କିଶୋରଙ୍କ ଉତ୍ତରାଧିକାରୀକୁ ନେଇ ଚର୍ଚ୍ଚା: ଦ୍ୱିତୀୟଥର ଉପନିର୍ବାଚନ ସାମ୍‌ନା କରିବ ବ୍ରଜରାଜନଗର

ଝାରସୁଗୁଡ଼ା,(ପ୍ରଶାନ୍ତ ମିଶ୍ର): ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ବିୟୋଗକୁ ଇତିମଧ୍ୟରେ ୭ ଦିନ ବିତିଯାଇଛି। ବିଭିନ୍ନ ଅନୁଷ୍ଠାନ ଶୋକସଭାମାନ ଆୟୋଜନ କରି ଦିବଂଗତ ନେତାଙ୍କ ସ୍ମୃତିଚାରଣ କରାଯାଉଛି। ତେବେ, ଏହାରି ମଧ୍ୟରେ ଖାଲି ପଡ଼ିଥିବା ବ୍ରଜରାଜନଗର ବିଧାୟକ ଆସନରେ ଏବେ କିଏ , ତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।

ବ୍ରଜରାଜନଗର ବିଧାନସଭା ରାଜ୍ୟ ରାଜନୀତିରେ ‌ଏକ ଗୁରୁତ୍ବପୂର୍ଣ୍ଣ ଆସନ। କିଶୋରଙ୍କ ପରେ ଏହି ଆସନ ପାଇଁ କାହାକୁ ଏହି ଆସନରେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଯିବ, ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିବା ସ୍ବାଭାବିକ। ‌କିଶୋରଙ୍କ ଅକାଳ ବିୟୋଗ ପରେ ଏହି ବିଧାନସଭା ଆସନ ଖାଲି ପଡ଼ିଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇ ସାରିଛି। ଫଳରେ ଏଠାରେ ଆଗାମୀ ୬ ମାସ ମଧ୍ୟରେ ଏକ ଉପନିର୍ବାଚନ ଅନୁଷ୍ଠିତ ହେବା ଏକପ୍ରକାର ନିଶ୍ଚିତ। ଏପରିସ୍ଥଳେ ଏହି ଉପନିର୍ବାଚନରେ ଲୋକ‌େ କାହାକୁ ବିଧାୟକ ଭାବରେ ଦେଖିବେ ସେ ନେଇ ସାଧାରଣରେ ଅଙ୍କକଷା ଆରମ୍ଭ ହୋଇଯାଇଛି। ଯେହେତୁ ଉପନିର୍ବାଚନଗୁଡ଼ିକ ପ୍ରାୟତଃ ଶାସକ ଦଳ ସପକ୍ଷରେ ଯାଇଥାଏ ତେଣୁ ଏହି ଆସନରେ ବିଜେଡି ପ୍ରାର୍ଥୀ କିଏ ହେବ ତାକୁ ନେଇ କଳ୍ପନାଜଳ୍ପନା ଜୋର୍‌ ଧରିଛି।

The News Insight

୨୦୧୯ ସଧାରଣ ନିର୍ବାଚନ ବେଳେ ବିଜେଡି ବ୍ରଜରାଜନଗର ଆସନରେ ପ୍ରଥମ କରି ବିଜୟୀ ହୋଇଥିଲା। ତା’ପୂର୍ବରୁ  ବ୍ରଜରାଜନଗର ଆସନ କେବେ ବିଜେଡି ହାତକୁ ଯାଇନଥିଲା। କିଶୋର ପ୍ରଥମକରି ଏହି ଆସନରେ ବିଜେଡିର ଖାତା ଖୋଲିଥିଲେ। ୧୯୬୧ରେ ବ୍ରଜରାଜନଗର ଆସନ ନୂଆ କରି ଗଠନ ହୋଇଥିଲା ଓ ବିଶିଷ୍ଟ ଜନନେତା କମ୍ୟୁନିଷ୍ଟ ପାର୍ଟିର ପ୍ରସନ୍ନ କୁମାର ପଣ୍ଡା ଏଠାରୁ ପ୍ରଥମ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ଏହାପରେ ପ୍ରସନ୍ନ ପଣ୍ଡା ୧୯୬୭, ୧୯୭୪, ୧୯୮୫, ୧୯୯୦, ୧୯୯୫ ଛ’ ଥର ବିଧାୟକ ହୋଇଥିଲେ। ବିଧାୟକ ଥିବାବେଳେ ପ୍ରସନ୍ନ ପଣ୍ଡାଙ୍କ ବିୟୋଗ ହୋଇଥିବାରୁ ୧୯୯୮ମସିହାରେ ବ୍ରଜରାଜନଗରରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେହି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ କେଶବ ସାହୁ ବିଜେପି ପ୍ରାର୍ଥିନୀ ରାଧାରାଣୀ ପଣ୍ଡାଙ୍କୁ ପରାଜିତ କରି ବିଧାୟକ ହୋଇଥିଲେ। ପୂର୍ବତନ ମନ୍ତ୍ରୀ ଉପେନ୍ଦ୍ର ଦୀକ୍ଷିତ ୧୯୭୧ ମସିହାରେ ଓଡ଼ିଶା ଜନ କଂଗ୍ରେସ, ୧୯୭୭ ଓ ୧୯୮୦ ମସିହାରେ କଂଗ୍ରେସର ପ୍ରାର୍ଥୀ ଭାବରେ ଏଠାରୁ ତିନିଥର ବିଜୟୀ ହୋଇଥିଲେ। ୨୦୦୦ , ୨୦୦୪ ଓ ୨୦୦୯  ମସିହାରେ ଏଠାରୁ କଂଗ୍ରେସ ପ୍ରାର୍ଥୀ ଅନୁପ କୁମ‌ାର ସାଏ ତିନିଥର ନିର୍ବାଚିତ ହୋଇଥିଲେ।

୨୦୧୪ ନିର୍ବାଚନବେଳେ ଅନୁପ ସାଏ କଂଗ୍ରେସ ଦଳ ଛାଡ଼ି ବିଜେଡି ଯୋଗ ଦେଇଥି‌ଲେ ଏବଂ ବିଜେଡି ଟିକେଟ୍‌ରେ ଏଠାରୁ  ପରାଜିତ ହୋଇଥିଲେ। ଏହି ନିର୍ବାଚନ ବିଜେପି ସପକ୍ଷରେ ଯିବାରୁ ରାଧାରାଣୀ ପଣ୍ଡା ନିର୍ବାଚିତ ହୋଇଥିଲେ। କିଶୋର ମହାନ୍ତି ଝାରସୁଗୁଡ଼ା ରାଜନୀତିରେ ମୁଖ୍ୟ ଥିବାବେଳେ ସେ ୧୯୯୦ ଜନତା ଦଳ, ୨୦୦୦ ଓ ୨୦୦୪ ରେ ବିଜେଡି ଦଳରୁ ଝାରସୁଗୁଡ଼ା ଆସନରେ ବିଜୟୀ ହୋଇଥିଲେ। ତେବେ, ନବ କିଶୋର ଦାସ କଂଗ୍ରେସ ଦଳ ମାଧ୍ୟମରେ ଝାରସୁଗୁଡ଼ା ଆସିବା ପରେ କିଶୋରଙ୍କୁ କ୍ରମାଗତ ପରାଜିତ କରି ଆସୁଥିଲେ। ୨୦୧୯ ନିର୍ବାଚନ ପୂର୍ବରୁ  ନବ ଦାସ ବିଜେଡିରେ ଯୋଗଦାନ ପରେ କିଶୋର ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ବିଜେପିର ରାଧାରାଣୀ ପଣ୍ଡାଙ୍କୁ ପରାଜିତ କରି ବିଧାନସଭାକୁ ଯାଇଥିଲେ। ଏହି ନିର୍ବାଚନମଣ୍ଡଳୀ କିଶୋରଙ୍କ ପାଇଁ ସଂପୂର୍ଣ୍ଣ ନୂଆ ଥିବାବେଳେ କର୍ମୀ ଓ ଅନୁଗତ ସମସ୍ତେ ନୂଆ ଥିଲେ। ବାମପନ୍ଥୀ, କଂଗ୍ରେସ ଓ ପ‌ରେ ବିଜେପି ଅଧୀନରେ ରହି ଆସିଥିବା ଏହି ନିର୍ବାଚନମଣ୍ଡଳୀ ପ୍ରଥମଥର ପାଇଁ ବିଜେଡ଼ି ଅଧୀନକୁ ଆସିଥିଲା। ଏହିଭଳି ଏକ ସମୟରେ କିଶୋର ମହାନ୍ତିଙ୍କ ଅକାଳୟ ବିୟୋଗ ଘଟିଛି। ଫଳରେ, ଆଗାମୀ ଉପନିର୍ବାଚନରେ ବିଜେଡି କାହାକୁ ଟିକେଟ ଦେବ ତାକୁ ନେଇ ଆଲୋଚନା ଜାରି ରହିଛି। ବିଜେଡିର ପରମ୍ପରା ଅନୁଯାୟୀ କିଶୋରଙ୍କ ପତ୍ନୀ କିମ୍ବା ତାଙ୍କ ପୁତ୍ର କିମ୍ବା ତାଙ୍କ ପରିବାରର ଅନ୍ୟ କେହି ସଦସ୍ୟ ହକ୍‌ଦାର ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଟିକେଟ ରାଜନୀତିରେ ମନ୍ତ୍ରୀ ନବ ଦାସଙ୍କ ମଧ୍ୟ ଆଭିମୁଖ୍ୟ ଗୁରୁତ୍ବ ବହନ କରୁଛି। ଏଠାରେ ଉପନିର୍ବାଚନ ହେଲେ ବିଜେପି ମଧ୍ୟ ତାର ଶକ୍ତି ପ୍ରଦର୍ଶନ କରିବା ବି ନିଶ୍ଚିତ ବୋଲି ରାଜନୈତିକ ମହଲରେ ପ୍ରାକ୍‌-ଆକଳନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଏହି ଆସନରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ପୂର୍ବରୁ ୨୦୦୯ ଯାଏ ଏକାଧିକ ଥର ଲଢ଼ି ଅଳ୍ପକେ ପରାଜିତ ହୋଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ଶ୍ରୀ ପୂଜାରୀ ବରଗଡ଼ ଲୋକସଭା ଆସନରୁ ଲଢ଼ି ନିଜ ମୂଳ ବିଧାନସଭ ଆସନ ବ୍ରଜରାଜନଗରରୁ ୩୬,୭୧୦ ଖଣ୍ଡ ଭୋଟରେ ଆଗୁଆ ଥିଲେ। ସେହି ଦୃଷ୍ଟିରୁ ଆସନ୍ତା ଉପନିର୍ବାଚନରେ ଶ୍ରୀ ପୂଜାରୀ ଓ ତାଙ୍କ ଦଳର କିଛିଟା ଗୁରୁତ୍ବ ରହିବ।

ଅନ୍ୟପକ୍ଷରେ, କଂଗ୍ରେସ ଦଳ ଏଠାରେ କମ୍ୟୁନିଷ୍ଟ ସହିତ ଆସନ ବୁଝାମଣା କରୁଥିବା ବେଳେ ଦଳର ଏହି ଆସନରେ ସେଭଳି ପ୍ରଭାବ ନାହିଁ। ତଥାପି, ଆଗକୁ ରାଜନୈତିକ ସମୀକରଣ କ’ଣ ହେବ, ତାକୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍ସୁକତା ଜାରି ରହିଛି।

ସମ୍ବନ୍ଧିତ ଖବର