ବିନା କୋଭିଡ କଟକଣାରେ ପୌର ନିର୍ବାଚନ ପ୍ରଚାର ହୋଇପାରିବ: ରାଜ୍ୟ ନିର୍ବାଚନ କମିସନର

ଭୁବନେଶ୍ବର: ବିନା କୋଭିଡ କଟକଣାରେ ପୌର ନିର୍ବାଚନ ପ୍ରଚାର ହୋଇପାରିବ। ଏନେଇ ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟରେ କୋଭିଡ ପଜିଟିଭିଟି ହାର ହ୍ରାସ ପାଇଥିବାରୁ ପୌର ନିର୍ବାଚନ ପ୍ରଚାରରେ କୌଣସ କରୋନା କଟକଣା ନାହିଁ। ସାଧାରଣ ଭାବେ ଯେମିତି ପ୍ରଚାର କରାଯାଏ, ସେମିତି ପ୍ରଚାର କରାଯାଇପାରିବ। ତେବେ ଯଦି ଆଗକୁ ରାଜ୍ୟରେ କରୋନା ସଂକ୍ରମଣ ବଢ଼େ, ତେବେ ପୁଣି କଟକଣା ଲାଗୁ କରାଯିବ।

ରାଜ୍ୟ ନିର୍ବାଚନ କମିସନର ଆହୁରି ମଧ୍ୟ କହିଛନ୍ତି, ପ୍ରତି ପୋଲିଂ ଟିମରେ ଜଣେ ପ୍ରିଜାଇଡିଂ ଅଫିସର ଓ ୪ ପୋଲିଂ ଅଫିସର ରହିବେ। ଏଥର ପୋଲିଂ କର୍ମଚାରୀ ଚାହିଁଲେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରି ପାରିବେ।

ରାଜ୍ୟର ୧୦୭ଟି ପୌରସଂସ୍ଥା ଓ ୩ଟି ମହାନଗର ନିଗମର ମୋଟ ୪୫୮୪ଟି ବୁଥରେ ଇଭିଏମ୍ ମାଧ୍ୟମରେ ଭୋଟ ଗ୍ରହଣ କରାଯିବ।  ପ୍ରଥମ ଥର ପାଇଁ ପୌରସଂସ୍ଥା ନିର୍ବାଚନରେ ନୋଟା ବିକଳ୍ପ ବ୍ୟବହାର ହେବ।  ଇଭିଏମର ସବାଶେଷରେ ନୋଟା ବଟନ୍ ରହିବ ।

ନିର୍ବାଚନ ମଇଦାନରେ ଭୋଟରଙ୍କ ମନପସନ୍ଦର ପ୍ରାର୍ଥୀ ନଥିଲେ ଭୋଟରମାନେ ନୋଟା ବ୍ୟବହାର କରିପାରିବ । ପୌର ନିର୍ବାଚନ ପାଇଁ ପ୍ରତ୍ୟେକ ବୁଥରେ ଦୁଇଟି ଲେଖାଏଁ ଇଭିଏମ୍ ରହିବ । ସେଥିରୁ ଗୋଟିଏ କର୍ପୋରେଟର/କାଉନ୍ସିଲର ନିର୍ବାଚନ ପାଇଁ ଓ ଅନ୍ୟଟି ଅଧ୍ୟକ୍ଷ/ମେୟର ନିର୍ବାଚନ ପାଇଁ ବ୍ୟବହୃତ ହେବା କର୍ପୋରେଟର/କାଉନ୍ସିଲର ପ୍ରାର୍ଥୀମାନଙ୍କ ପାଇଁ ଗୋଲାପି ରଙ୍ଗର ବାଲାଟ୍ ପେପର ଓ ଅଧ୍ୟକ୍ଷ/ମେୟର ପ୍ରାର୍ଥୀମାନଙ୍କ ପାଇଁ ହଳଦିଆ ରଙ୍ଗର ବାଲାଟ୍ ପେପର ନିର୍ବାଚନରେ ବ୍ୟବସ୍ଥା କରାଯିବ।

ଏହାଛଡ଼ା ଭୋଟରମାନଙ୍କ ସୁବିଧା ନିମନ୍ତେ କର୍ପୋରେଟର/କାଉନସିଲର  ପ୍ରାର୍ଥୀମାନଙ୍କ ପାଇଁ ଉଦ୍ଦିଷ୍ଟ ଇଭିଏମ୍ ଉପରେ ଗୋଲାପି ରଙ୍ଗର ଗୋଲ ଷ୍ଟିକର ଓ ଅଧ୍ୟକ୍ଷ/ମେୟର ପ୍ରାର୍ଥୀମାନଙ୍କ ପାଇଁ ଉଦ୍ଦିଷ୍ଟ ଇଭିଏମ୍ ଉପରେ ହଳଦିଆ ରଙ୍ଗର ଗୋଲ ଷ୍ଟିକର ଲଗାଯିବା ଏହା ଦ୍ୱାରା କେଉଁ ପ୍ରାର୍ଥୀଙ୍କୁ କେଉଁ ଇଭିଏମରେ ଭୋଟ ଦେବାକୁ ହେବ, ତାହା ସହଜରେ ଭୋଟରମାନେ ଜାଣିପାରିବ ।  ପ୍ରତ୍ୟେକ ବୁଥ୍ ମଧ୍ୟରେ ମତଦାନ କରିବା ନିମନ୍ତେ ଦୁଇଟି ମତଦାନ ପ୍ରକୋଷ୍ଠ ରହିଛିା ପ୍ରଥମେ ଭୋଟରମାନେ ପ୍ରଥମ ପ୍ରକୋଷ୍ଠକୁ ଯାଇ ଆଗ ଅଧ୍ୟକ୍ଷ/ମେୟର ପଦବୀ ନିମନ୍ତେ ଥିବା ପ୍ରାର୍ଥୀଙ୍କୁ ମତଦାନ କରିସାରି ଦ୍ୱିତୀୟ ପ୍ରକୋଷ୍ଠକୁ ଯିବେ ଓ ସେଠାରେ କର୍ପୋରେଟର/କାଉନ୍ସିଲର ପଦବୀ ନିମନ୍ତେ ଥିବା ପ୍ରାର୍ଥୀଙ୍କୁ ମତଦାନ କରିବେ ବୋଲି ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି । ସେହିପରି ପୌର ନିର୍ବାଚନରେ ଦୃଷ୍ଟିହୀନ ଭୋଟରମାନଙ୍କ ପାଇଁ ବ୍ରେଲି ବାଲାଟ ପେପର ସୁବିଧା କରାଯାଇଛି।

ସମ୍ବନ୍ଧିତ ଖବର