ପୁଣି ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ଭେଳିକି!

ରାଉରକେଲା : ପାଖାପାଖି ବର୍ଷେ ପରେ ପୁଣି ଆରମ୍ଭ ହୋଇଛି ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣର ଭେଳିକି। ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କ ଆବେଗ ସହ ଜଡ଼ିତ ବହୁ ପ୍ରତୀକ୍ଷିତ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ରାଜନୈତିକ ଅଗ୍ନିପିଣ୍ଡରେ ପରିଣତ ହେବା ପରେ ଗତ ଜୁଲାଇ ୨୧ରେ କେନ୍ଦ୍ର ଜାତୀୟ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ ସ୍ଥାନୀୟ ବାଲୁଘାଟରେ ଶିଳାନ୍ୟାସ କରି ୧୫ ଦିନ ମଧ୍ୟରେ ନିର୍ମାଣ ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ । କେବଳ ମୃତ୍ତିକା ପରୀକ୍ଷା ଓ ଦିନେ/ଦୁଇ ଦିନ ପାଇଁ ବାଲୁଘାଟରେ ଜେସିବିରେ ମାଟିତଡ଼ା ପରେ ନିର୍ମାଣରେ ଡୋରି ବନ୍ଧାଯାଇଛି।

ଜମି ଅଧିଗ୍ରହଣ ହୋଇନଥିବାରୁ ସେତୁ କାମ କେବେ ଆରମ୍ଭ ହେବ, ସେ ସଂକ୍ରାନ୍ତରେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରିନଥିଲେ। ଫଳରେ ବୀରମିତ୍ରପୁର-ବାରକୋଟ୍‌ ଜାତୀୟ ରାଜପଥ (ନଂ ୧୪୩) ଓ ଏହା ଅନ୍ତର୍ଗତ ବ୍ରାହ୍ମଣୀ ସେତୁ ପାଇଁ କାର୍ଯ୍ୟାଦେଶ ପାଇଥିବା ଠିକା ସଂସ୍ଥା ‘ଜିକେସି ଲିଃ’ ନିର୍ମାଣ ଆରମ୍ଭ କରିପାରିନଥିଲା। ରାଜ୍ୟ ସରକାର ଗତ ମାର୍ଚ୍ଚ ୯ରେ କେନ୍ଦ୍ରକୁ ଜଙ୍ଗଲ ଜମି କିଷମ ପରିବର୍ତ୍ତନ ବା ସଂରକ୍ଷଣ ମୁକ୍ତ (ଡିରିଜର୍ଭେସନ୍‌) ପ୍ରସ୍ତାବ ଦେବା ପରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗ ଚଳିତ ମେ’ ୪ ତାରିଖରେ ପ୍ରଥମ ପର୍ଯ୍ୟାୟ (ଷ୍ଟେଜ୍‌-୧) ଅନୁମତି ପ୍ରଦାନ କରିଥିଲେ। ଏହାପରେ ଏନ୍‌ଏଚ୍‌ଏଆଇ ମେ’ ୨୩କୁ ନିର୍ମାଣ ଆରମ୍ଭ ପାଇଁ ତାରିଖ (ଆପଏଣ୍ଟେଡ୍‌ ଡେଟ୍‌) ଘୋଷଣା କରିଛନ୍ତି। ଏହାକୁ ଆଧାର କରି ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍‌ ଓରାମ ଗତକାଲି ସାମ୍ବାଦିକମାନଙ୍କୁ କହିଥିଲେ ଯେ ଦ୍ୱିତୀୟ ବ୍ରାହ୍ମଣୀ ସେତୁର ନିର୍ମାଣ ଖୁବ୍‌ଶୀଘ୍ର ଆରମ୍ଭ ହେବ। ତେବେ ସେ ସର୍ତ୍ତ ରଖିଥିଲେ ଯେ ଦାଣ୍ଡିଆପାଲିରୁ ଓ ବାଉଘାଟରୁ ଉଭୟ ପଟୁ ନଦୀକୂଳ ଯାଏ ଜମି ଅଧିଗ୍ରହଣ ଜରୁରୀ। ରାଜ୍ୟ ସରକାର ତୁରନ୍ତ ଜମି ଅଧିଗ୍ରହଣ କରି ଏନ୍‌ଏଚ୍‌ଏଆଇକୁ ହସ୍ତାନ୍ତର ନକଲେ ସ୍ଥାନୀୟ ବିଜେପି ପକ୍ଷରୁ ଏଡିଏମ୍‌ ଅଫିସ୍‌ ଘେରାଉ କରାଯିବ।

ଜୁଏଲ୍‌ଙ୍କ ଘୋଷଣା ଅନୁଯାୟୀ ଆଜି ବାଲୁଘାଟରେ ଦୁଇଟି ଜେସିପି ଦ୍ୱାରା ନଦୀକୂଳ ସଫା ଆରମ୍ଭ ହୋଇଛି। ତେବେ କିଛି ଦିନ ପରେ ଏହା ଗତବର୍ଷ ଭଳି ବନ୍ଦ ହୋଇଯିବ ବୋଲି ସାଧରଣରେ ଆଶଙ୍କା ଘନୀଭୂତ ହୋଇଛି। କାରଣ ମୃତ୍ତିକା ପରୀକ୍ଷା ପରେ ପ୍ରସ୍ତାବିତ ସେତୁର ଖମ୍ବ (ପିଲର୍‌) ନିର୍ମାଣ ପାଇଁ ଆଗଶ୍ୟକ ଗ୍ରାଉଟିଂ ଓ ଡ୍ରିଲିଂ ଏବେ ଆରମ୍ଭ ହେବାର ସମ୍ଭାବନା ନାହିଁ କି ବର୍ଷା ଋତୁ ଶେଷ ପରେ ବ୍ରାହ୍ମଣୀ ପାଣି ନକମିବା ଯାଏ ଏହି ପ୍ରକ୍ରିୟା ଆରମ୍ଭ ହୋଇପାରିବ ନାହିଁ। ମାସ ଶେଷ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବା ପୂର୍ବାନୁମାନ କରାଯାଇଥିବାରୁ ଜୁନ୍‌ ଦ୍ୱିତୀୟ ସପ୍ତାହରେ ତାହା ଓଡ଼ିଶାରେ ସକ୍ରିୟ ହେବ। ବ୍ରାହ୍ମଣୀ କିମ୍ବା ଏହାର ଦୁଇ ଉପନଦୀ ଶଙ୍ଖ ଓ କୋଏଲ୍‌ ଉପରେ କୌଣସି ନଦୀବନ୍ଧ ନଥିବାରୁ ନଦୀର ଜଳସ୍ରୋତ ନିମ୍ନସ୍ତରକୁ ନଆସିବା ପର୍ଯ୍ୟନ୍ତ ପିଲର୍‌ ନିର୍ମାଣ ଅସମ୍ଭବ। ସୁତରାଂ ଆସନ୍ତା ଅକ୍ଟୋବର ପୂର୍ବରୁ ବ୍ରାହ୍ମଣୀ ଶଯ୍ୟାରେ ଯେ ପିଲର୍‌ କାମ ଆରମ୍ଭ ହେବାର କ୍ୱଚିତ୍‌ ସମ୍ଭାବନା ଅଛି। ଫଳରେ, ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ପ୍ରକୃତରେ ବାସ୍ତବତାର ସ୍ପର୍ଶ ପାଇବ କି ତାହା ଏକ ଭେଳିକ, ଏହାକୁ ନେଇ ସାଧାରଣରେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର