ଉତ୍କଳ ବିଶ୍ବବିଦ୍ୟାଳୟ ଏକ ବିଚାରଧାରା: ଅରୁଣ

ପୁରାତନ ଛାତ୍ରସଂଘର ଦ୍ବିତୀୟ ବାର୍ଷିକ ଉତ୍ସବ

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟ କେବଳ ଗୋଟିଏ ଅନୁଷ୍ଠାନ ନୁହେଁ, ଏହା ଏକ ବିଚାରଧାରା। ଏଇଠାରୁ ପାଠ ପଢ଼ିଥିବା ଅନେକ ପୁରାତନ ଛାତ୍ରଛାତ୍ରୀ ଦେଶବିଦେଶ‌ରେ ପରିଚିତ ହେବା ସହ ବିଶ୍ବବିଦ୍ୟାଳୟ ପାଇଁ ଗୌରବ ଆଣିପାରିଛନ୍ତି। ବିଶ୍ବବିଦ୍ୟାଳୟର ଉନ୍ନତି ପାଇଁ ସେମାନଙ୍କର ସହଯୋଗ ଓ ମାର୍ଗଦର୍ଶନ ନିତାନ୍ତ ଆବଶ୍ୟକ। ଏମ୍‌କେସିଜି ଅଡିଟୋରିୟମ୍‌ରେ ଆୟୋଜିତ ପୁରାତନ ଛାତ୍ରସଂଘର ଦ୍ବିତୀୟ ବାର୍ଷିକ ଉତ୍ସବରେ ଯୋଗ ଦେଇଥିବା ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଆଜି ଏପରି ମତବ୍ୟକ୍ତ କରିଛନ୍ତି।

ସଂଘର ସଭାପତି ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ତଥା ବିଧ‌ାୟକ ଅରୁଣ କୁମାର ସାହୁ କହିଲେ ଯେ ଏଠାରେ ଅଧ୍ୟୟନ କରୁଥିବା ପ୍ରତ୍ୟେକ ଛାତ୍ରଛାତ୍ରୀ ଭବିଷ୍ୟତର ଜଣେ ଜଣେ ଆଲୁମିନି। ବିଶ୍ବବିଦ୍ୟାଳୟର ଅବଦାନକୁ ସେମାନେ ମନେ ରଖିବା ଉଚିତ ଏବଂ ପରବର୍ତ୍ତୀ ସମୟରେ ଏହାର ଉନ୍ନତି ପାଇଁ ସେମାନେ ମିଳିତ ଭାବେ ଚେଷ୍ଟା କରିବାକୁ ଶ୍ରୀ ସାହୁ ଆହ୍ବାନ ଦେଇଥିଲେ। ବରିଷ୍ଠ କଂଗ୍ରେସ ନେତା ତଥା ଅନୁଷ୍ଠାନର ଉପଦେଷ୍ଟା ପ୍ରସାଦ ହରିଚନ୍ଦନ କହିଲେ ବିଶ୍ବବିଦ୍ୟାଳୟର ଇତିହାସ ଉପରେ ଆଲୋକପାତ କରି କହିଲେ ଯେ ରାଜ୍ୟର ଏହି ସର୍ବପୁରାତନ ବିଶ୍ବବିଦ୍ୟାଳୟର ଐତିହ୍ୟ ଦେଶ ବିଦେଶରେ ଜଣାଶୁଣା। ସାମାଜିକ, ରାଜନୈତିକ, ଅର୍ଥନୈତିକ କ୍ଷେତ୍ରକୁ ଏହାର ଅବଦାନ ସଂପର୍କରେ ଯେତେ ଆଲୋଚନା କଲେ ବି ତାହା କମ୍‌ ହେବ। କୁଳପତି ପ୍ରଫେସର୍‌ ସବିତା ଆଚାର୍ଯ୍ୟ କହିଲେ, ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଦେଶର ଭବିଷ୍ୟତ। ସେମାନଙ୍କ ଉନ୍ନତି ପାଇଁ ଆଲୁମିନିମାନେ ସହଯୋଗର ହାତ ବଢ଼ାନ୍ତୁ।

ସଭାପତି ଶ୍ରୀ ପଟ୍ଟନାୟକ ଆଲୁମିନିଙ୍କ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରିଥିଲେ। ସେ କହିଥିଲେ ଯେ ଆଲୁମିନିମାନଙ୍କ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ କ୍ଷେତ୍ରରେ ନିୟୋଜିତ କରିବାର ଯେଉଁ ବ୍ୟବସ୍ଥା ଅଛି, ତାହା ଆମେ ଶୀଘ୍ର କରିବୁ। ପିଲାମାନଙ୍କୁ ମାର୍ଗଦର୍ଶନ ଦେବା ପାଇଁ ଦେଶବିଦେଶରେ ଆମ ଆଲୁମିନିମାନେ ରହିଛନ୍ତି। ସେମାନେ ଏଥିରେ ପୂର୍ଣ୍ଣ ସହଯୋଗ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।

ପୂର୍ବତନ କୁଳପତି ତଥା ଅନୁଷ୍ଠାନର ସାଧାରଣ ସମ୍ପାଦକ ପ୍ରଫେସର୍‌ ଅଶୋକ କୁମାର ଦାସ ସ୍ବାଗତ ଭାଷଣରେ ବିଶ୍ବବିଦ୍ୟାଳୟର ଗରିମା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ପିଜି କାଉନସିଲ୍‌ର ଅଧ୍ୟକ୍ଷ ଦୁର୍ଗାଶଙ୍କର ପଟ୍ଟନାୟକ, କୁଳସଚିବ ଅଭୟ ନାୟକ, ପ୍ରଫେସର ଗଦାଧର ରଥ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ପୁରାତନ ଛାତ୍ରସଂଘର ତ୍ରୈମାସିକ ପତ୍ରିକା ‘ଉତ୍କଳାୟନ’ର ଏକ ବିଶେଷ ସଂସ୍କରଣକୁ ଅତିଥିମାନେ ଲୋକାର୍ପଣ କରିଥିଲେ। ଏହାବ୍ୟତୀତ ବିଗତ ବର୍ଷର କାର୍ଯ୍ୟକଳାପ ସମ୍ପର୍କିତ ଏକ ଫଟୋ ପ୍ରଦର୍ଶନୀକୁ ଉଦ୍‌ଘାଟନ କରାଯାଇଥିଲା। ବିଶ୍ବବିଦ୍ୟାଳୟର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀଙ୍କୁ ନେଇ ସକାଳେ ଆୟୋଜିତ ନାଟକ, ସଂଗୀତ, ରଚନା, ଡ୍ରାମା ଆଦି ପ୍ରତିଯୋଗିତାର କୃତୀ ପ୍ରତି‌ଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରଫେସର ଶ୍ରୀ ରଥ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ପୁରାତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀ, ଅଧ୍ୟାପକ/ଅଧ୍ୟାପିକା ଯୋଗ ଦେଇଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଅପରପକ୍ଷେ, ସକା‌େଳ‌ ପୁରାତନ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ବଚ୍ଛ ଓ ସବୁଜ ବାଣୀବିହାର’ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା। ଏଥିରେ ଦୁଇ ହଜାରରୁ ଅଧିକ ପୁରାତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀ ଯୋଗଦେଇ ‘ଆମ ବାଣୀ ବିହାର, ଆମର ଗର୍ବ’ ନାରା ଦେଇ ବିଶ୍ବଦ୍ୟାଳୟର ଗାନ୍ଧୀ ଅହିଂସା ସ୍ଥଳରୁ ବାହାରି ମୁଖ୍ୟଗେଟ୍ ପର୍ଯ୍ୟନ୍ତ ଯାଇଥିଲେ। କାର୍ଯ୍ୟକ୍ରମକୁ ଉନ୍ନୟନ କମିସନର୍‌ ପ୍ରଦୀପ କୁମାର ଜେନା ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ ଉତ୍କଳ ବିଶ୍ବବିଦ୍ୟାଳୟ ଆମ ପ୍ରକୃତିର ମା’। ତେଣୁ ଏହାର ପରିସରକୁ ସଫାସୁତୁରା ରଖିବା ସହ ପ୍ଲାଷ୍ଟିକ୍‌ମୁକ୍ତ କ୍ୟାମ୍ପସ୍ ଗଠନ କରିବା ପାଇଁ ଆମେ ପ୍ରତିଜ୍ଞାବଦ୍ଧ ହେବା ଉଚିତ।

ସମ୍ବନ୍ଧିତ ଖବର