ଓଡ଼ିଶାରେ ଆଉ ଜଣେ କରୋନା ରୋଗୀ : ମୁକାବିଲା ପାଇଁ ଖୋଲିଲା ନୂଆ ନିୟନ୍ତ୍ରଣ କକ୍ଷ, ଭବାନୀ ମଲ୍‌ରେ କାର୍ଯ୍ୟ କରିବ

ଭୁବନେଶ୍ବର : ଗୁରୁବାର ରାତିରେ ଓଡ଼ିଶାରେ ଆଉ ଜଣେ କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବା ରିପୋର୍ଟ ମିଳିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ରେ ପହଞ୍ଚିଛି। ମିଳିଥିବା ସୂଚନା ଅନୁଯାୟୀ; ୟୁରୋପର ଏକ ଦେଶରେ ପାଠ ପଢ଼ୁଥିବା ଜଣେ ୨୦ ବର୍ଷୀୟ ଯୁବକ ଗତକାଲି ଓଡ଼ିଶା ଫେରିବା ପରେ ନିଜଆଡ଼ୁ ସରକାରଙ୍କ ପୋର୍ଟାଲରେ ନାଁ ପଞ୍ଜୀକରଣ କରିଥିଲେ। ତାଙ୍କ ଶରୀରରେ କରୋନାର ଲକ୍ଷଣ ଥିବାରୁ ଆଜି ଅନ୍ୟ ୧୪ ଜଣଙ୍କ ସହିତ ତାଙ୍କ ରକ୍ତ ଓ ସ୍ବାବ୍‌ ନମୁନା ପରୀକ୍ଷା ପାଇଁ ଭୁବନେଶ୍ବରର ଆର୍‌ଏମ୍‌ଆର୍‌ସିକୁ ପଠାଯାଇଥିଲା। ‌ସେଥିମଧ୍ୟରୁ କେବଳ ଏହି ଯୁବକଙ୍କର ରିପୋର୍ଟ ହିଁ ପଜିଟିଭ୍ ଆସିଛି।

ଇତିମଧ୍ୟରେ ବିଦେଶ ଫେରନ୍ତାଙ୍କ ପାଇଁ ସରକାର ପଞ୍ଜୀକରଣ ବାଧ୍ୟତାମୂଳକ କରିବା ପରେ ଲୋକମାନଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ଏ ପର୍ଯ୍ୟନ୍ତ ୧୦୦ଟି ଦେଶରୁ ଫେରିଥିବା ୨୬୦୦ଜଣ ୧୦୪ ସହାୟତା ନମ୍ବର ଓ ପୋର୍ଟାଲରେ ନିଜର ପଞ୍ଜୀକରଣ କରାଇ ସାରିଛନ୍ତି। ରାଜ୍ୟର ସବୁ ଜିଲ୍ଳାରୁ ଏଥିପାଇଁ ପଞ୍ଜୀକରଣ ହୋଇଛି। ଗତ ୨୪ ଘଣ୍ଟାରେ ୧୦୪ ସହାୟତା ନମ୍ବରକୁ ୧୨ହଜାର ୨୬୮ଟି କଲ୍ ଆସିଛି ବୋଲି ରାଜ୍ୟ ସରକାରଙ୍କର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି। ଶ୍ରୀ ବାଗଚୀ କହିଲେ ଯେ ୧୦୪ ସହାୟତା ନମ୍ବରରେ ୮୦/୮୫ଜଣ କର୍ମଚାରୀ କାର୍ଯ୍ୟ କରୁଥିବା ବେଳେ ଆଗକୁ ୧୫୦ ଲୋକ କାମ କରିବା ଭଳି ବ୍ୟବସ୍ଥା କରାଯାଉଛି। ଏହି ନମ୍ବରକୁ କଲ୍‌ କରୁଥିବା ଲୋକମାନଙ୍କ ସୁବିଧା ପାଇଁ ବିଶେଷଜ୍ଞ ଭାବେ ଅବସରପ୍ରାପ୍ତ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଡା. ସରୋଜ ସାହୁଙ୍କୁ ନୋଡାଲ ଅଧିକାରୀ ଭାବେ ଦାୟିତ୍ବ ଦିଆଯାଇଛି। ତାଙ୍କ ସହ ଅନ୍ୟ ୧୪ଜଣ ଡାକ୍ତର ମଧ୍ୟ ଏଥିରେ ଉପଲବ୍ଧ ହେବେ। ଆସନ୍ତା ୧୦ ଦିନ ‌ପରେ ଯଦି ଅଧିକ ମାତ୍ରାରେ କଲ୍ ଆସିବ, ତେବେ ଆହୁରି ୧୫୦ଜଣ କର୍ମଚାରୀ ଓ ୧୫ ଜଣ ଡାକ୍ତର କାର୍ଯ୍ୟ କରିବା ଭଳି ପଦ‌କ୍ଷେପ ଗ୍ରହଣ କରାଯିବ। ସେହିପରି ୧୦୪ସହାୟତା ନମ୍ବରକୁ ଯେଉଁ ସୂଚନା ଆସିବ, ତାହା ଉପରେ ସଙ୍ଗରୋଧରେ ଥିବା ବ୍ୟକ୍ତିମାନଙ୍କୁ ଫୋନ୍ ଓ ମେସେଜ୍ କରାଯିବ। ଓଡ଼ିଶା କମ୍ପ୍ୟୁଟର୍‌ ଆପ୍ଲିକେସନ୍ ସେଣ୍ଟର(ଓକାକ୍‌)ରେ ଏକ ଆଉଟବାଉଣ୍ଡ କଲ୍‌ ସେଣ୍ଟର୍‌ (ଓସିସି) ପ୍ରତିଷ୍ଠା କରାଯାଇଛି। ଡା. ବ୍ରଜ ଦାଶଙ୍କ ସମେତ ଅନ୍ୟ ୩ଜଣ ଲେଖାଏଁ ବରିଷ୍ଠ ରେସିଡେଣ୍ଟ ଓ କନିଷ୍ଠ ରେସିଡେଣ୍ଟ ଡାକ୍ତର ନିଯୁକ୍ତ ହୋଇଛନ୍ତି। ଏହାସହ ଭବାନୀ ମଲରେ ମୁଖ୍ୟ କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରିବ। ପୂର୍ବରୁ ଥିବା ଆଇଡିଏସ୍‌ପି ସେଲ୍ ସେଠାକୁ ଉଠିଯିବ। ସ୍ବାସ୍ଥ୍ୟ ବିଭାଗର ଜଣେ ଯୁଗ୍ମ ନିର୍ଦେଶକଙ୍କ ସହ ୫ ଜଣ ଡାକ୍ତର ପ୍ରତି ସିଫ୍‌ଟରେ ଉପସ୍ଥିତ ରହିବେ।

୭୫ରୁ ୭୩ ନମୁନା ନେଗେଟିଭ୍
୧୦୦ ଦେଶରୁ ୨୬୦୦ ପଞ୍ଜୀକରଣ
ହାଇ-ଏଣ୍ଡ ସେଲୁନ୍, ବ୍ୟୁଟିପାର୍ଲର ଓ ସ୍ପା’ ବନ୍ଦ
ପୋଷା ଜନ୍ତୁଙ୍କୁ ବାହାରକୁ ନ ଛାଡ଼ିବାକୁ ନିର୍ଦେଶ

ଘରେ ସଙ୍ଗରୋଧରେ ଥିବା ବ୍ୟକ୍ତି ଯଦି ବାହାରକୁ ଯାଇଛନ୍ତି, ତେବେ ସେ କେଉଁ କେଉଁ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି, ତାହାର ଟ୍ରେସିଂ କରାଯିବ। ଏହାସହ ପୁଲିସ ମହାନି‌ର୍ଦ୍ଦେଶକ ମଧ୍ୟ ଜଣେ ଡିଏସ୍‌ପି ପାହ୍ୟାର ଅଧିକାରୀଙ୍କୁ ଏହି କଣ୍ଟ୍ରୋଲ ରୁମ୍‌ରେ ନିଯୁକ୍ତ କରିଛନ୍ତି। ପ୍ରତି ଜିଲ୍ଲାରେ ଥିବା ଆଇଡିଏସ୍‌ପି ସେଲର ସମନ୍ବୟରେ ଜିଲ୍ଲାସ୍ତରରେ ନଜର ରଖାଯିବ। ସେହିପରି ‌ରାଜ୍ୟରେ ଏ ପର୍ଯ୍ୟନ୍ତ ୬୧ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ୬୦ଟି ନମୁନା ନେଗେଟିଭ୍ ରହିଛି। ୨୩ଜଣ ବିଭିନ୍ନ ହସ୍ପିଟାଲରେ ଅବଜରଭେସନ୍‌ରେ ରହିଛନ୍ତି। ଗତକାଲି ୫ଟି ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା ଓ ସମସ୍ତ ନମୁନା କରୋନା ନେଗେଟିଭ୍ ରହିଛି। ଜିଲ୍ଲାସ୍ତରରେ ଥିବା ହସ୍ପିଟାଲ ଓ ମେଡିକାଲ କଲେଜରେ ଏବେ ୩୧୮୩ଟି ଆଇ‌ସୋଲେସନ୍‌ ଶଯ୍ୟା ପ୍ରସ୍ତୁତ ରହିଛି। ପଞ୍ଚାୟତସ୍ତରକୁ କ୍ବାରେଣ୍ଟିନ୍ ବା ସଙ୍ଗରୋଧ ବ୍ୟବସ୍ଥା କରାଯାଇଛି। କଟକ ମ୍ୟୁନିସିପାଲଟିରେ ୨୧୫୦ଟି ଶଯ୍ୟା ଥିବା ବେଳେ ବ୍ରହ୍ମପୁରରେ ୮୪୦ ଓ ଭୁବନେଶ୍ବର ମ୍ୟୁନିସିପାଲଟିରେ ଥିବା ଘରୋଇ ମେଡିକାଲ କଲେଜରେ ୯୯ଟି ଶଯ୍ୟା ପ୍ରସ୍ତୁତ ରହିଛି। କଟକରେ ୯୯ଟି ଦେୟଯୁକ୍ତ ସଙ୍ଗରୋଧ ବ୍ୟବସ୍ଥା ହୋଟେଲରେ ଥିବା ବେଳେ ସହରାଞ୍ଚଳରେ ୪୫୦ଟି ବିଲ୍ଡିଂକୁ ସଙ୍ଗରୋଧ ପାଇଁ ଚିହ୍ନଟ କରାଯାଇଛି। ତହିଁରେ ୫୧ ହଜାର ୧୬୦ଜଣ ଏହାର ସୁବିଧା ନେଇପାରିବେ। ୬୭୯୮ଟି ପଞ୍ଚ‌ାୟତର ସଦସ୍ୟମାନଙ୍କ ବୈଠକ ଅନୁଷ୍ଠିତ ହେବା ସହ ୨ଲକ୍ଷ ୩୭ହଜାର କର୍ମକର୍ତାଙ୍କୁ କରୋନା ସଂପର୍କରେ ସଚେତନ କରାଯାଇଛି। ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବାକୁ ତ୍ବରାନ୍ବିତ କରିବା ପାଇଁ ୬୭୯୮ଟି ପଞ୍ଚାୟତରେ ୭୧୭୬ ଅସ୍ଥାୟୀ ଚିକିତ୍ସା ଶିବିର ସ୍ଥାପନ କରାଯାଇଛି। ଫଳରେ ଶଯ୍ୟା ସଂଖ୍ୟା ୪ଲକ୍ଷ ୨୨ହଜାର ୪୧୬କୁ ବୃଦ୍ଧି ପାଇଛି।

ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଇଁ ୪୮ଲକ୍ଷ ୩୮ହଜାର ୫୪୮ଜଣ ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଅନୁସା‌ରେ, ୪ ମାସର ଆଗୁଆ ଭତ୍ତା ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏ ସଂପର୍କ‌ରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା ପଠାଯାଇଛି। ହିତାଧିକାରୀଙ୍କୁ ସେମାନଙ୍କ ଗ୍ରାମରେ ସିଧାସଳଖ ଅଗ୍ରୀମ ଭତ୍ତା ପ୍ରଦାନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏହାସହ ହାଇ-ଏଣ୍ଡ ସେଲୁନ୍, ବ୍ୟୁଟିପାର୍ଲର୍‌ ଓ ସ୍ପା’ ଆଦି ଅନ୍ୟ ଆଦେଶ ପର୍ଯ୍ୟନ୍ତ ବନ୍ଦ ରହିବା ପାଇଁ କୁହାଯାଇଛି। ସଂଗ୍ରହାଳୟ, ଗ୍ରନ୍ଥାଗାର ଓ ଥିଏଟରକୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ହୋଇଛି। ଯେଉଁ ଲୋକମାନେ ଘରେ ପୋଷା ଜନ୍ତୁ ରଖିଛନ୍ତି, ସେମାନଙ୍କୁ ବାହାରକୁ ନ ଛାଡ଼ିବା ଲାଗି ମଧ୍ୟ କୁହାଯାଇଛି। ଜରୁରୀକାଳୀନ ସ୍ଥିତିକୁ ଦେଖି ରେସିଡେଣ୍ଟ ୱେଲଫେୟାର କମିଟିଗୁଡ଼ିକ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଥିବା ଶ୍ରୀ ବାଗଚୀ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଓ ଲୋକସଂପର୍କ ବିଭାଗର ସଚିବ ସଂଜୟ ସିଂ ଓ କ୍ରିଷନ୍ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର