ଇଞ୍ଜିନିୟରିଂ କଲେଜରେ ସିଟ୍ପୂରଣ ଚିନ୍ତା : ବାହାର ରାଜ୍ୟର ପିଲାଙ୍କ ପାଇଁ ୨୫% ସିଟ୍, ଓପେକାର ସ୍ୱାଗତ, ଛାତ୍ର ସଂଘର ବିରୋଧ
ଭୁବନେଶ୍ୱର : ଘରୋଇ ଇଞ୍ଜିନିୟରିଂ କଲେଜରେ ଖାଲି ପଡ଼ୁଥିବା ସିଟ୍ ପୂରଣ ପାଇଁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଘରୋଇ କଲେଜଗୁଡ଼ିକରେ ଥିବା ମୋଟ ସିଟ୍ ମଧ୍ୟରୁ ୨୫%ରେ ବାହାର ରାଜ୍ୟର ଛାତ୍ରଛାତ୍ରୀଙ୍କ ନାମଲେଖାକୁ ନିଷ୍ପତ୍ତିି ହୋଇଛି। ପୂର୍ବରୁ ୧୫ ପ୍ରତିଶତ ସିଟ୍ରେ ବାହାର ରାଜ୍ୟର ପିଲା ନାମ ଲେଖାଉଥିବା ବେଳେ ଏଣିକି ବାହାର ରାଜ୍ୟର ଛାତ୍ରଛାତ୍ରୀ ୨୫ ପ୍ରତିଶତ ସିଟ୍ରେ ନାମଲେଖାଇ ପାରିବେ। ଏଭଳି ନିଷ୍ପତ୍ତିକୁ ଓଡ଼ିଶା ଘରୋଇ ଇଞ୍ଜିନିୟରିଂ କଲେଜ ସଂଘ(ଓପେକା) ସ୍ୱାଗତ କରିଥିବା ବେଳେ ଛାତ୍ର ସଙ୍ଗଠନଗୁଡ଼ିକ ବିିରୋଧ କରିଛନ୍ତି।
ଓପେକା ସମ୍ପାଦକ ବିନୋଦ ଦାସ କହିଛନ୍ତି ଯେ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ସିଟ୍ ଖାଲି ପଡ଼ୁଥିବାରୁ ତାହା ପୂରଣ ଦିଗରେ ଏହା ଭଲ ନିଷ୍ପତ୍ତି। ଏହାଦ୍ୱାରା ବିହାର, ଝାଡ଼ଖଣ୍ଡ, ଛତିଶଗଡ଼ରୁ ବହୁତ ପିଲା ଓଡ଼ିଶାକୁ ପଢ଼ିବାକୁ ଆସିବେ। କିଛି ସିଟ୍ ପୂରଣ ହେିବ। ୪୦ ପ୍ରତିଶତ ସିଟ୍ରେ ବାହାର ରାଜ୍ୟର ପିଲାଙ୍କ ନାମଲେଖା କରାଇବା ପାଇଁ ୩ ବର୍ଷ ତଳେ ଓପେକା ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଥିଲା। ଏବେ ୨୫ ପ୍ରତିଶତକୁ ବଢ଼ାଯାଇଛି। ଆଗକୁ ଆହୁରି ଅଧିକ ବଢ଼ିବ ବୋଲି ଆଶା ରଖିଛୁ।
ଓଡ଼ିଶା ବୈଷୟିକ ଓ ବୃତ୍ତିଗତ ଛାତ୍ର ସଂଘର ଆବାହକ ବିପ୍ଲବ ପ୍ରକାଶ ମହାନ୍ତି କହିଛନ୍ତି ଯେ ଘରୋଇ କଲେଜରେ ଥିବା ମୋଟ ସିଟ୍ ମଧ୍ୟରୁ ଏସ୍ଟି, ଏସ୍ସି, ଭିନ୍ନକ୍ଷମଙ୍କ ପ୍ରାୟ ୫୦ ପ୍ରତିଶତ ସିଟ୍ ସଂରକ୍ଷଣ ରଖାଯାଉଛି। ବାକି ସାଧାରଣ ବର୍ଗଙ୍କ ଲାଗି ୫୦ ପ୍ରତିଶତ ରହୁଛି। ଯଦି ସେଥିରୁ ୨୫ ପ୍ରତିଶତ ସିଟ୍ ବାହାର ରାଜ୍ୟର ପିଲାଙ୍କ ପାଇଁ ସଂରକ୍ଷଣ ରହିବ ତେବେ ଓଡ଼ିଶାର ପିଲା ଭଲ କଲେଜରେ ପଢ଼ିବାରୁ ବଞ୍ଚିତ ହେବେ। ଜେଇଇ ମେନ୍ରେ ଓଡ଼ିଶାର ପିଲା ୫୦୦ ର୍ୟାଙ୍କ ହାସଲ କରି ସିଟ୍ ପାଇବନି। ହେଲେ ବାହାର ରାଜ୍ୟର ପିଲା ୧୦ ହଜାର ର୍ୟାଙ୍କ ପାଇଥିଲେ ମଧ୍ୟ ସିଟ୍ ପାଇଯିବେ।
ସେ ଆହୁରି ଅଭିଯୋଗ କହିଛନ୍ତି ଯେ ବାହାର ରାଜ୍ୟର ପିଲାଙ୍କ ଲାଗି ଯେତିକି ସିଟ୍ ସଂରକ୍ଷଣ ରହିଛି ତାହା ପୂରଣ ହେଉ ନାହିଁ। ୨୦୧୭ରେ ବାହାର ରାଜ୍ୟର ପିଲାଙ୍କ ପାଇଁ ୨୫୦୦ ସିଟ୍ ସଂରକ୍ଷଣ ରହିଥିଲା। ସେଥିରୁ ୨୩୬୧ ସିଟ୍ ଖାଲି ପଡ଼ିଥିଲା। ଏବେ ୨୫% ସଂରକ୍ଷଣର କ’ଣ ଆବଶ୍ୟକତା ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି।