ଫୋକସ୍‌ରେ ଆଦର୍ଶ ବିଦ୍ୟାଳୟ : ଛାତ୍ରୀଙ୍କ ପାଇଁ ୫୦% ସଂରକ୍ଷଣ

ଏବର୍ଷ ଖୋଲିବ ଆଉ ୩୬ ବିଦ୍ୟାଳୟ
ପ୍ରବେଶିକ୍ଷା ପରୀକ୍ଷା ମାଧ୍ୟମରେ ପିଲା ଚୟନ
୩୧ ଯା‌ଏ ଆବେଦନ, ମାର୍ଚ୍ଚ ୧ରେ ପରୀକ୍ଷା

ଭୁବନେଶ୍ବର : ୨୦୨୦-୨୧ ଶିକ୍ଷାବର୍ଷରେ ରାଜ୍ୟରେ ୩୬ଟି ନୂଆ ଆଦର୍ଶ ବିଦ୍ୟାଳୟରେ ନାମଲେଖା ହେବ। ଏବେ ୨୧୪ଟି ବିଦ୍ୟାଳୟରେ ପାଠପଢ଼ା ଚାଲିଥିବା ବେଳେ ଆଉ ୩୬ଟିକୁ ମିଶାଇ ଆଗାମୀ ଶିକ୍ଷାବର୍ଷରେ ମୋଟ ୨୫୦ଟି ଆଦର୍ଶ ବିଦ୍ୟାଳୟରେ ନାମଲେଖା ହେବ। ୨୦୨୦-୨୧ ଶିକ୍ଷାବର୍ଷରେ ସମ୍ବଲପୁର, ବରଗଡ଼ ଓ ଖୋର୍ଧା ଜିଲ୍ଲାରେ ୫ଟି ଲେଖାଏ, ନୟାଗଡ଼, କଟକ ଓ ‌ଢେଙ୍କାନାଳରେ ୩ଟି ଲେଖାଏ, ବଲାଙ୍ଗୀର, ଯାଜପୁର ଓ ଝାରସୁଗୁଡ଼ାରେ ୨ଟି ଲେଖାଏ, କନ୍ଧମାଳ, କେନ୍ଦୁଝର, ସୁନ୍ଦରଗଡ଼, ଅନୁଗୁଳ, ସୋନପୁର, ଭଦ୍ରକ ଜିଲ୍ଲାରେ ଗୋଟିଏ ଲେଖା‌ଏ ଆଦର୍ଶ ବିଦ୍ୟାଳୟ ଖୋଲିବ।

ଛାତ୍ରଛାତ୍ରୀ ସିଧାସଳଖ ୬ଷ୍ଠ ଶ୍ରେଣୀରେ ନାମ ଲେଖାଇବେ। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ‌ହୋଇଛି, ଯାହାକି ୩୧ ତାରିଖ ଯାଏ ଚାଲିବ। ମାର୍ଚ୍ଚ ୧ରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସରକାରୀ ତଥା ସରକାରୀ ସ୍ବୀକୃତିପ୍ରାପ୍ତ ଓଡ଼ିଆ ଓ ଇଂରାଜୀ ମାଧ୍ୟମ ବେସରକାରୀ ବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀଙ୍କଠାରୁ ଦରଖାସ୍ତ ଆହ୍ବାନ କରାଯାଇଛି। ପ୍ରବେଶିକା ପରୀକ୍ଷାରେ ସଫଳତା ଭିତ୍ତିରେ ବିଦ୍ୟାଳୟରେ ନାମ‌ଲେଖା ହେବ। ପ୍ରତି ବିଦ୍ୟାଳୟରେ ଛାତ୍ରୀଙ୍କ ପାଇଁ ୫୦ ପ୍ରତିଶତ ସିଟ୍‌ ସଂରକ୍ଷିତ ରହିବ। ଏହି ପରୀକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଉତ୍କର୍ଷ ଯୋଗ୍ୟତା ଭିତ୍ତିରେ ଡେ-ସ୍କଲାର ଭାବେ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟରେ ପଢ଼ିବେ।

ଖୋଲାଯାଇଥିବା ଆଦର୍ଶ ବିଦ୍ୟାଳୟଗୁଡ଼ିକର ନାମଲେଖା ପାଇଁ ବ୍ଲକ୍‌କୁ ଏକ ୟୁନିଟ ଭାବେ ଗ୍ରହଣ କରାଯାଇଛି। ଇଚ୍ଛୁକ ଛାତ୍ରଛାତ୍ରୀ ନିଜ ବ୍ଲକ୍‌ରେ ଥିବା ଆଦର୍ଶ ବିଦ୍ୟାଳୟରେ ନାମଲେଖା ପାଇଁ ଆବେଦନ କରିପାରିବେ। ଯେଉଁ ବ୍ଲକ୍‌ରେ ଆଦର୍ଶ ବିଦ୍ୟାଳୟ ନାହିଁ ସେଠାକାର ଛାତ୍ରଛାତ୍ରୀ ଅନ୍ୟ ବ୍ଲକ୍‌ରେ ଥିବା ଆଦର୍ଶ ବିଦ୍ୟାଳୟରେ ନାମଲେଖା ପାଇଁ ଆବେଦନ କରିପାରିବେ। ପ୍ରବେଶିକା ପରୀକ୍ଷା ପାଇଁ କୌଣସି ଫି’ଦେବାକୁ ପଡ଼ିବନି। ଜାନୁଆରି ୩୧ ସୁଦ୍ଧା ଆଗ୍ରହୀ ଛାତ୍ରଛାତ୍ରୀ ନିର୍ଦ୍ଧାରିତ ଫର୍ମ ପୂରଣ କରି ବିଦ୍ୟାଳୟର ଅଧ୍ୟକ୍ଷ/ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ନିକଟରେ ଦାଖଲ କରିବେ। ନିର୍ଦ୍ଧାରିତ ସମୟ ପରେ ମିଳିଥିବା ଦରଖାସ୍ତକୁ ଗ୍ରହଣ କରାଯିବ ନାହିଁ।

ଏହାବ୍ୟତୀତ ୭ମ, ୮ମ ଓ ୯ମ ‌ଶ୍ରେଣୀରେ ଖାଲିଥିବା ସିଟ୍‌(ବର୍ଗ ଅନୁଯାୟୀ) ପାଇଁ ଲାଟେରାଲ ଏଣ୍ଟ୍ରି ବ୍ୟବସ୍ଥା ରହିଛି। ଏଥିପାଇଁ ୱେବସାଇଟରେ ଫର୍ମ ଉପଲବ୍ଧ ରହିଛି। ‘www.oav.edu.in’ରୁ ପ୍ରବେଶିକା ପରୀକ୍ଷା ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ। ଏବେ ୫୦ଟି ଆଦର୍ଶ ବିଦ୍ୟାଳୟରେ ବାଳିକାଙ୍କ ପାଇଁ ଆ‌ବାସିକ ବ୍ୟବସ୍ଥା ରହିଛି। ଏହି ତାଲିକା ୱେବସାଇଟ୍‌ରେ ଉପଲବ୍ଧ ହୋଇଛି। କୌଣସି ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟକୁ ଯିବା ଆସିବା ନିମନ୍ତେ ଯାନବାହନର ବ୍ୟବସ୍ଥା‌ କରାଯାଇ ନ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ରାଜ୍ୟ ପ୍ରକଳ୍ପ ନିର୍ଦେଶକ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ମାର୍ଚ୍ଚ ୧ ତାରିଖ ପୂର୍ବାହ୍ନ ୯ଟାରୁ ୧୧ଟା ଯାଏ ପରୀକ୍ଷା ଚାଲିବ। ମାର୍ଚ୍ଚ ୬ରେ ଖାତା ମୂଲ୍ୟାୟନ କରାଯିବାକୁ ଥିବାବେଳେ ୧୦ରେ ଜିଲ୍ଲାପାଳଙ୍କ ଅନୁମତି ନିଆଯାଇ ମାର୍ଚ୍ଚ ୧୨ରେ ପରୀକ୍ଷା ଫଳ ପ୍ରକାଶ ପାଇବ। ମାର୍ଚ୍ଚ ୧୫ରୁ ୨୫ ଯାଏ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ। ୨୬ରୁ ୩୦ ତାରିଖ ଯାଏ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ହେବ। ଏପ୍ରିଲ ୨ରୁ ପାଠପଢ଼ା ଆରମ୍ଭ ହେବ ବୋଲି ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧିତ ଖବର