ ଉତ୍ତର ପୂର୍ବରୁ ମୌସୁମୀ ଆସେ, ଯାହାକି ଉପକୂଳ ଓଡ଼ିଶା, ଆନ୍ଧ୍ର ଓ ତାମିଲନାଡ଼ୁରେ ପ୍ରବଳ ବର୍ଷା କରାଇଥାଏ। ସ୍ବାଭାବିକ ଭାବେ ଅକ୍ଟୋବର ଦ୍ବିତୀୟ ସପ୍ତାହରେ ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ କରୁଥିବା ମୌସୁମୀ ବାୟୁ ଏଥର କେବେ ପ୍ରତ୍ୟାବର୍ତ୍ତନ କରିବ ତାହା ଏବେଠାରୁ ଆକଳନ କରିବା ସମ୍ଭବ ନୁହେଁ। ତେବେ ଆକଳନ କରାଯାଉଛି ଯେ ନ୍ୟୁଟ୍ରାଲ୍‌ ଅବସ୍ଥାରେ ରହିଥିବା ଲା-ଲିନାର ପ୍ରଭାବ ଅକ୍ଟୋବରରୁ ଆରମ୍ଭ ହେବ। ଏହାର ପ୍ରଭାବ ରହିଲେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବିଳମ୍ବରେ ପ୍ରତ୍ୟାବର୍ତ୍ତନ କରିଥାଏ ବୋଲି ସେ କହିଛନ୍ତି।

Advertisment

ପ୍ରଫେସର ପଶୁପାଳକ ଆହୁରି କହିଛନ୍ତି ଯେ ଅକ୍ଟୋବର ଓ ‌ନଭେମ୍ବର ମାସରେ ଓଡ଼ିଶାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ଥିବା ବିଭିନ୍ନ ମଡେଲ୍‌ କହୁଛି। ଲା-ଲିନା ସମୟରେ ତାପମାତ୍ରା କମ୍‌ ରହିଥାଏ। ତେଣୁ ସାଧାରଣ ଭାବେ ଆଗାମୀ ଶୀତ ଋତୁରେ ଦେଶରେ ଅଧିକ ଥଣ୍ଡା ରହିବ। କିନ୍ତୁ ଓଡ଼ିଶାରେ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିପାରେ। ଲା-ଲିନା ସତ୍ତ୍ବେ ଚଳିତବର୍ଷ ରାଜ୍ୟରେ ଅଧିକ ଥଣ୍ଡା ଅନୁଭୂତ ହେବାର ସମ୍ଭାବନା କ୍ଷୀଣ। ଏବେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ୨୪ରୁ ୨୬ ତାରିଖ ଯାଏଁ ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଭାରୀ ବର୍ଷାର ସମ୍ଭାବନା ରହିଛି। ୨୫ରୁ ୨୭ ତାରିଖ ମଧ୍ୟରେ ଉତ୍ତରପଶ୍ଚିମ ଓଡ଼ିଶାରେ ଏବଂ ୨୭ରେ ପଶ୍ଚିମ ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ୨୭ ତାରିଖ ସକାଳ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ୨୪ ତାରିଖରେ ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଯାଜପୁରରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ। ଏହି ସମୟରେ କଟକ, ଜଗତ୍‌ସିଂହପୁର, ନୟାଗଡ଼, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ରହିବ। ପରବର୍ତ୍ତୀ ୪୮ ଘଣ୍ଟାରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ହୋଇପାରେ। ତାହାକୁ ନଜରରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।