ପିସିଆର‌୍‌ରେ ବି ସିଟ୍‌ ବେଲ୍ଟ ନ ପିନ୍ଧିଲେ କାର୍ଯ୍ୟାନୁଷ୍ଠାନ

କଟକ : ପୁଲିସ କର୍ମଚାରୀ ହେଲ୍‌ମେଟ୍‌ ପିନ୍ଧିବାକୁ ବାଧ୍ୟ। ପିସିଆର‌୍‌ ଭ୍ୟାନ୍‌ର ଡ୍ରାଇଭର‌୍‌ ସିଟ୍‌ ବେଲ୍ଟ ପିନ୍ଧିବେ। ଯଦି ଡ୍ରାଇଭର‌୍‌ ପିନ୍ଧୁନାହାନ୍ତି, ତେବେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଜି ଏହି ମର୍ମରେ ନିୟମ ଖିଲାପ କରୁଥିବା ପୁଲିସ କର୍ମଚାରୀଙ୍କୁ ଚେତାବନୀ‌ ଦେଇଛନ୍ତି ପୁଲିସ କମିସନର ଡକ୍ଟର ସୁଧା˚ଶୁ ଷଢ଼ଙ୍ଗୀ। ସେ କହିଛନ୍ତି ଏବେ ଗାଡ଼ି ଚଳାଇଲା ବେଳେ ପୁଲିସ ନିୟମ ପାଳନ କରିନଥିବା କିଛି ଭିଡିଓ ଆମ ଦୃଷ୍ଟି ଗୋଚର ହୋଇଛି। ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କୁ ଆମେ ତାଗିଦ କରିବା ଆରମ୍ଭ କରିଛୁ। ଆଇନର ଉପରେ କେହି ନୁହେଁ। ନିୟମ ଭାଙ୍ଗିଲେ ସାଧାରଣ ଲୋକଙ୍କ ପାଇଁ ଯେମିତି; ପୁଲିସ କର୍ମଚାରୀଙ୍କ ବିରୋଧରେ ସେମିତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଳି ଡକ୍ଟର ଷଡ଼ଙ୍ଗୀ ସ୍ପଷ୍ଟ କରିଦେଇଛନ୍ତି।

କ୍ୟାଣ୍ଟନ୍‌ମେଣ୍ଟ ରୋଡ୍‌ରେ ଥିବା ପୁଲିସ କମିସନରଙ୍କ କ୍ୟାମ୍ପ ଅଫିସ୍‌ରେ ନୂଆ ଟ୍ରାଫିକ୍‌ ନିୟମ କଡ଼ାକଡ଼ି ସମ୍ପର୍କରେ ଡକ୍ଟର ଷଡ଼ଙ୍ଗୀ ଅଧିକ ସୂଚନା ଦେଇ କହିଛନ୍ତି ଜରିମାନା ଆଦାୟ କରିବା ପୁଲିସର ଉଦ୍ଦେଶ୍ୟ ନୁହେଁ। ଏବେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି। ଆମେ ସେମାନଙ୍କୁ ସମୟ ଓ ସୁଯୋଗ ଦେଉଛୁ। ଗତକାଲି ପୁଲିସ ୧୧୧୩ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସମସ୍ତଙ୍କ ନିକଟରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯାଇଛି। ଯେଉଁମାନେ ମଦ ପିଇ ଗାଡ଼ି ଚଳାଉଛନ୍ତି କିମ୍ବା ଗାଡ଼ି ଚଳାଇଲା ବେଳେ ମୋବାଇଲ୍‌ ଫୋନ୍‌ ବ୍ୟବହାର କରୁଛନ୍ତି, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। କୌଣସି ବ୍ୟକ୍ତିଙ୍କ ବିରୋଧରେ ଆମେ ୧୦୦୦ ଟଙ୍କାରୁ ଅଧିକ ଜରିମାନା ଆଦାୟ କରିନାହୁଁ। ମାତ୍ର ଦୁଇ ଜଣଙ୍କ ନିକଟରୁ ୫ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ସେମାନେ ମୋବାଇଲ୍‌ ଫୋନ୍‌ ବ୍ୟବହାର କଲାବେଳେ ଧରାପଡ଼ିଥିଲେ। ଅନ୍ୟପଟେ ୧୨ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ଧରି ବାପା ମା’ ବାଇକ୍‌ରେ ଯାଇପାରିବେ। ସହରରେ ସବୁ ସୋ’ ରୁମ୍‌ ବାହାରେ ଟ୍ରାଫିକ୍‌ ନିୟନ୍ତ୍ରଣରେ ପୁଲିସକୁ ସହଯୋଗ କରିବାକୁ କର୍ମଚାରୀ ନିୟୋଜନ ପାଇଁ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କଟକ ରି˚ରୋଡ ଏବ˚ ମଧୁପାଟଣା ଦେଇ ଯାଇଥିବା ଜାତୀୟ ରାଜପଥରେ ଉଲ˚ଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସ୍କୁଲ ପିଲମାନେ ଗାଡ଼ି ଚଲାଇ ପାରିବେ ନାହିଁ ବୋଲି ସ୍କୁଲ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଅବଗତ କରାଯାଇଥିବା ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ଅନ୍ୟପଟେ ପୁଲିସ କର୍ମଚାରୀଙ୍କୁ ମଧ୍ୟ ନିୟମ ପାଳନ କରିବାକୁ ତାଗିଦ କରାଯାଇଛି। ପିସିଆର‌୍‌ ଭ୍ୟାନ୍‌ର ଡ୍ରାଇଭର‌୍‌ ମଧ୍ୟ ସିଟ୍‌ ବେଲ୍ଟ ପିନ୍ଧିବାକୁ ବାଧ୍ୟ। ଗାଡ଼ିରେ ବସିଥିବା ଅନ୍ୟ ଅଧିକାରୀମାନେ ନିରାପତ୍ତା ଦାୟିତ୍ବରେ ଥିବାରୁ ସେମାନେ ସଂଗେ ସଂଗେ ଗାଡ଼ିରୁ ଓହ୍ଲାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିଥାଏ। ସେଥିପାଇଁ ସେମାନେ ବେଲ୍‌ଟ୍‌ ପିନ୍ଧିବେ ନାହିଁ। କେବଳ ପିସିଆର‌୍‌ ଭ୍ୟାନ୍‌ ଡ୍ରାଇଭର‌୍‌ ବେଲ୍ଟ ନ ପିନ୍ଧିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସମ୍ପର୍କରେ ଡକ୍ଟର ଷଢ଼ଙ୍ଗୀ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର