ପ୍ରତିଶ୍ରୁତିକୁ ୧୫ ଦିନ ଯାଇ ବର୍ଷେ ପୂରିଲା : ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନୋହିଲା

୪ ଲେନ୍‌ ଏନ୍‌ଏଚ୍‌ରେ ମାଟି ମୁଠାଏ ପଡ଼ିଲାନି

ରାଉରକେଲା : ରାଉରକେଲାରେ ବ୍ରାହ୍ମଣୀ ଦ୍ୱିତୀୟ ସେତୁ ନିର୍ମାଣ କାର୍ଯ୍ୟ ୧୫ ଦିନ ମଧ୍ୟରେ ଆରମ୍ଭ ହେବ। ଦୁଇ ବର୍ଷ ମଧ୍ୟରେ ସେତୁ ସହିତ ୧୪୩ ନମ୍ବର ଜାତୀୟ ରାଜପଥର ବୀରମିତ୍ରପୁର-ବାରକୋଟ୍‌ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଆଜିକୁ ଠିକ୍‌ ବର୍ଷକ ପୂର୍ବେ କହିଥିଲେ କେନ୍ଦ୍ର ଭୂପୃଷ୍ଠ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ଦୁଇ ବର୍ଷରୁ ଇତିମଧ୍ୟରେ ବର୍ଷେ ବିତିଗଲାଣି । ରାସ୍ତା କାମ ଆରମ୍ଭ ହେବା ଦୂରେ ଥାଉ ମାଟି ମୁଠାଏ ବି ପଡ଼ିିନାହିଁ। ସେତୁ ପାଇଁ ଏପର୍ଯ୍ୟନ୍ତ ଜମି ଅଧିଗ୍ରହଣ ଶେଷ ହୋଇନାହିଁ। ଦ୍ୱିତୀୟ ବ୍ରାହ୍ମଣୀ ସେତୁକୁ ନେଇ ସହରରେ ରାଜନୀତି ଜୋର୍‌ ଧରିଥିବା ବେଳେ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ଧୂଆଁବାଣ ପାଲଟିଛି।

ବ୍ରାହ୍ମଣୀ ଦ୍ୱିତୀୟ ସେତୁ ଗତ ବିଧାନସଭା ଓ ଲୋକସଭା ନିର୍ବାଚନର ମୁଖ୍ୟ ନିର୍ବାଚନ ପ୍ରସଙ୍ଗ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୪ ବର୍ଷ ତଳେ ନିର୍ବାଚନ ପୂର୍ବରୁ ଓ ପରେ ରାଉରକେଲା ଗସ୍ତରେ ଆସି ସେତୁ ନିର୍ମାଣ ପ୍ରତିଶ୍ରୁତି ଦେଇଥିଲେ। ଗତବର୍ଷ ଜୁଲାଇ ୨୧ ତାରିଖ ଦିନ କେନ୍ଦ୍ର ଭୂପୃଷ୍ଠ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ରାଉରକେଲାର ବାଲୁଘାଟ ଠାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଓ ବୀରମିତ୍ରପୁର-ରାଉରକେଲା ୪ ଲେନ୍‌ ରାସ୍ତା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ସଭାରେ ମନ୍ତ୍ରୀ କହିଥିଲେ ଯେ, ୟୁପିଏ ସରକାରଙ୍କ ତ୍ରୁଟି ପାଇଁ ୧୪୩ ଜାତୀୟ ରାଜପଥ ଓ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣରେ ବିଳମ୍ବ ହୋଇଥିଲା। ଜମି ଅଧିଗ୍ରହଣ ନ କରି ଟେଣ୍ଡର ହେବା ଯୋଗୁଁ କାମ ଅଟକି ଯାଇଥିଲା। କିନ୍ତୁ ମୋଦି ସରକାର ଆସିବା ପରେ ରାସ୍ତା ନିର୍ମାଣ ପାଇଁ ସମସ୍ତ ପ୍ରତିବନ୍ଧକ ଦୂର କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ବୀରମିତ୍ରପୁରରୁ ରାଉରକେଲା ୪ଲେନ୍‌ କଙ୍କ୍ରିଟ୍‌ ରାସ୍ତା ସହିତ ୬ ଲେନ୍‌ ବ୍ରାହ୍ମଣୀ ସେତୁ ତିଆରି ହେବ। ରାଉରକେଲାରୁ ରାଜାମୁଣ୍ଡା ଓ ରାଜାମୁଣ୍ଡାରୁ ବାରକୋଟ୍‌ ପର୍ଯ୍ୟନ୍ତ ରାସ୍ତା ପାଇଁ ଦ୍ୱିତୀୟ ଓ ତୃତୀୟ ଟେଣ୍ଡର ପ୍ରକ୍ରିୟା ଜାରି ରହିଛି। ସବୁ ରାସ୍ତା କାମକୁ ୨ ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ସେ କହିଥିଲେ। ଭୂପୃଷ୍ଠ ଓ ପରିବହନ ମନ୍ତ୍ରୀଙ୍କ ଭଳି ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍‌ ଓରାମ ଓ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରାସ୍ତା ଓ ସେତୁ ନିର୍ମାଣ କାର୍ଯ୍ୟ ନିର୍ଧାରିତ ସମୟ ମଧ୍ୟରେ ଶେଷ ହେବ ବୋଲି କହିଥିଲେ। ସେଦିନ ସଭାରେ ଉପସ୍ଥିତ ରାଉରକେଲା ବିଧାୟକ ଦିଲ୍ଲୀପ ରାୟଙ୍କୁ ଛାଡ଼ି ସେତୁ ଓ ରାସ୍ତା ନିର୍ମାଣ ପ୍ରସଙ୍ଗରେ ଅନ୍ୟ କେହି ମୁହଁ ଖୋଲୁନାହାନ୍ତି।

ବ୍ରାହ୍ମଣୀ ଦ୍ୱିତୀୟ ସେତୁ ପାଇଁ ରାଉରକେଲା ବିଧାୟକ ଅନେକ ଥର ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ସହ ଏ ସମ୍ପର୍କିତ ଖୋଲା ମନ୍ତବ୍ୟ ଦେବାକୁ ପଛାଇ ନାହାନ୍ତି। କିନ୍ତୁ କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ ସେତୁ ଓ ରାସ୍ତା ବିଳମ୍ବ ହେବାର କୌଣସି ନିର୍ଦ୍ଦିଷ୍ଟ କାରଣ କହି ପାରୁନାହାନ୍ତି। ତାଙ୍କ ସରକାର ଆସିବା ପରେ ଯଦି ଜମି ଅଧିଗ୍ରହଣ କରି କାମ ଆରମ୍ଭ କଲା, ତେବେ ବର୍ଷକ ମଧ୍ୟରେ ଜାତୀୟ ରାଜପଥରେ କାହିଁକି ମାଟି ମୁଠାଏ ପଡ଼ି ପାରିନାହିଁ, ସେ ସମ୍ପର୍କରେ ଅନେକ ଫୋରମ୍‌ରୁ ପ୍ରଶ୍ନ ହୋଇଥିଲେ ମଧ୍ୟ ସେ ଏବଂ ତାଙ୍କ ଦଳ ନିରବ ରହିଛି। ବ୍ରାହ୍ମଣୀ ଦ୍ୱିତୀୟ ସେତୁ ପାଇଁ ମୁକ୍ତିକାନ୍ତ ବିଶ୍ୱାଳ ପାଦରେ ଚାଲିଚାଲି ୧୫୫୦ କିଲୋମିଟର ଦୂର ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଉଦ୍ୟମ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ସହିତ ସାକ୍ଷାତ କରିବା ପାଇଁ ବ୍ୟବସ୍ଥା କରିବା ପରିବର୍ତ୍ତେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ କୁଆଡେ ତାଙ୍କୁ ଅପମାନିତ କରି ଫେରାଇଥିଲେ। ଯାହାକୁ ନେଇ ରାଉରକେଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ମୁକ୍ତିକାନ୍ତଙ୍କ ପ୍ରୟାସକୁ ରାଜନୈତିକ ରୂପ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ସମଗ୍ର ପ୍ରସଙ୍ଗକୁ ଏଡାଇ ଦେବାକୁ ଯେତେ ଉଦ୍ୟମ କଲେ ମଧ୍ୟ ଜିଲ୍ଲାର ସାଂସଦ ଭାବେ ସେ ଉତ୍ତରଦାୟୀ। ଯଦି ରାସ୍ତା ଓ ସେତୁ ପାଇଁ ଜମି ଓ ଟଙ୍କା ଅଛି ଏବଂ ଠିକା ସଂସ୍ଥା ଟେଣ୍ଡର ପାଇ ସାରିଛି, ତେବେ କାହା ପାଇଁ ରାସ୍ତା କାମ ଅଟକିଛି କେନ୍ଦ୍ରମନ୍ତ୍ରୀ ସର୍ବସାଧାରଣରେ ସ୍ପଷ୍ଟ କରିବା ଉଚିତ।

ପାନପୋଷ ବ୍ରାହ୍ମଣୀ ସେତୁ ହେଲା ରାଉରକେଲାର ‘ଲାଇଫ୍‌ ଲାଇନ୍‌’। ଦୀର୍ଘ ୬୫ ବର୍ଷରୁ ଅଧିକ ସମୟ ହେଲା ଏହି ସେତୁ ଉପରେ ରାଉରକେଲା ସହର ନିର୍ଭରଶୀଳ। ଝାଡ଼ଖଣ୍ଡ, ଛତିଶଗଡ଼ ଓ ସମଗ୍ର ପଶ୍ଚିମ ଓଡ଼ିଶା ସହିତ ଏହି ସେତୁ ରାଉରକେଲା ସହରକୁ ସଂଯୋଗ କରିଛି। ଦିନକୁ ଦିନ ସେତୁ ଦୁର୍ବଳ ହୋଇପଡୁଥିବା ବେଳେ ଗତ ୧୦ ବର୍ଷ ମଧ୍ୟରେ ଦୁଇଥର ବଡ଼ ଧରଣର ଏବଂ ପ୍ରତି ମାସେ ଦୁଇ ମାସରେ ଛୋଟ ଛୋଟ ମରାମତି ହେଉଛି। ଯଦି କୌଣସି ସମୟରେ ଏହି ସେତୁ ବ୍ୟବହାର ଅନୁପୋଯୋଗୀ ପଡେ, ତେବେ ରାଉରକେଲାବାସୀ ଏପ୍ରକାର ବାହ୍ୟଜତରୁ ବିଚ୍ଛିନ୍ନ ହେବା ପରିସ୍ଥିତର ସମ୍ମୁଖୀନ ହେବେ। ତେଣୁ ଏହି ସେତୁ ପାଇଁ ଗତ ୧୫ ବର୍ଷ ଜେଲା ଜୋର୍‌ଦାର ଆନ୍ଦୋଳନ ହେଉଛି। ତତ୍କାଳୀନ ରାଜଗାଙ୍ଗପୁର ବିଧାୟକ ଗ୍ରିଗୋରୀ ମିଞ୍ଜ ମାସେରୁ ଅଧିକ ସମୟ ଧରି ସେତୁ ପାଖରେ ଧାରଣା ଦେଇଥିଲେ। ସେତୁ ଉପରେ ନିର୍ଭରଶୀଳ ବିଭିନ୍ନ ବ୍ଲକ୍‌ର ନେତାମାନେ ମଧ୍ୟ ଧାରଣାରେ ସାମିଲ ହୋଇଥିଲେ। ପରବର୍ତ୍ତି ସମୟରେ କଂଗ୍ରେସ, ବିଜେଡି ସମେତ ଅନ୍ୟ ରାଜନୈତିକ ଦଳ, ସାମାଜିକ ସଂଗଠନ ସେତୁ ପାଇଁ ବହୁବାର ଆନ୍ଦୋଳନ କରିଛନ୍ତି। ନିକଟରେ ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ ମଧ୍ୟ ତୁରନ୍ତ ସେତୁ କାମ ଆରମ୍ଭ ଦାବିରେ ଧାରଣା ଦେଇଥିଲେ। କିନ୍ତୁ ଏହାର କୌଣସି ପ୍ରଭାବ ପରିଲକ୍ଷିତ ହେଉନାହିଁ। ଯଦି ରାସ୍ତା କାମ ପାଇଁ ଜମି ଅଧିଗ୍ରହଣ ହୋଇସାରିଛି, ତେବେ ପ୍ରାୟ ବର୍ଷେ ହେଲା ବିଭିନ୍ନ ଅତ୍ୟାଧୁନିକ ଯନ୍ତ୍ରପାତୀ ସହିତ କୁଆରମୁଣ୍ଡାରେ ଡେରା ପକାଇଥିବା ଠିକା ସଂସ୍ଥା କାମ ଆରମ୍ଭ କରିବାରେ ଅସୁବିଧା କେଉଁଠି ? ଦ୍ୱିତୀୟ ବ୍ରାହ୍ମଣୀ ସେତୁ ପାଇଁ ଦାଣ୍ଡିଆପାଲି ଠାରେ ଜମି ଅଧିଗ୍ରହଣ ଚାଲିଛି। ଏହାକୁ ଆଦିବାସୀ-ମୂଳବାସୀ ସଂଗଠନ ଓ ବିଧାୟକ ଜର୍ଜ ତିର୍କୀ ଖୋଲା ବିରୋଧ କରୁଛନ୍ତି। ପୁରୁଣା ସେତୁ କଡ଼ରେ ପୂର୍ବରୁ ଜମି ଅଧିଗ୍ରହଣ ହୋଇଥିବା ବେଳେ କାହା ସ୍ୱାର୍ଥରେ ରାସ୍ତା ଓ ସେତୁର ସ୍ଥାନ ପରିବର୍ତ୍ତନ କରାଗଲା ବୋଲି ସେମାନେ ପ୍ରଶ୍ନ କରୁଛନ୍ତି। ଦ୍ୱିତୀୟ ସେତୁ ନିର୍ମାଣ କାର୍ଯ୍ୟ କେବଳ ପରୀକ୍ଷାମୂଳକ ଭାବେ ତିଆରି ଗୋଟିଏ ଖମ୍ବର କିଛି ଅଂଶ ମଧ୍ୟରେ ସୀମିତ ରହିଛି। ଜମି ଅଧିଗ୍ରହଣକୁ ଜିଲ୍ଲାର ମୂଳବାସିନ୍ଦାମାନେ ବିରୋଧ କରୁଥିବାରୁ ଦ୍ୱିତୀୟ ସେତୁର ଭବିଷ୍ୟତ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇବା ସ୍ୱାଭାବିକ।

ବୀରମିତ୍ରପୁର-ରାଉରକେଲା ପ୍ରାୟ ୨୯ କିଲୋମିଟର କଙ୍କ୍ରିଟ୍‌ ରାସ୍ତା ୪ ଲେନ୍‌ ହେବ। ବୀରମିତ୍ରପୁର ଓ କୁଆରମୁଣ୍ଡା ଠାରେ ବାଇପାସ୍‌ ରାସ୍ତା ଏବଂ ୨ଟି ଓଭରବ୍ରିଜ୍‌ ହେବ। ରାସ୍ତାର ଦୁଇଟି ସ୍ଥାନରେ ପାସେଞ୍ଜର ଓ ୪ଟି ସ୍ଥାନରେ ଟ୍ରକ୍‌ ରହଣୀ ସୁବିଧା କରାଯିବ। ଏହି ରାସ୍ତା ଓ ସେତୁ ନିର୍ମାଣ ପାଇଁ ୫୮୪ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।

ସମ୍ବନ୍ଧିତ ଖବର