୨ ଡାକ୍ତର, ୩ ନର୍ସଙ୍କ ସ୍ବାବ୍ ସଂଗ୍ରହ
୧୬୦ ଶିଶୁଙ୍କୁ ସଂକ୍ରମଣ ଭୟ ବଢ଼ିଲା
କଟକ : ଶିଶୁଭବନ ୱାର୍ଡରୁ ୱାର୍ଡ କରୋନା ଭୂତାଣୁ ଡେଇଁବା ଆରମ୍ଭ କଲାଣି। ଜାପାନ କୋଠାର 'ଫିଭର କ୍ଲିନିକ୍' ପରେ ନ୍ୟୁ ମେଡିକାଲ୍ ୱାର୍ଡରେ ଚିକିତ୍ସିତ ହୋଇଥିବା ଜଣେ ଶିଶୁପୁତ୍ର ଦ୍ବିତୀୟ କରୋନା ରୋଗୀ ଭାବେ ଆଜି ଚିହ୍ନଟ ହୋଇଛି। ଜଗତସିଂହପୁରର ୬ ବର୍ଷର ଶିଶୁପୁତ୍ର କରୋନା ଆକ୍ରାନ୍ତ ଚିହ୍ନଟ ପରେ ହସ୍ପିଟାଲରେ ଆତଙ୍କ ଖେଳିଯାଇଛି। ନ୍ୟୁ ମେଡିକାଲ ଏବଂ ଏସଏନସିୟୁର ୧୬୦ ଶିଶୁ ଓ ସେମାନଙ୍କ ଅଭିଭାବକଙ୍କୁ ସଂକ୍ରମଣ ଭୟ ବଢ଼ିଯାଇଛି। ଅଧିକାଂଶ ଶିଶୁଙ୍କ କ୍ଷେତ୍ରରେ କରୋନା ଲକ୍ଷଣ ଦେଖାଯାଉନଥିବାରୁ ସେମାନେ କୌଣସି ମୁହୂର୍ତ୍ତରେ ସଂକ୍ରମିତ ହେବାର ଆଶଙ୍କା କରାଯାଉଛି।
ସୂଚନା ଅନୁଯାୟୀ, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବିଦ୍ୟାଧରପୁରର ଜଣେ ୬ ବର୍ଷର ଶିଶୁପୁତ୍ର ଏକ ହସ୍ପିଟାଲରୁ ଆସି ଗଲା ୬ ତାରିଖରେ ଶିଶୁଭବନରେ ଭର୍ତ୍ତି ହୋଇଥିଲା। ତାକୁ ନ୍ୟୁ ମେଡିକାଲ ମେଡିସିନ୍ ୱାର୍ଡ-୧ ବେଡ୍ ନଂ ୧୮୪ରେ ଭର୍ତ୍ତି କରାଯାଇଥିଲା। ଜ୍ବର ଭଲ ନହେବାରୁ ତାକୁ ୭ ତାରିଖ ମଙ୍ଗଳବାର ଡାଇରିଆ ୱାର୍ଡ ଉପର ମହଲାରେ କରୋନା ସନ୍ଦିଗ୍ଧଙ୍କ ପାଇଁ ଖୋଲିଥିବା ୧୨ ବେଡ୍ ବିଶିଷ୍ଟ ଆଇସୋଲେସନ୍ ସେଣ୍ଟର 'ସାରୀ ଓ୍ବାର୍ଡ'ରେ ଭର୍ତ୍ତି କରାଯାଇ ସ୍ବାବ୍ ସଂଗ୍ରହ କରାଯାଇଥିଲା। ଆଜି ସମ୍ପୃକ୍ତ ଶିଶୁର ରିପୋର୍ଟ ପଜିଟିଭ୍ ଚିହ୍ନଟ ହୋଇଛି। ଚିହ୍ନଟ ପରେ ତାକୁ କୋଭିଡ୍ ହସପିଟାଲକୁ ସ୍ଥାନାନ୍ତର କରି ଦିଆଯାଇଛି। ତେବେ ୬ ତାରିଖରେ ନ୍ୟୁ ମେଡିକାଲ୍ ୱାର୍ଡ-୧ରେ ଶିଶୁଟିର ଚିକିତ୍ସା କରିଥିବା ୨ ଡାକ୍ତର ଏବଂ ୩ ଜଣ ନର୍ସ ସିଧାସଳଖ ସଂସ୍ପର୍ଶରେ ଆସିଥିବାରୁ ସେମାନଙ୍କୁ ଚିହ୍ନଟ କରାଯାଇ ସ୍ବାବ୍ ନମୁନା ସଂଗ୍ରହ କରାଯାଇଛି। ଏହି ୫ ଜଣଙ୍କୁ ୭ ଦିନିଆ ସଂଗରୋଧରେ ପଠାଇ ଦିଆଯାଇଛି। ତେବେ ଶିଶୁଟି ପ୍ରଥମେ ଶିଶୁଭବନ ଆସିବା ପରେ ଜାପାନ କୋଠାରେ ଥିବା ଓପିଡି କାଉଣ୍ଟରରେ ଟିକଟ କାଟିବା ସହିତ ସାଧାରଣ ଆଉଟଡୋରରେ ଡାକ୍ତର ଚିକିତ୍ସା କରିଥିଲେ। ପରେ ଶିଶୁକୁ ନ୍ୟୁ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।
ଅନ୍ୟପଟେ ନ୍ୟୁ ମେଡିକାଲରେ ଗୋଟିଏ ଦିନ ଶିଶୁଟି ଚିକିତ୍ସିତ ହୋଇଥିବାରୁ ସେଠାରେ ଥିବା ୧୨୦ ବେଡ୍, ଲାଇବ୍ରେରୀ, ଡାକ୍ତରଙ୍କ ଚାମ୍ବର ଏବଂ ଉପର ମହଲାରେ ଥିବା ୪୦ ବେଡ୍ ବିଶିଷ୍ଟ ଏସଏନସିୟୁର ରୋଗୀଙ୍କ ଅଭିଭାବକ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରାଯାଉଛି। ନ୍ୟୁ ମେଡିକାଲ୍ ୱାର୍ଡରେ ରୋଗୀଙ୍କ ଅଭିଭାବକଙ୍କ ପାଇଁ ଗୋଟିଏ ମାତ୍ର ୱେଟିଂ ରୁମ୍ ଥିବାରୁ ସେଠାରେ ୧୨୦ ବେଡର ଶିଶୁଙ୍କ ଅଭିଭାବକ ରୁହନ୍ତି। ତେବେ କରୋନା ସଂକ୍ରମିତ ଶିଶୁର ପରିବାର ଲୋକଙ୍କ ମାଧ୍ୟମରେ ଅନ୍ୟମାନେ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି। ଗଲା ୪ ତାରିଖରେ ବି ସମାନ ପ୍ରକାର ଅବ୍ୟବସ୍ଥା ଶିଶୁଭବନରେ ଦେଖା ଦେଇଥିଲା। ସାଲେପୁର ମୁତାରିଫା ଅଞ୍ଚଳର ଜଣେ ୯ ବର୍ଷ ଶିଶୁପୁତ୍ର ଜାପାନ କୋଠାରେ ଥିବା 'ଫିଭର କ୍ଲିନିକ୍'କୁ ଆସିଥିଲା। ସେଠାରେ ସେ ସାଧାରଣ ଓପିଡିର ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲା। ଏଯାଏ ଉକ୍ତ ଶିଶୁ ହସପିଟାଲ କର୍ମଚାରୀଙ୍କ ବାଦ୍ ଅନ୍ୟ କେଉଁମାନଙ୍କ ସଂସ୍ପର୍ଶରେ ଆସିଛି, ସେ ନେଇ କଣ୍ଟାକ୍ଟ ଟ୍ରେସିଂ କରାଯାଇନାହିଁ। କେବଳ ଫିବର କ୍ଲିନିକର ରେସିଡେନ୍ସ ଡାକ୍ତର ଏବଂ ଫାର୍ମାସିଷ୍ଟଙ୍କ ସ୍ବାବ୍ ନମୁନା ସଂଗ୍ରହ କରି ଦାୟିତ୍ବ ସାରି ଦିଆଯାଇଛି।
ଶିଶୁଭବନ ଅଧୀକ୍ଷକ ଡାକ୍ତର ପ୍ରଫେସର ସରୋଜ ଶତପଥୀ କହିଛନ୍ତି ଯେ କରୋନା ଚିହ୍ନଟ ହୋଇଥିବା ଜଗତସିଂହପୁରର ଉକ୍ତ ଶିଶୁପୁତ୍ରକୁ କୋଭିଡ ହସପିଟାଲକୁ ସ୍ଥାନାନ୍ତର କରି ଦିଆଯାଇଛି। ନ୍ୟୁ ମେଡିକାଲ ଓ୍ବାର୍ଡରେ ଶିଶୁଟି ଚିକିତ୍ସିତ ହୋଇଥିବାରୁ ସେଠାକାର ଡାକ୍ତର ଓ ନର୍ସଙ୍କ ସ୍ବାବ୍ ସଂଗ୍ରହ ହୋଇଥିବାବେଳେ ହସ୍ପିଟାଲ ପରିସର ବିଶୋଧନ କରାଯାଉଛି।