ଦ୍ୱିତୀୟ କରୋନା ମୃତକ ରାଜ୍ୟବାସୀଙ୍କ ପାଇଁ ଛାଡ଼ିଗଲେ ଏକ ବଡ଼ ବାର୍ତ୍ତା; ଜାଣନ୍ତୁ ତାହା କ’ଣ

ଭୁବନେଶ୍ୱର: ରାଜ୍ୟରେ ଆଜି ଦ୍ୱିତୀୟ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟଛି। ରାଜ୍ୟର ଦ୍ୱିତୀୟ କରୋନା ମୃତକ ଜଣକ ହେଉଛନ୍ତି ରାଜଧାନୀ ଭୁବନେଶ୍ୱର ମଧୁସୂଦନ ନଗରର ବାସିନ୍ଦା ଏବଂ ତାଙ୍କର ବୟସ ୭୭ ବର୍ଷ। ଗତ ଅପ୍ରେଲ ୨୮ ତାରିଖରେ କରୋନା ପଜିଟିଭ୍‌ ରୂପେ ଚିହ୍ନଟ ହେବା ପରେ ତାଙ୍କୁ କିମସ୍‌ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇ ଥିଲା। ତେବେ, ଦ୍ୱିତୀୟ କରୋନା ମୃତକ ଜଣକ ତାଙ୍କ ମୃତ୍ୟୁ ସହ ରାଜ୍ୟବାସୀଙ୍କୁ ଏକ ବାର୍ତ୍ତା ସହ କିଛି ଶିକ୍ଷା ମଧ୍ୟ ଦେଇ ଯାଇଛନ୍ତି ବୋଲି କହିଛନ୍ତି ରାଜ୍ୟର ଅନ୍ୟତମ ବରିଷ୍ଠ ପ୍ରଫେସର ଡାକ୍ତର ତଥା ସ୍ୱାସ୍ଥ୍ୟ ବିଭାଗର ବୈଷୟିକ ମୁଖପାତ୍ର ଡ.ଜୟନ୍ତ ପଣ୍ଡା।

ଡ. ପଣ୍ଡା କହିଛନ୍ତି ଯେ ୭୭ ବର୍ଷ ବୟସ୍କ ଦ୍ୱିତୀୟ କରୋନା ମୃତକ ଜଣକ କରୋନା ସହ ଉଚ୍ଚ ରକ୍ତଚାପ ଓ ମଧୁମେହ (ଡାଇବେଟିସ୍‌) ସହ କିଡନି ରୋଗରେ ମଧ୍ୟ ପୀଡ଼ିତ ଥିଲେ। ୨୮ ତାରିଖରେ କରୋନା ଚିକିତ୍ସା ପାଇଁ କିମସ୍‌ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ସେ ୩୦ ତାରଖରେ ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ। ଫଳରେ ତାଙ୍କୁ ଆଇସିୟୁରେ ରଖାଯିବା ସହ ଭେଣ୍ଟିଲେଟରର ସହାୟତା ଦିଆଯାଇଥିଲା। କିନ୍ତୁ, କରୋନା ତାଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗକୁ ଅକାମୀ କରିଦେଲା। ତାଙ୍କର ଥରେ ଡାଇଲେସିସ୍‌ ମଧ୍ୟ କରାଯାଇଥିଲା। ଡାକ୍ତରମାନେ ତାଙ୍କର ଜୀବନ ବଞ୍ଚାଇବା ପାଇଁ ସବୁ ପ୍ରକାରର ଚେଷ୍ଟା କରିଥିଲେ। ହେଲେ, ସବୁ ପ୍ରଚେଷ୍ଟା ବିଫଳ ଯାଇଥିଲା ଓ ସେ ଆଜି ପ୍ରାଣ ହରାଇଥିଲେ।
ତେବେ, ଦ୍ୱିତୀୟ ମୃତକ ଜଣକ ରାଜ୍ୟବାସୀଙ୍କ ପାଇଁ କିଛି ଶିକ୍ଷା ଓ ବାର୍ତ୍ତା ଛାଡ଼ି ଯାଇଛନ୍ତି।

ପୂର୍ବରୁ, ଆମେ ଯେପରି କହି ଆସୁଥିଲୁ ଉଚ୍ଚ ରକ୍ତଚାପ ଓ ମଧୁମେହ (ଡାଇବେଟିସ୍‌) ରୋଗୀମାନେ କରୋନା ପାଇଁ ଅତିମାତ୍ରାରେ ସ୍ପର୍ଶକାତର ଓ ସମ୍ବେଦନଶୀଳ ତାହାର ପ୍ରମାଣ ସେ ଦେଇଗଲେ। ସେହିପରି ଦ୍ୱିତୀୟ ମୃତକ ଜଣକ ତାଙ୍କ ଘର ଓ ପରିବାର ମଧ୍ୟରୁ ପଦାକୁ ବାହାରି ନଥିଲେ। ଅର୍ଥାତ୍‌, ତାଙ୍କ ଘର ଓ ପରିବାର ମଧ୍ୟରୁ ପଦାକୁ ବାହାରୁଥିବା କେହି ସଦସ୍ୟ ସଙ୍ଗରେ କରୋନା ଭୂତାଣୁକୁ ଧରି ଫେରିବା ପରେ ହିଁ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ ଓ ନିଜ ଜୀବନ ହାରିଥିଲେ। ତେଣୁ, ଏହି ସତ୍ୟକୁ ସମସ୍ତେ ବୁଝନ୍ତ। ଘରେ ଓ ପରିବାରରେ ଥିବା ବୟସ୍କମାନଙ୍କର ଉପଯୁକ୍ତ ଯତ୍ନ ନିଅନ୍ତୁ ଓ ସେମାନଙ୍କୁ କରୋନାରୁ ଦୂରେଇ ରଖନ୍ତୁ ବୋଲି ଏକ ବାର୍ତ୍ତା ଛାଡ଼ିଗଲେ ବୋଲି କହିଛନ୍ତି ପ୍ରଫେସର ଡ. ପଣ୍ଡା।

ସମ୍ବନ୍ଧିତ ଖବର