ଭଦ୍ରକ: ଚତୁର୍ଥ ଓଡ଼ିଆ ତଥା ସର୍ବକନିଷ୍ଠ ମହିଳା ଭାବେ ଭଦ୍ରକର ସେକ୍ ସୋଫିଆ ଚଳିତବର୍ଷ ମର୍ଯ୍ୟାଦାଜନକ ‘ଯମନାଲାଲ୍ ବଜାଜ୍’ ପୁରସ୍କାର ପାଇବେ। ଅସହାୟ ମହିଳାମାନଙ୍କ ପାଇଁ କାମ କରୁଥିବା ସ୍ବେଚ୍ଛାସେବୀ ସଂଗଠନ ‘ସୋସାଇଟି ଫର୍ ଉଇକର୍ କମ୍ୟୁନିଟି’ (ଆସିୟାନା)ର ସମ୍ପାଦିକା ଅଛନ୍ତି ସେକ୍ ସୋଫିଆ। ସମାଜ ନିର୍ମାଣ, ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ, ମହିଳା ଓ ଶିଶୁ ବିକାଶ, ଗାନ୍ଧୀବାଦୀ ବ୍ୟକ୍ତିତ୍ବ, ସାଂଗଠନିକ ସେବା ତଥା ସାମାଜିକ ଉନ୍ନୟନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୧୯୭୮ ମସିହାରୁ ଯମ୍ନାଲାଲ ବଜାଜ୍ ପୁରସ୍କାର ପ୍ରଦାନ କରାଯାଇଆସୁଛି।
୧୯୭୮ ମସିହାରେ ପ୍ରଥମଥର ବିଜ୍ଞାନ ବୈଷୟିକ ଜ୍ଞାନକୌଶଳ ପାଇଁ ଜଗତମୋହନ ଡାଭେ, ସତୀଶ ଚନ୍ଦ୍ର ଦାସଗୁପ୍ତାଙ୍କୁ ପ୍ରଦାନ କରାଯାଇଥିବା ବେଳେ ୨୦୨୧ ମସିହାରେ ସମାଜଗଠନ ପାଇଁ ଧର୍ମପାଲ ଶାଳିନୀ, ବିଜ୍ଞାନ ପାଇଁ ଡ.ଲାଲ୍ ସିଂ, ମହିଳା ଓ ଶିଶୁ ବିକାଶ ପାଇଁ ଲକି କୋରିୟାନ, ଅନ୍ତର୍ଜାତୀୟ ସେବା ପାଇଁ ଡେଭିଡ୍ ଆଲବର୍ଟଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ତେବେ ଓଡ଼ିଶାରେ ମହିଳା ଶିଶୁ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ୧୯୮୧ ମସିହାରେ ରମା ଦେବୀ, ୧୯୮୮ ମସିହାରେ ମାଳତୀ ଚୌଧୁରୀ, ୧୯୯୯ ମସିହାରେ ବାଲେଶ୍ବରର ସମାଜସେବୀ ଶାନ୍ତିଦେବୀ ଏହି ପୁରସ୍କାର ପାଇଥିଲେ। ପ୍ରତିବର୍ଷ ଭାରତର ମହାମହିମ୍ ରାଷ୍ଟ୍ରପତି, ଉପରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହି ପୁରସ୍କାର ପ୍ରଦାନ କରୁଥିବାବେଳେ ଚଳିତବର୍ଷ ମୁଖ୍ୟଅତିଥି ଭାବେ ବିଶିଷ୍ଟ ବୈଜ୍ଞାନିକ ତଥା ବିଜ୍ଞାନ ବୈଷୟିକ ଜ୍ଞାନ ସଂସ୍ଥାନର ପୂର୍ବତନ ନିର୍ଦ୍ଦେଶକ ଡ. ଆର.ଏ.ମାସ୍କେକର ଏହି ପୁରସ୍କାର ପ୍ରଦାନ କରିବେ।
ଆସନ୍ତା ୯ ତାରିଖରେ ମୁମ୍ବାଇର ଗିରଗାମ ରୟାଲ୍ ଅପେରା ହାଉସ୍ରେ ଏକ ନିରାଡମ୍ବର ଉତ୍ସବରେ ଏହି ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ। ସେକ୍ ସୋଫିଆଙ୍କ ସହ ମଧ୍ୟପ୍ରଦେଶର ‘ସଂପର୍କ’ ସମାଜସେବା ସଂସ୍ଥାନର ସଂପାଦକ ତଥା ବିଶିଷ୍ଟ ଗାନ୍ଧିବାଦୀ ନିଲେଶ ଦେଶାଇ, ଗୁଜୁରାଟର ପ୍ରଖ୍ୟାତ ବୈଜ୍ଞାନିକ ମନସୁଖ ଭାଇ ପ୍ରଜାପତି, ଅନ୍ତର୍ଜାତୀୟ ସେବା ପାଇଁ ଲେବାନନର ୟୁନିଭରସିଟି କଲେଜ ଫର୍ ନନ୍ ଭାଓଲେନ୍ସର ସହକାରୀ ସଂସ୍ଥାପକ ଡ.ଅଗ୍ରିଟ ୟୁନାନଙ୍କୁ ମଧ୍ୟ ସମ୍ମାନିତ କରାଯିବ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/bls-4.jpg)