୪୬ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ଦ୍ୱିତୀୟ କରୋନା ଆକ୍ରାନ୍ତ

ଏମ୍‌ସ ଆବାସିକ ଡାକ୍ତରୀ ସଂଘ ଚିଠିକୁ ନେଇ ବିବାଦ
ଚିକିତ୍ସା କରିଥିବା ଡାକ୍ତରଙ୍କୁ ‘ସଙ୍ଗରୋଧ’ ଛୁଟି
ଏମ୍‌ସ ନିର୍ଦ୍ଦେଶିକା ରଖିଲେ ସ୍ପଷ୍ଟୀକରଣ
ସରକାର ଗୁରୁତ୍ବର ସହ ନେଇଛନ୍ତି: ବାଗ୍‌ଚୀ

ଭୁବନେଶ୍ବର : ରାଜ୍ୟରେ ଦ୍ବିତୀୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଯୁବକ ୪୬ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ୪୩ଜଣଙ୍କ ସହ ଯୋଗାଯୋଗ ହୋଇଛି। ଅନ୍ୟ ୩ଜଣଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା ଜାରି ରହିଛି। ୮ଟି ମନିଟରିଂ ଟିମ୍ ଏଥିପାଇଁ କାର୍ଯ୍ୟ କରୁଛନ୍ତି। କରୋନା ପାଇଁ ନିଯୁକ୍ତ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଆଜି ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ୧୯ ବର୍ଷର ଏହି ଯୁବକ ଇଂଲଣ୍ଡରୁ ଫେରି ୧୮ ତାରିଖରେ ଭୁବନେଶ୍ବରରେ ପହଞ୍ଚିଥିଲେ। ୧୯ ତାରିଖରୁ ତାଙ୍କୁ ହସ୍ପିଟାଲର ପୃଥକବାସରେ ରଖାଯାଇଛି। ତାଙ୍କ ପରିବାର ଲୋକଙ୍କୁ ଘରେ ସଙ୍ଗରୋଧରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ରାଜ୍ୟରେ ଏବେ ସୁଦ୍ଧା ୬୬ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିବା ବେଳେ ୨ଟି ପଜିଟିଭ୍ ରହିଛି ଏବଂ ଆଜି ସୁଦ୍ଧା ୪ଟି ରିପୋର୍ଟ ହସ୍ତଗତ ହୋଇନାହିଁ ବୋଲି ଶ୍ରୀ ବାଗ୍‌ଚୀ ସୂଚନା ଦେଇଛନ୍ତି। ତେବେ ଆଜି ରାତିରେ ସ୍ବାସ୍ଥ୍ୟ ବିଭାଗ ଟ୍ବିଟ୍‌ରେ ଜଣାଇଛି ଯେ ପରୀକ୍ଷା ହୋଇଥିବା ୯ଟି ଯାକ ନମୁନା ନେଗେଟିଭ୍ ରହିଛି।

ଅନ୍ୟପକ୍ଷରେ ଦ୍ବିତୀୟ କରୋନା ଆକ୍ରାନ୍ତଙ୍କୁ ନେଇ ଏକ ବିବାଦ ମୁଣ୍ଡ ଟେକିଛି। ଭୁବନେଶ୍ୱର ଏମ୍‌ସର ଆବାସିକ ଡାକ୍ତରୀ ସଂଘ ଜଣେ କରୋନା ଆକ୍ରାନ୍ତଙ୍କୁ ବେପରୁଆ ଭାବେ ହସ୍ପିଟାଲକୁ ଆଣିବା ନେଇ ଅସନ୍ତୋଷ ପ୍ରକାଶ କରିଥିବା ପ୍ରସଙ୍ଗ ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ସଂପୃକ୍ତ ଡାକ୍ତରୀ ସଂଘ ଏମ୍‌ସ ନିର୍ଦ୍ଦେଶିକାଙ୍କୁ ଏ ନେଇ ଚିଠି ଲେଖିଛି। ଚିଠିରେ ସଂଘର କର୍ମକର୍ତ୍ତାନେ ଲେଖିଛନ୍ତି ଯେ ଏମ୍‌ସର ଜଣେ ବରିଷ୍ଠ ଡାକ୍ତର ଓ ଆଇସୋଲେସନ୍ ୟୁନିଟର ଦାୟିତ୍ୱରେ ଥିବା ଡାକ୍ତର, ଜଣେ କରୋନା ଆକ୍ରାନ୍ତଙ୍କୁ ବେପରୁଆ ଭାବେ ଏମ୍‌ସକୁ ଆଣିଥିଲେ। ଗତକାଲି କରୋନା ଚିହ୍ନଟ ହୋଇଥିବା ଯୁବକ ସେହି ବରିଷ୍ଠ ଡାକ୍ତରଙ୍କ ପୁଅ ହୋଇଥିବାରୁ ଡାକ୍ତର ଜଣଙ୍କ କୌଣସି ନିୟମକୁ ନ ମାନି ବେପରୁଆ ଭାବେ ପୁଅର ଚିକିତ୍ସା କରାଇଛନ୍ତି। ୩ ଦିନ ପୂର୍ବରୁ ସେହି ଡାକ୍ତରଙ୍କ ପୁଅ ବ୍ରିଟେନରୁ ଫେରିଥିଲେ । କିନ୍ତୁ ଏହି ତଥ୍ୟ ସଂପୃକ୍ତ ଡାକ୍ତର ଓ ଆଇସୋଲେସନ୍ ୟୁନିଟର ଦାୟିତ୍ୱରେ ଥିବା ଡାକ୍ତର ପ୍ରକାଶ କରିନଥିଲେ। କରୋନା ଆକ୍ରାନ୍ତଙ୍କ ବାପା ସେଠାରେ ବରିଷ୍ଠ ଡାକ୍ତର ଥିବାରୁ ଅନ୍ୟମାନେ ମଧ୍ୟ ବିପଦ ଘେରକୁ ଆସି ଯାଇଛନ୍ତି। ସଂପୃକ୍ତ ବରିଷ୍ଠ ଡାକ୍ତର ସେମାନଙ୍କ ସହ ବିଶ୍ୱାସ ଘାତକତା କରିଛନ୍ତି। ଏଥିପାଇଁ ଆଇସୋଲେସନ୍ ୟୁନିଟର ଡାକ୍ତର ମଧ୍ୟ ସମ ପରିମାଣରେ ଦାୟୀ ବୋଲି ସେମାନେ ଅଭିଯୋଗ ଆଣିଛନ୍ତି। ହେଲେ ଆଜି ଅପରାହ୍ନରେ ଏମ୍‌ସରେ ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ଏଭଳି ଚିଠି ସେମାନେ ଲେଖିନଥିବା ଡାକ୍ତରମାନେ କହିଛନ୍ତି। ତେବେ ଏମ୍‌ସ ଘଟଣାକୁ ସରକାର ଗୁରୁତ୍ବର ସହ ନେଇଛନ୍ତି, ସର୍ବୋଚ୍ଚସ୍ତରରେ ସମୀକ୍ଷା ଓ ଆଲୋଚନା ଚାଲିଛି ଏବଂ ଘଟଣାରେ ପ୍ରଭାବିତ ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି ବୋଲି ଶ୍ରୀ ବାଗ୍‌ଚୀ କହିଛନ୍ତି।

ନିର୍ଦେଶିକା ଗୀତାଞ୍ଜଳି ବି. କହିଛନ୍ତି ଯେ ଆକ୍ରାନ୍ତ ଯୁବକଙ୍କ ପ୍ରାଥମିକ ପରୀକ୍ଷା ସରକାରୀ ନିର୍ଦେଶାବଳୀ ଅନୁସାରେ କରାଯାଇଛି। ମାତ୍ର କେହି ଗୁଜବ ସୃଷ୍ଟି କରି ଲୋକଙ୍କୁ ବିଭ୍ରାନ୍ତି କରିବାକୁ ଉଦ୍ୟମ କରୁଛନ୍ତି। ଯୁବକଙ୍କୁ ପରୀକ୍ଷା କରିଥିବା ସିନିୟର୍ ରେସିଡେଣ୍ଟ ଓ ଆଇସୋଲେସନ୍ ୱାର୍ଡ ଦାୟିତ୍ବରେ ଥିବା ଡାକ୍ତରଙ୍କୁ ୧୪ ଦିନ ପାଇଁ ହୋମ୍ କ୍ବାରାଣ୍ଟିନ୍‌ରେ ରହିବା ପାଇଁ ଛୁଟି ଦିଆଯାଇଛି।

ସମ୍ବନ୍ଧିତ ଖବର