କରୋନା ନେଲା ଆଉ ‌ଏକ ଜୀବନ

ଦିନକରେ ୫ ଜିଲ୍ଲାରୁ ୯ ପଜିଟିଭ୍‌, ଜଣେ ସୁସ୍ଥ, ଗଞ୍ଜାମ, ମୟୂରଭଞ୍ଜକୁ ବିପଦ

ଜଗତସିଂହପୁର ଜିଲ୍ଲାକୁ ମାଡ଼ିଲା କରୋନା
ଗଞ୍ଜାମ ଗସ୍ତରେ ୨ ଜଣିଆ ସ୍ବତନ୍ତ୍ର ଟିମ୍
ବଲାଙ୍ଗୀର ଗଲ‌ା ଏମ୍‌ସ ଆର୍‌ଆର୍‌ଟି ଟିମ୍

ଭୁବନେଶ୍ବର : ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁର ଠିକ୍ ୧ମାସ ପରେ ଆଜି ଦ୍ବିତୀୟ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ମୃତକ ଜଣକ ରାଜଧାନୀର ମଧୁସୂଦନ ନଗରର ୭୭ବର୍ଷର ବୃଦ୍ଧ। ତାଙ୍କର ମଧୁମେହ, ଉଚ୍ଚ ରକ୍ତଚାପ ଓ କିଡ୍‌ନି ସମସ୍ୟା ରହିଥିଲା। ଗତମାସ ୨୮ତାରିଖରୁ ସେ କିମ୍‌ସ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେହିପରି ଆଜି ୫ଟି ଜିଲ୍ଲାରୁ ୯ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ପ୍ରଥମ ଥର ଲାଗି ଜଗତସିଂହପୁର ଜିଲ୍ଲାରୁ ୪ଜଣ, ଯାଜପୁରର ୨, ବାଲେଶ୍ବର, ଗଞ୍ଜାମ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତ ବ୍ୟକ୍ତିମାନଙ୍କ ସୁରତ ଓ କୋଲକାତା ଲିଙ୍କ୍‌ ରହିଛି। ଏହାକୁ ମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୮୫‌ରେ ପହଞ୍ଚିଛି। ଅପରପକ୍ଷରେ ଗଞ୍ଜାମ ଜିଲ୍ଲାରେ ତଦାରଖ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଉଦ୍ଦେଶ୍ୟରେ ଆଜି ଏକ ସ୍ବତନ୍ତ୍ର ଟିମ୍ ଜିଲ୍ଲାକୁ ପଠାଯାଇଛି। ଏହାସହ ଏମ୍‌ସ ଭୁବନେଶ୍ବରର ଏକ ଆର୍‌ଆର୍‌ଟି ଟିମ୍ ବଲାଙ୍ଗୀର ଜିଲ୍ଲା ଗସ୍ତ କରିଥିବା ସୂଚନା ମିଳିଛି।

ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ, ମୃତକ ଜଣକ ହେଉଛନ୍ତି ପୂର୍ବରୁ ଚିହ୍ନଟ ହୋଇଥିବା ୪୧ନଂ ଆକ୍ରାନ୍ତଙ୍କ ନିକଟତମ ସଂପର୍କୀୟ। ପୂର୍ବରୁ ତାଙ୍କର କୋଭିଡ୍‌ ନମୁନା ନେଗେଟିଭ୍ ରହିଥିଲା। ହେଲେ କିଛିଦିନ ପରେ କରୋନା ଲକ୍ଷଣ‌ ଦେଖାଯିବା କାରଣରୁ ପୁନର୍ବାର ନମୁନା ପରୀକ୍ଷା କରାଯାଇଥିଲା। ଗତମାସ ୨୮ତାରିଖରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏକାଧିକ ରୋଗରେ ପୀଡ଼ିତ ଥିବା କାରଣରୁ ତାଙ୍କୁ କିମ୍‌ସ କୋଭିଡ ହସ୍ପିଟାଲରେ ସ୍ବତନ୍ତ୍ର ଭାବେ ଯତ୍ନ ନିଆଯାଇଥିଲା। ମାତ୍ର ହଠାତ୍ ନିଶ୍ବାସ ପ୍ରଶ୍ବାସରେ ସମସ୍ୟା ହେବା କାରଣରୁ ତାଙ୍କୁ ଆଇସିୟୁରେ ଭର୍ତି କରାଯାଇଥିଲା। ଗତମାସ ୩୦ତାରିଖରୁ ସେ ଭେଣ୍ଟିଲେଟରରେ ରହିଥିଲେ। ଔଷଧ ଦିଆଯାଇ ତାଙ୍କ ରକ୍ତଚାପକୁ ନିୟନ୍ତ୍ରଣ କରାଯାଇଥିଲା। ଧୀରେ ଧୀରେ ତାଙ୍କ ପରିସ୍ରା କମିଥିଲା। ଏଥିପାଇଁ ଗୋଟିଏ ପର୍ଯ୍ୟାୟ ଡାଏଲିସିସ୍ ମଧ୍ୟ କରାଯାଇଥିଲା। ଡାକ୍ତରଙ୍କ ପ୍ରଚେଷ୍ଟା ସତ୍ତ୍ବେ ଗତକାଲି ରାତି ୧୦ଟାରେ ସେ ପ୍ରାଣ ହରାଇଥିଲେ। ତେବେ ୪୧ନଂ ଆକ୍ରାନ୍ତ ପୂର୍ବରୁ ସୁସ୍ଥ ହୋଇ ସାରିଛନ୍ତି। ବୟସ୍କ ବ୍ୟକ୍ତି ଓ ଏକାଧିକ ରୋଗରେ ଆକ୍ରାନ୍ତମାନେ କରୋନାର ଅଧିକ ଶିକାର ହେଉଛନ୍ତି। ତେଣୁ ଘରେ ଥିବା ବୟସ୍କ ବ୍ୟକ୍ତିମାନଙ୍କ ଯତ୍ନ ନେବା ସହିତ ସେମାନଙ୍କୁ ମାସ୍କ ପିନ୍ଧାଇବା, ନିୟମିତ ହାତ ଧୋଇବା ଭଳି ଅଭ୍ୟାସ ଜାରି ରଖିବା ଲାଗି ସରକାରଙ୍କ ପକ୍ଷରୁ କୁହାଯାଇଛି।

ସରକାରୀ ସୂଚନାନୁସାରେ, ଆଜି ରାଜ୍ୟରେ ୫ଟି ଜିଲ୍ଲାରୁ ୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସଂକ୍ରମିତ ବ୍ୟକ୍ତିମାନେ ସୁରତ ଓ କୋଲକାତାରୁ ଫେରିଛନ୍ତି। ଗଞ୍ଜାମ ଜିଲ୍ଲାର ୧୮ବର୍ଷର ଯୁବକ ସୁରତରୁ ଫେରିଥିବା ବେଳେ ଜଗତସିଂହପୁରର ୨୬ବର୍ଷ, ୩୨ବର୍ଷ, ୩୦ ଓ ୪୭ବର୍ଷର ପୁରୁଷ ବ୍ୟକ୍ତିମାନେ ମଧ୍ୟ ସୁରତରୁ ଫେରିଛନ୍ତି। ସେମାନେ ସମସ୍ତେ ସଙ୍ଗରୋଧରେ ଅଛନ୍ତି। ସେହିପରି କିଛିଦିନର ବ୍ୟବଧାନ ପରେ କେନ୍ଦ୍ରାପଡ଼ା ଜିଲ୍ଲା‌ରେ ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ବ୍ୟକ୍ତି ଜଣକ କୋଲକାତାରୁ ଫେରିଥିବା ବେଳେ ତାଙ୍କ ବୟସ ହେଉଛି ୬୦ବର୍ଷ। ବାଲେଶ୍ବର ଜିଲ୍ଲାର ଜଣେ ୪୮ବର୍ଷର ପୁରୁଷ ଏବଂ ଯାଜପୁର ଜିଲ୍ଲାର ୬୫ବର୍ଷ ଓ ୫୭ବର୍ଷର ଦୁଇ ଜଣ ପୁରୁଷ ଚିହ୍ନଟ ହୋଇଛନ୍ତି। ଯାଜପୁରର ଦୁଇ ସଂକ୍ରମିତଙ୍କ ପଶ୍ଚିମବଙ୍ଗ ଲିଙ୍କ୍‌ ରହିଛି।

ଆଜି ମଧ୍ୟ ରାଜ୍ୟରେ ଜଣେ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ତାଙ୍କର କୋଭିଡ ନମୁନା ନେଗେଟିଭ୍ ଆସିଛି। ଯାହାଫଳରେ ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖା ୬୧ରେ ପହଞ୍ଚିଛି। ଦୀର୍ଘ ୩୫ ଦିନ ପରେ ଓଡ଼ିଶାର ୫ ନମ୍ବର କରୋନା ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଛନ୍ତି। ଭୁବନେଶ୍ବର ସୂର୍ଯ୍ୟନଗରର ବାସିନ୍ଦା ଏହି ୬୦ ବର୍ଷ ବୟସ୍କ ‌କୋଭିଡ୍‌-୧୯ ରୋଗୀ ମାର୍ଚ୍ଚ ୩୧ ତାରିଖରୁ ଭୁବନେଶ୍ବର ଏମ୍‌ସରେ ଚିକିତ୍ସିତ ହେଉଥିଲେ।

ରାଜ୍ୟରେ ଏବେ ୧୨୨ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ରାଜ୍ୟରେ ଏ ପର୍ଯ୍ୟନ୍ତ ୪୭୪୫୪ କୋଭିଡ ନମୁନା ପରୀକ୍ଷା ହୋଇଛି। କରୋନା ସନ୍ଦେହରେ ରାଜ୍ୟର ବିଭିନ୍ନ ଡାକ୍ତଖାନାରେ ୨୩୪ଜଣ ପୃଥକବାସରେ ରହିଛନ୍ତି। ଗଞ୍ଜାମ ଜିଲ୍ଲାରେ ସୁରତ ଫେରନ୍ତାଙ୍କ ମଧ୍ୟରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଜିଲ୍ଲାରେ ଯାଞ୍ଚ ପ୍ରକ୍ରିୟା ଓ ସଂକ୍ରମଣ ଅବରୋଧ ଅଞ୍ଚଳରେ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଲାଗି ଏକ ସ୍ବତନ୍ତ୍ର ଟିମ୍ ପଠାଇଛନ୍ତି। ରାଜ୍ୟ ପରିବାର କଲ୍ୟାଣ ନିର୍ଦେଶକ ଡା.ବିଜୟ ପାଣିଗ୍ରାହୀ ଓ ଆରଏମ୍‌ଆରସିର ବୈଜ୍ଞାନିକ ଡା.ଜୟସିଂ ଖତ୍ରୀଙ୍କୁ ପଠାଯାଇଛି। ଏହାସହ ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ କଲେଜର ଡିନ୍‌ ଓ ପ୍ରିନ୍ସିପାଲଙ୍କୁ ଏକ ଆରଆରଟି ଟିମ୍ ଗଠନ କରିବା ଲାଗି କୁହାଯାଇଛି। ଏଥିରେ ଛାତିରୋଗ ବିଭାଗର ଜଣେ ପ୍ରଫେସର/ଭେଷଜ, ନିଶ୍ଚେତକ ବିଭାଗର ଜଣେ ପ୍ରଫେସର/ଆସୋସିଏଟ୍‌ ପ୍ରଫେସର, ମାଇକ୍ରୋବାୟୋଲୋଜି ବିଭାଗର ପ୍ରଫେସର/ଆସୋସିଏଟ୍‌ ପ୍ରଫେସର ଓ କମ୍ୟୁନିଟି ମେଡିସିନ୍‌ ବିଭାଗର ଅନ୍ୟ ୨ଜଣ ଫାକଲ୍‌ଟି ଏହି ଟିମ୍‌ରେ ସାମିଲ କରିବା ଲାଗି କୁହାଯାଇଛି। ଏହି ଆରଆରଟି ଟିମ୍‌ କଣ୍ଟାକ୍ଟ ଟ୍ରେସିଂଠାରୁ ଆରମ୍ଭ କରି ଯାଞ୍ଚ ଓ ନମୁନା ପରୀକ୍ଷାର ତଦାରଖ କରିବେ। ଏହାସହ ସ୍ବାସ୍ଥ୍ୟ ବିଭାଗର ଅନୁରୋଧ କ୍ରମେ ବଲାଙ୍ଗୀର ଜିଲ୍ଲାକୁ ମଧ୍ୟ ଏମ୍‌ସ ଭୁବନେଶ୍ବରର ଏକ ଆର୍‌ଆର୍‌ଟି ଟିମ୍‌କୁ ପଠାଯାଇଛି। ଏହି ଟିମ୍ କରୋନା ନେଇ ଯାଞ୍ଚ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ କୁହାଯାଇଛି।

ଗଞ୍ଜାମ, ମୟୂରଭଞ୍ଜକୁ ବିପଦ
ଭୁବନେଶ୍ବର : ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରିବା ପରେ ଏବେ ଏକାଧିକ ନୂଆ ଜିଲ୍ଲା କରୋନା ସଂକ୍ରମିତ ହୋଇଛନ୍ତି। ପୂର୍ବରୁ କୋଲକାତା ଫେରନ୍ତା ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଥିବା ବେଳେ ଏବେ ସୁରତ ଫେରନ୍ତାଙ୍କୁ ନେଇ ସରକାର ଅକଳରେ ପଡ଼ିଲେଣି। ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲାକୁ ସଂକ୍ରମଣ ଡେଇଁପାରେ। ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିପାରେ। ଆସନ୍ତାକାଲି ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଡେଇଁପାରେ। ଏହାକୁ ନଜରରେ ରଖି ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ଗଞ୍ଜାମକୁ ରାଜଧାନୀର ଏକ ସ୍ବତନ୍ତ୍ର ଟିମ୍ ତଦାରଖ ପାଇଁ ପଠାଯାଇଛି। ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ପ୍ରଶାସନିକ ତନାଘନା ରାତିରେ ଆରମ୍ଭ ହୋଇଛି। ଉଲ୍ଲେଖଯୋଗ୍ୟ, ମୟୂରଭଞ୍ଜ ଜିଲ୍ଲାରୁ ଏ ପର୍ଯ୍ୟନ୍ତ କେହି କ‌ରୋନା ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି।

ସମ୍ବନ୍ଧିତ ଖବର