ପୁରୀରେ ଚାଞ୍ଚଲ୍ୟ: ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା

ପୁରୀ: ଶ୍ରୀକ୍ଷେତ୍ରରେ ଖେଳିଯାଇଛି ଚାଞ୍ଚଲ୍ୟ | ଆଜି ପୁରୀରେ ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି | ଦୃବୁର୍ତ୍ତଙ୍କ ଗୁଳିମାଡରେ ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ତଥା ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ମୃତ୍ୟୁ ଘଟିଛି |

ମିଳିଥିବା ସୂଚନା ମୁତାବକ ଆଜି ପୁରୀ ଟାଉନ ଥାନା ଅନ୍ତର୍ଗତ ବାରବାଟୀ ଜାଗା ନିକଟରେ କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା କରାଯାଇଛି | ବହୁଚର୍ଚ୍ଚିତ ଗୁନ ସିଂହରୀ ହତ୍ୟାକାଣ୍ଡର ମାମଲାରେ ସମ୍ପୃକ୍ତ କାଳିଆ ଓରଫ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ହତ୍ୟା କରାଯାଇଛି।

ପ୍ରାଥମିକ ସୂଚନା ଅନୁସାରେ, ବାରବାଟୀ ଜାଗାର ଉନ୍ନତିମୂଳକ କାର୍ଯ୍ୟ ଦାୟିତ୍ୱରେ ଥିଲେ କୃଷ୍ଣଚନ୍ଦ୍ର । ଆଜି ସକାଳେ  ହଠାତ୍ କିଛି ଦୁର୍ବୃତ୍ତ ସେଠାକୁ ଆସି ତାଙ୍କ ମୁଣ୍ଡକୁ ଗୁଳିମାଡ଼ କରିଥିଲେ । ଦୁଇ ଜଣ ଦୃବୁର୍ତ୍ତ ତାଙ୍କ ମୁଣ୍ଡକୁ ଅତି ନିକଟରୁ ଦୁଇ ରାଉଣ୍ଡ ଗୁଳି ମାରିଥିଲେ | ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୁରୀ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ କୃଷ୍ଣଚନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

ପୁରୀର ବହୁଚର୍ଚ୍ଚିତ ଗୁନ ସିଂହରୀ ହତ୍ୟାକାଣ୍ଡ ମାମଲାରେ ପୂର୍ବରୁ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ପୁଲିସ ଗିରଫ କରିଥିଲା | କିନ୍ତୁ ପ୍ରମାଣ ଅଭାବରୁ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା | ତେବେ ଏହି ଘଟଣା ସହ ତାଙ୍କର ହତ୍ୟାର ସଂଯୋଗ ଥାଇପାରେ ବୋଲି ସନ୍ଦେହ କରାଯାଉଛି। ତେବେ କେଉଁ କାରଣରୁ ସେବାୟତ ଜଣକୁ ହତ୍ୟା କରାଯାଇଛି ତାହାର ତଦନ୍ତ କରୁଛି ପୁଲିସ। ତାଜା ସୂଚନା ମୁତାବକ ବର୍ତ୍ତମାନ ପୁରୀ ମେଡିକାଲରେ ଜିଲ୍ଲାପାଳ ଓ ଏସପି ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର