ଦ୍ବିତୀୟ କାଡାଭ‌ରିକ ପ୍ରତିରୋପଣ : ଆମେ ବି କରିବୁ ଅଙ୍ଗଦାନ

କିଡ୍‌ନି ପାଇବା ପରେ ଜଗନ୍ନାଥଙ୍କ ପରିବାର କୃତଜ୍ଞ
ସ୍ବର୍ଗଦ୍ବାରରେ ସୁଚିତ୍ରାଙ୍କ ଶେଷକୃତ୍ୟ ସମ୍ପନ୍ନ
ସାମିଲ ହେଲେ ଜଗନ୍ନାଥଙ୍କ ପୁଅ

ଭୁବନେଶ୍ବର : ଆପୋଲୋ ହସ୍ପିଟାଲରେ ବୁଧବାର ରାତିରେ ହୋଇଥିବା ଆଉ ଏକ କାଡ‌ାଭରିକ ପ୍ରତିରୋପଣ ଛତ୍ରପୁର ମାଧପୁର ପଞ୍ଚାୟତର ଗୋବା ଗାଁର ଜଗନ୍ନାଥ ସୁରଙ୍କୁ ଏକ ନୂଆ ଜୀବନ ଦେଇଛି। ଗତ ଦେଢ଼ବର୍ଷ ହେବ କିଡ୍‌ନି ଖରାପ ଯୋଗୁଁ ସମସ୍ୟାର ସମ୍ମୁଖୀନ ହେଉଥବା ଜଗନ୍ନାଥଙ୍କୁ ନୂଆ ଜୀବନ ଦେଇଛନ୍ତି ସୁଚିତ୍ରା ଦାଶ। ମୃ୍ତ୍ୟୁ ପରେ ସୁଚିତ୍ରାଙ୍କ ଗୋଟିଏ କିଡ୍‌ନି ଜଗନ୍ନାଥଙ୍କ ଶରୀରରେ ଲାଗିଥିବାବେଳେ ଅନ୍ୟ ଏକ କିଡ୍‌ନି ଆମ୍ରି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ମିନତି ସାମନ୍ତରାୟଙ୍କ ଶରୀରରେ ଲାଗିଛି। ଏବେ ଆପୋଲୋ ହସ୍ପିଟାଲରେ ଆଇସିୟୁରେ ଥିବା ଜଗନ୍ନାଥଙ୍କ ପାଇଁ କାଡାଭରିକ୍ କିଡ୍‌ନି ପ୍ରତିରୋପଣ ନୂଆ ଆଶା ଆଣି ଦେଇଛି। ଚିହ୍ନାଜଣା ନ ଥିବା ସୁଚିତ୍ରାଙ୍କ ଅଙ୍ଗଦାନ ପାଇଁ ନୂଆ ଜୀବନ ପାଇଥିବାରୁ ଜଗନ୍ନାଥଙ୍କ ପରିବାର ଏତେ ମା‌ତ୍ରାରେ କୃତଜ୍ଞ ଯେ ସେମାନେ ବି ଅଙ୍ଗଦାନ ଅଭିଯାନରେ ଅନୁପ୍ରାଣିତ ହୋଇଛନ୍ତି। ଆଗାମୀ ଦିନରେ ଜଗନ୍ନାଥଙ୍କ ଦୁଇ ପୁଅଙ୍କ ସମେତ ତାଙ୍କ ସ୍ତ୍ରୀ ମଧ୍ୟ ଅଙ୍ଗଦାନ କରିବେ ବୋଲି ବଡ଼ପୁଅ ରିଲୁ କୁମାର ସୁର ‘ସମ୍ବାଦ’କୁ କହିଛନ୍ତି।

ଆଜି ପୁରୀ ସ୍ବର୍ଗଦ୍ବାରରେ ସୁଚିତ୍ରାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ଏଥିପରେ ଜଗନ୍ନାଥଙ୍କ ପୁଅ ରିଲୁ ସାମିଲ ହୋଇ ସୁଚିତ୍ରାଙ୍କ ସ୍ବାମୀ ଗୋପାଳ ଦାଶଙ୍କୁ ସମବେଦନା ଓ କୃତଜ୍ଞତା ଜଣାଇଥିଲେ। ତାଙ୍କର ଏହି ବିପଦ ସମୟରେ ସାହାଯ୍ୟ କରିଥିବାରୁ ଧନ୍ୟବାଦ ଜଣାଇଥିଲେ ରିଲୁ। କିଡ୍‌ନି ପ୍ରତିରୋପଣ ନେଇ ରିଲୁ କହିଛନ୍ତି, ମୋ ବାପା ଦକ୍ଷିଣପୂର୍ବ କୋଲ୍‌ଫିଲ୍‌ଡରେ ଛତିଶଗଡ଼ରେ କାର୍ଯ୍ୟ କରୁଥିଲେ। ଦେଢ଼ବର୍ଷ ତଳେ ତାଙ୍କର କିଡ୍‌ନି ସମସ୍ୟା ଆରମ୍ଭ ହୋଇଥିଲା। ସେବେଠାରୁ ଡାଏଲସିସ୍ ଜାରି ରହିଥିଲା। ବିଳାସପୁର, ରାୟପୁର, ଦିଲ୍ଲୀ, ଭୋପାଳ, ଭେଲୋର ଭଳି ସ୍ଥାନରେ ଡାଏଲିସିସ୍ ହୋଇଥିଲେ ହେଁ, ଭୁବନେଶ୍ବର ଆପୋଲୋରେ ଡାଏଲିସିସ୍ ଅଧିକ ଫଳପ୍ରଦ ରହିଥିଲା। ତେଣୁ କିଛିଦିନ ହେବ ଏଠାରେ ଡାଏଲିସିସ୍ ଚାଲିଥିଲା। ଗତ ୨୨ତାରିଖ‌ରେ ବାପାଙ୍କ ଦେହ ଗୁରୁତର ହୋଇ ପଡ଼ିଥିଲା। ବାଧ୍ୟହୋଇ ବାପାଙ୍କୁ ଆପୋଲୋକୁ ଅଣାଯିବା ପରେ ତାଙ୍କର ଡାଏଲିସିସ୍ କରାଯାଇଥିଲା। ଆଡମିଟ୍ ଥିବା ସମୟରେ ହସ୍ପିଟାଲ କର୍ତୃପକ୍ଷ ଏହି କାଡାଭରିକ୍ କିଡ୍‌ନି ପ୍ରତିରୋପଣ ସଂପର୍କରେ ସୂଚନା ଦେଇଥିଲେ। ଆମେ ସଂଗେ ସଂଗେ ରାଜି ହୋଇ ଯାଇଥିଲୁ ଏବଂ ବିଳମ୍ବିତ ରାତିରେ ବାପାଙ୍କ କିଡ୍‌ନି ପ୍ରତିରୋପଣ ସଫଳ ହୋଇଥିଲା।

ସେ ଆହୁରି ମଧ୍ୟ କହିଥିଲେ ଯେ, ସ୍ବର୍ଗତା ସୁଚିତ୍ରାଙ୍କ ଦାଶଙ୍କ ଦାନକୁ କେବେ ଭୁଲି ହେବ ନାହିଁ। ସୁଚିତ୍ରାଙ୍କ ଯୋଗୁଁ ବାପା ନୂଆ ଜୀବନ ପାଇଛନ୍ତି। ତେଣୁ ତାଙ୍କ ପରିବାରର ଏଭଳି ଅବାଦନ ଯୋଗୁଁ ଅନୁପ୍ରେଣିତ ହୋଇ ଆମ ପରିବାର ଅଙ୍ଗଦାନ କରିବା ପାଇଁ ନିଷ୍ପତ୍ତି ନେଇଛୁ। ଆପୋଲୋରେ ରହଣି କାଳରେ କିମ୍ବା ଡିସଚାର୍ଜ ପରେ ଅଙ୍ଗଦାନ ନେଇ ଆବେଦନ କରିବୁ ବୋଲି ରିଲୁ ‘ସମ୍ବାଦ’କୁ ସୂଚନା ଦେଇଛନ୍ତି।

ସୁଚିତ୍ରା ମରି ମଧ୍ୟ ଅମର: ମିନତିଙ୍କ ସ୍ବାମୀ
ସୁଚିତ୍ରା ମରି ମଧ୍ୟ ଅମର ହୋଇଛନ୍ତି। ତାଙ୍କର ଗୋଟିଏ କିଡ୍‌ନି ମିନତିଙ୍କୁ ନୂଆ ଜୀବନ ଦେଇଛି। ଆମେ ତାଙ୍କ ପାଖରେ ସବୁଦିନ ପାଇଁ ଋଣୀ; ତାଙ୍କୁ ଧନ୍ୟବାଦ ଦେବା ଲାଗି ମୋ ନିକଟରେ ଭାଷା ନାହିଁ। ଗତକାଲି ଆମ୍ରି ହସ୍ପିଟାଲରେ କାଡାଭରିକ କିଡ୍‌ନି ପ୍ରତିରୋପଣରେ ନୂଆ ଜୀବନ ପାଇଥିବା ମିନତି ସାମନ୍ତରାୟଙ୍କ ସ୍ବାମୀ ଚିତ୍ତ ସାମନ୍ତରାୟ ଆଜି ଗଣମାଧ୍ୟମକୁ ଏଭଳି ପ୍ରତିକ୍ରିୟା ଦେଇଛନ୍ତି।

ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଅଧୀନ ଭୀମପୁର ଗାଁର ବାସିନ୍ଦା ମିନତିଙ୍କର ୪ବର୍ଷ ଧରି ଡାଏଲିସିସ୍ ଜାରି ରହିଥିଲା। ଏଥିପାଇଁ ପରିବାର ଲୋକ ଦୁଶ୍ଚିନ୍ତାରେ ଦିନ କାଟୁଥିଲେ। ତେବେ ୨୬ତାରିଖ ଅପରାହ୍‌ଣ ୩ଟା ସମୟରେ ହସ୍ପିଟାଲ ପକ୍ଷରୁ ଏ ସଂପର୍କରେ ସୂଚନା ଦିଆଯାଇଥିଲା। ଫଳରେ ଗାଁରୁ ରାତି ପ୍ରାୟ ସାଢ଼େ ୮ଟା ସମୟରେ ସେମାନେ ସପରିବାର ଭୁବନେଶ୍ବରରେ ପହଞ୍ଚିଥିଲେ। ଆମ୍ରି ହସ୍ପିଟାଲର ଟିମ୍ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିଲେ। ଏପରିକି ଜରୁରୀକାଳୀନ ୱାର୍ଡରେ କାର୍‌ ପହଞ୍ଚିବା ପରେ କାର୍‌ ଭିତରୁ ମିନତିଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ରକ୍ତ ନମୁନା ମ୍ୟାଚ୍ କରିବା ପରେ ରାତି ୧ଟା ସମୟରେ କିଡ୍‌ନି ପ୍ରତିରୋପଣ ଆରମ୍ଭ ହୋଇଥିଲା। ଦୀର୍ଘ ୫ଘଣ୍ଟାର ଅସ୍ତ୍ରୋପଚାର ପରେ ସକାଳ ୬ଟାରେ ଏହି ପ୍ରକ୍ରିୟା ଶେଷ ହୋଇଥିଲା।

ଶ୍ରୀ ସାମନ୍ତରାୟ କହିଛନ୍ତି ଯେ, ମିନତି ଯଦି ନୂଆ ଜୀବନ ପାଇଛନ୍ତି ତାହା କେବଳ ସ୍ବର୍ଗତା ସୁଚିତ୍ରା ଦାଶ, ଆମ୍ରି ହସ୍ପିଟାଲର ଡାକ୍ତର ସୁବୋଧ୍ୟ ଦାସ ଓ ଡାକ୍ତର ସୁକାନ୍ତ କିଶୋର ଦାସଙ୍କ ଯୋଗୁଁ ସମ୍ଭବ ହୋଇପାରିଛି। ମିନତି ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଆମେ ନିଶ୍ଚିତ ଭାବେ ସୁଚିତ୍ରାଙ୍କ ପରିବାର ଲୋକଙ୍କୁ ଭେଟିବୁ। ତାଙ୍କ ପରିବାର ପ୍ରତି ଆମର ଗଭୀର ସମବେଦନା ଓ କୃତଜ୍ଞତା ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର