ଛତିଶା ନିଯୋଗ ବୈଠକକୁ ସେବକଙ୍କ ବର୍ଜନ

ପୁରୀ: ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପରିଚାଳନା କମିଟିର ସତ୍ୟପାଠ ତଥ୍ୟକୁ ନେଇ ସେବାୟତମାନଙ୍କ ମଧ୍ୟରେ କୁହୁଳୁଛି ଅସନ୍ତୋଷ। ସେବାୟତଙ୍କ ସଂଖ୍ୟା ସୀମିତ କରିବା ଓ ସର୍ତ୍ତଭିତ୍ତିକ ନିଯୁକ୍ତି ପାଇଁ ତଥ୍ୟ ଦାଖଲ କରାଯିବା ବିରୋଧରେ ଭୀଷଣ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସେବକ ସମୂହ। ଏପରିକି ଆଜି ମନ୍ଦିର ପ୍ରଶାସନ ଡାକିଥିବା ଛତିଶା ନିଯୋଗ ବୈଠକକୁ ବି ବର୍ଜନ କରିଛନ୍ତି। ଛତିଶା ନିଯୋଗ ବୈଠକରେ ସେବକମାନେ ସାମିଲ୍‌ ନହେବାରୁ ମୁଖ୍ୟ ପ୍ରଶାସକ ଫେରି ଯାଇଛନ୍ତି। ଫଳରେ ପ୍ରଶାସନ ଓ ସେବକଙ୍କ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ସୁପ୍ରିମ୍‌କୋର୍ଟରେ ସେବାୟତଙ୍କ ସଂଖ୍ୟା ହ୍ରାସ ଓ ନିଯୁକ୍ତି ନେଇ ଦାଖଲ ସତ୍ୟପାଠ ସେବାୟତ ସ୍ବାର୍ଥ ବିରୋଧୀ। ପ୍ରଶାସନ ଶ୍ରୀମନ୍ଦିରର ସମସ୍ତ ପରମ୍ପରାକୁ ଉଜାଡ଼ି ଦେବାକୁ ବସିଛି। ସେବାୟତଙ୍କୁ ଶ୍ରୀମନ୍ଦିରରୁ ଉଚ୍ଛେଦ କରିବାକୁ ଯୋଜନା କରିଛି। ଏପରି ଅଭିଯୋଗ ଆଣିଛନ୍ତି ସେବକମାନେ। ପ୍ରଶାସନ ସତ୍ୟପାଠରେ ଦେଇଥିବା ବିଡି ଶର୍ମାଙ୍କ ରିପୋର୍ଟରେ ୩୬ ଜଣ ସେବକଙ୍କୁ ନେଇ ଦୈନନ୍ଦିନ ନୀତି ହୋଇପାରିବ ବୋଲି ଦର୍ଶାଯାଇଛି। ସେହିପରି ରଥଯାତ୍ରା ପାଇଁ ୧୦ ଜଣ ଦଇତା ହେଲେ ନୀତି ହୋଇପାରିବ ବୋଲି ସେଥିରେ ତଥ୍ୟ ରହିଛି। ଏହି ତଥ୍ୟ ଦେଇ ମନ୍ଦିର ପ୍ରଶାସନ ସେବକଙ୍କ ତଣ୍ଟି ଚିପିବାକୁ ଉଦ୍ୟମ କରିଛି। ଏହା ବିରୋଧରେ ତେଜିଛନ୍ତି ସେବକମାନେ। ଆଜି ପ୍ରଶାସନ ଦ୍ବାରା ଆହୂତ ଛତିଶା ନିଯୋଗ ପୂର୍ବରୁ ଗତକାଲି ଛତିଶା ନିଯୋଗ ବୈଠକ ଡାକି ପ୍ରଶାସନର ବୈଠକକୁ ବର୍ଜନ କରିବା ପାଇଁ ଶପଥ କରିଥିଲେ।

ଆଜି ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ମୁଖ୍ୟ ପ୍ରଶାସକଙ୍କ ସମେତ ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ, ଏସ୍‌ପି ଓ ଅନ୍ୟ ଅଧିକାରୀମାନେ ବୈଠକ ପାଇଁ ଅପେକ୍ଷା କରିଥିଲେ। ହେଲେ ସେବକମାନେ ଆସିନଥିଲେ। କେହି ନଆସିବାରୁ ବୈଠକକୁ ଆସିବା ପାଇଁ କିଛି ପୁରୁଖା ସେବକଙ୍କୁ ଅନୌପଚାରିକ ସୂଚନା ପଠାଯାଇଥିଲା। ମାତ୍ର ସେବକମାନେ ତାହାକୁ ଉପେକ୍ଷା କରିଥିଲେ। ଫଳରେ ପ୍ରଶାସକମାନେ ଫେରି ଯାଇଥିଲେ। ଆଜିର ବୈଠକରେ ଚନ୍ଦନ ଯାତ୍ରା ନୀତି ଅନୁମୋଦନ ହେବାର ଥିଲା। ବୈଠକ ନହେବାରୁ ଏହି ନୀତି ଖସଡ଼ାକୁ ଛତିଶା ନିଯୋଗର ଅନୁମୋଦନ ମିଳିପାରିନାହିଁ।

ସମ୍ବନ୍ଧିତ ଖବର