ଦୁଇଟି ପର୍ଯ୍ୟାୟରେ ନାମଲେଖା ସରିଲା : ୨୭ ହଜାର ଇଞ୍ଜିନିୟରିଂ ସିଟ୍‌ ଖାଲି

୪ ହଜାର ସିଟ୍‌ କଟିଲା ପରେ ବି ପିଲା ହେଉନାହାନ୍ତି, ଘରୋଇ ଇଞ୍ଜିନିୟରିଂ କଲେଜର ମାତ୍ର ୧୨% ସିଟ୍‌ ପୂରଣ

ଭୁବନେଶ୍ବର : ରାଜ୍ୟରେ ୮୮ଟି ଇଞ୍ଜିନିୟରିଂ କଲେଜ। ସେଥିମଧ୍ୟରୁ ୮ଟି ସରକାରୀ ଓ ୮୦ଟି ଘରୋଇ କଲେଜ। ସମସ୍ତ ଶିକ୍ଷାନୁଷ୍ଠାନକୁ ମିଶାଇଲେ ମୋଟ ୩୪ ହଜାର ୨୨୩ ସିଟ୍‌ ରହିଛି। ପିଲା ହେଉ ନ ଥିବାରୁ ୨୦୧୮-୧୯ ଶିକ୍ଷାବର୍ଷ ତୁଳନାରେ ୨୦୧୯-୨୦ ଶିକ୍ଷାବର୍ଷରେ ୪ ହଜାର ୭୩ଟି ସିଟ୍‌ ହ୍ରାସ କରାଯାଇଛି। ତଥାପି ପିଲା ହେଉନାହାନ୍ତି। ଚଳିତବର୍ଷ ଏବେ ସୁଦ୍ଧା ମାତ୍ର ୨୦ ପ୍ରତିଶତ ସିଟ୍‌ ପୂରଣ ହୋଇଛି। ଆହୁରି ୮୦ ପ୍ରତିଶତ ସିଟ୍‌ ଖାଲି। ପ୍ରତିବର୍ଷ ପରି ଏଥର ମଧ୍ୟ ସମାନ ସ୍ଥିତି ଉପୁଜିଥିବାରୁ ଇଞ୍ଜିନିୟରିଂ କଲେଜ କର୍ତୃପକ୍ଷ ଚିନ୍ତା ପ୍ରକଟ କରିଛନ୍ତି। କିଭଳି ଓ କେଉଁ ଉପାୟ‌ରେ ସିଟ୍‌ ପୂରଣ କରିବେ, ତାହାକୁ ନେଇ ସେମାନଙ୍କ ମଧ୍ୟରେ ଭାଳେଣି ପଡ଼ିଲାଣି। ଏପରିକି କିଛି କଲେଜ ଆସନ୍ତା ଶିକ୍ଷାବର୍ଷଠାରୁ ବିଲଡିଂରେ ତାଲା ପକାଇବାକୁ ଯୋଜନା କରୁଥିବା ଜଣାପଡ଼ିଛି।

ଓଜେଇଇ ପକ୍ଷରୁ ଦୁଇଟି ପର୍ଯ୍ୟାୟ ନାମଲେଖା ଶେଷ ହେବା ପରେ ଏବେ ଯେଉଁ ଚିତ୍ର ପଦାକୁ ଆସିଛି, ତାହା ଆଶ୍ଚର୍ଯ୍ୟ କରିବା ଭଳି। ଚଳିତବର୍ଷ ମୋଟ ୩୪ହଜାର ୨୨୩ ସିଟ୍‌ରେ ନାମଲେଖା କରିବାକୁ ସ୍ଥିର ହୋଇଛି। ତେବେ ଦୁଇଟି ପର୍ଯ୍ୟାୟରେ ମାତ୍ର ୭ ହଜାର ୧୦୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଆହୁରି ୨୭ ହଜାରରୁ ଅଧିକ ସିଟ୍‌ରେ ପିଲା ନାହାନ୍ତି। ଏହି ଦୁଇ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟାରେ ସରକାରୀ କଲେଜଗୁଡ଼ିକରେ ଥିବା ୪୨୮୮ ସିଟ୍‌ ମଧ୍ୟରୁ ଅଧିକାଂଶ ପୂରଣ ହୋଇଛି। ନିଯୁକ୍ତି ଲାଗି ଡିମାଣ୍ଡ ଥିବା ପ୍ରମୁଖ ବିଷୟଗୁଡ଼ିକ ପ୍ରାୟତଃ ପୂରଣ ହୋଇଯାଇଛି। ତେବେ ଯେଉଁ ବିଷୟର ଡିମାଣ୍ଡ ନାହିଁ, ସେଥିରେ ନାମ ଲେଖାଇବାକୁ ଛାତ୍ରଛାତ୍ରୀ ଆଗ୍ରହ ପ୍ରକାଶ କରୁନାହାନ୍ତି। ଫଳସ୍ବରୂପ ଏବେ ୧୫ରୁ ୨୦ପ୍ରତିଶତ ସିଟ୍‌ ଖାଲି ରହିଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଘ‌ରୋଇ କଲେଜଗୁଡ଼ିକ ଉପରେ ଏଥର ପୁଣିଥରେ ଚଡ଼କ ପଡ଼ିଛି। ୮୦ଟି ଇଞ୍ଜିନିୟରିଂ କଲେଜରେ ଥିବା ୩୦ ହଜାର ୬୧ଟି ସିଟ୍‌ ମଧ୍ୟରୁ ପ୍ରାୟ ୩୫୦୦ସିଟ୍‌ ପୂରଣ ହୋଇଛି। ଯାହାକି ଘରୋଇ କଲେଜରେ ଥିବା ମୋଟ ସିଟ୍‌ର ମାତ୍ର ୧୨ ପ୍ରତିଶତ। ଆହୁରି ୮୮ ପ୍ରତିଶତ ସିଟ୍‌ ଖାଲି ରହିଛି। ପ୍ରମୁଖ ତଥା ନାମକରା ଇଞ୍ଜିନିୟରିଂ କଲେଜର ଅଧିକାଂଶ ସିଟ୍‌ ପୂରଣ ହୋଇଥିବା ଜଣାପଡ଼ିଛି।

ଏବେ ସମସ୍ତଙ୍କ ନଜର ସ୍ବତନ୍ତ୍ର ଓଜେଇଇରେ ରୢାଙ୍କ କାର୍ଡ ପାଇଥିବା ୬ ହଜାର ୧୧୬ଜଣ ଛାତ୍ରଛାତ୍ରୀଙ୍କ ଉପରେ। ସେମାନଙ୍କ ପାଇଁ କାଉନସେଲିଂ ଆରମ୍ଭ ହେବାକୁ ଯାଉଛି। ଯଦି ରୢାଙ୍କ କାର୍ଡ ପାଇଥିବା ସମସ୍ତ ଛାତ୍ରଛାତ୍ରୀ ନାମ ଲେଖାଇବେ, ତେବେ ୧୩ ହଜାର ୨୬୬ ସିଟ୍‌ ପୂରଣ ହେବ। ଆହୁରି ୨୧ ହଜାର ସିଟ୍‌ ବଳକା ରହିବା ଏକପ୍ରକାର ଥୟ। ଏଥରକ ଆହୁରି କମିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ସ୍ବତନ୍ତ୍ର ‌ଓଜେଇଇରେ ରୢାଙ୍କ କାର୍ଡ ପାଇଥିବା ସମସ୍ତ ଛାତ୍ରଛାତ୍ରୀ ଯେ ନାମ ଲେଖାଇବେ, ତାହାର କିଛି ମାନେ ନାହିଁ। କାରଣ ବି.ଟେକ୍‌ ପାଇଁ ୧୨ ହଜାର ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା‌ ବେଳେ ନାମ ଲେଖାଇଲେ ମାତ୍ର ୭ ହଜାର ୧୦୦। ସେହି ଦୃଷ୍ଟିରୁ ଦେଖିଲେ, ଏଥର ୧୧ରୁ ୧୨ହଜାର ଛାତ୍ରଛାତ୍ରୀ ନାମ ଲେଖାଇବେ ବୋଲି ଆକଳନ କରାଯାଉଛି। କେବଳ ଯେ ଏହି ବର୍ଷ ସିଟ୍‌ ଖାଲି ପଡ଼ିଛି, ତାହା ନୁହେଁ। ଗତ ୫ବର୍ଷ ହେଲା ସ୍ଥିତି ଅଧିକ ଜଟିଳ ହୋଇଛି। ଓଜେଇଇ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୪ରେ ୧୫ ହଜାର ୯୦୨ ସିଟ୍‌ ପୂରଣ ହୋଇଥିବା ବେଳେ ୨୦୧୫ରେ ୧୮ ହଜାର ୬୩୧, ୨୦୧୬‌ରେ ୧୮ ହଜାର ୭୬, ୨୦୧୭ ଓ ୨୦୧୮ରେ ପ୍ରାୟ ୧୩ ହଜାର ସିଟ୍‌ ପୂରଣ ହୋଇଥିଲା।

ଓଡ଼ିଶା ଘରୋଇ ଇଂଜିନିୟରିଂ କଲେଜ ସଂଘ (ଓପେକା)ର ସଂପାଦକ ବିନୋଦ ଦାଶଙ୍କ କହିବା ଅନୁଯାୟୀ, ଏବେ ପ୍ରଥମ ପର୍ଯ୍ୟାୟ କାଉନସେଲିଂ ସରିଛି। ଆଗକୁ ସ୍ବତନ୍ତ୍ର ଓଜେଇଇର କାଉନସେଲିଂରୁ କିଛି ଛାତ୍ରଛ‌ାତ୍ରୀ ନାମ ଲେଖାଇବେ। ଏହା ପରେ କଲେଜସ୍ତରରେ ନାମଲେଖା ହେବ। ତେବେ ତଥାପି କିଛି ସିଟ୍‌ ଖାଲି ରହିବ।

ସମ୍ବନ୍ଧିତ ଖବର