ପୁରୀ : ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଓ ଭିଡିଓ ଭାଇରାଲ୍‌ ପରେ ଶେଷରେ ଶ୍ରୀମନ୍ଦିର ପ୍ରଶାସନ କଡ଼ା ଆଭିମୁଖ୍ୟ ପୋଷଣ କରିଛି। ଶ୍ରୀମନ୍ଦିର ସେବାୟତ, ଅଧିକାରୀମାନେ ଶ୍ରୀମନ୍ଦିରକୁ ସ୍ମାର୍ଟଫୋନ ନେବା ଉପରେ କଟକଣା ଲଗାଯାଇଛି। କେବଳ କି-ପ୍ୟାଡ୍‌ ମୋବାଇଲ୍‌ (କ୍ୟାମେରା ନଥିବା ଫୋନ୍‌) ନେବାକୁ ଅନୁମତି ମିଳିବ। ଜାନୁଆରି ୧ରୁ ଏହି କଟକଣା ଲାଗୁ ହେବ। ବୁଧବାର ଦିନ ଶ୍ରୀମନ୍ଦିର ଛତିଶା ନିଯୋଗ ଏହି ନିଷ୍ପତ୍ତିରେ ମୋହର ମାରିଛି। ସେପଟେ ଡିସେମ୍ବର ୧୬ରୁ ପହିଲି ଭୋଗ ନୀତି ଆରମ୍ଭ ହେଉଥିବାବେଳେ ବୁଧବାର ଦିନ ଏହାର ନୀତିକାନ୍ତିରେ ବି ମୋହର ବାଜିଛି।

Advertisment

ପହିଲି ଭୋଗ ଓ ଅନ୍ୟାନ୍ୟ ସମସ୍ୟା ନେଇ ଆଜି ଉଭୟ ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶାନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ଛତିଶାନିଯୋଗ ନାୟକଙ୍କ ସହ ବିଭିନ୍ନ ନିଯୋଗର ସଭାପତି, ସଂପାଦକ, ବରିଷ୍ଠ ସେବାୟତମାନେ ଉପସ୍ଥିତ ଥିଲେ। ବୈଠକ ପରେ ସୂଚନା ଦେଇ ମୁଖ୍ୟ ପ୍ରଶାସକ ଶ୍ରୀ ଯାଦବ କହିଛନ୍ତି, ଆସନ୍ତା ଡିସେମ୍ବର ୧୬ରୁ ଜାନୁଆରି ୧୪ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ଅନୁଷ୍ଠିତ ହେବ। ଛତିଶାନିଯୋଗର ସହମତିକ୍ରମେ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି।

ଛତିଶାନିଯୋଗ ନିଷ୍ପତ୍ତିକ୍ରମେ ଶ୍ରୀମନ୍ଦିର ସେବାୟତ ଓ ଅଧିକାରୀଙ୍କ ଉପରେ ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟଫୋନ ନେବାରେ କଟକଣା ଲଗାଯାଇଛି। ଜାନୁଆରି ୧ ତାରିଖଠାରୁ କେହି ବି ସେବାୟତ ଓ ଅଧିକାରୀ ଶ୍ରୀମନ୍ଦିରକୁ ସ୍ମାର୍ଟଫୋନ୍ ନେଇପାରିବେନି। ଗର୍ଭଗୃହ ଫଟୋ ଓ ଭିଡିଓ ଭାଇରାଲ୍‌ ପରେ ଏହି ପଦେକ୍ଷପ ନିଆଯାଇଛି ବୋଲି ଶ୍ରୀ ଯାଦବ କହିଛନ୍ତି। ଯେଉଁ ସେବାୟତ, ଅଧିକାରୀମାନେ ଶ୍ରୀମନ୍ଦିରକୁ ମୋବାଇଲ୍‌ ନେବାକୁ ଚାହିଁବେ, ସେମାନେ କ୍ୟାମେରା ନ ଥିବା ଛୋଟ କି-ପ୍ୟାଡ୍‌ ଫୋନ୍‌ ନେଇ ଯାଇପାରିବେ। କେବଳ କମାଣ୍ଡର ସ୍ମାର୍ଟଫୋନ୍‌ ଶ୍ରୀମନ୍ଦିରକୁ ନେଇପାରିବେ। ଯେହେତୁ ଦୈନିକ ନୀତିକାନ୍ତି ସ୍ମାର୍ଟଫୋନ୍‌ରେ ଛଡ଼ାଯାଉଛି, ଏଥିରେ ଅସୁବିଧା ଦୃଷ୍ଟିରୁ କମାଣ୍ଡରଙ୍କୁ ସ୍ମାର୍ଟଫୋନ୍‌ ନେବାକୁ ଅନୁମତି ଦିଆଯାଇଛି। ଏଥିସହ ସେବାୟତ ଜମିଜମା ସମସ୍ୟା ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ବୋଲି ଶ୍ରୀ ମହାସୁଆର କହିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ଜିଲ୍ଲା ପୁଲିସ ଶ୍ରୀମନ୍ଦିର ଦାୟିତ୍ବରେ ରହୁଥିବା ଅଧିକାରୀଙ୍କ ସ୍ମାର୍ଟଫୋନ୍‌ ‌ବ୍ୟବହାରରେ କଟକଣା ଲଗାଯାଇଛି।