କଟକ: ବିଚାରପତି ପଦ ପୂରଣ ପ୍ରସଂଗକୁ ନେଇ ସେମାବାରଠାରୁ ଆରମ୍ଭ ହୋଇଥିବା ହାଇକୋର୍ଟ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ହାଇକୋର୍ଟ ବାର୍‌ ଆସୋସିଏସନ୍‌ ସାଧାରଣ ପରିଷଦ ବୈଠକରେ ଫେବ୍ରୁଆରି ୧୯ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବେଳେ ଏପରି ନିଷ୍ପତ୍ତି ସଂପର୍କରେ କଟକର ଅନ୍ୟ ବାର୍‌ ଆସୋସିଏସନ୍‌ ଗୁଡିକୁ ମଧ୍ୟ ଅବଗତ କରାଯାଇଥିଲା। କଟକର ଅନ୍ୟ ଆଇନଜୀବୀ ସଂଘ ଗୁଡିକ ମଧ୍ୟ ହାଇକୋର୍ଟ ବାର୍‌ ଆସୋସିଏସନ୍‌ର କୋର୍ଟ ବର୍ଜର୍ନ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। କଟକ ବାର୍‌ ଆସୋସିଏସନ୍‌, କ୍ୟାଟ୍‌ ବାର୍‌ ଆସୋସିଏସନ୍‌, କଟକ ବାର୍‌ ଆସୋସିଏସନ୍‌, କ୍ରିମିନାଲ କୋର୍ଟସ୍‌ ବାର୍‌ ଆସୋସିଏସନ୍‌ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଫଳରେ ଆଜି ହାଇକୋର୍ଟ ସହିତ ଜିଲ୍ଲା ଓ ଦୌରା ଜଜ୍‌ ଅଦାଲତ, କ୍ୟାଟ୍‌, ସ୍ୟାଟ୍‌, ଡିଆରଟି, ଖାଉଟି ଅଦାଲତରେ ଅଚଳାବସ୍ଥା ଦେଖା ଦେଇଥିଲା। ବିଚାରପତି ଅଦାଲତରେ ଉପସ୍ଥିତ ଥିବା ବେଳେ ଆଇନଜୀବୀମାନେ କାର୍ଯ୍ୟରେ ଯୋଗ ଦେଇ ନଥିଲେ। ଫଳରେ ମାମଲା ଗୁଡିକର ଶୁଣାଣି ହୋଇ ପାରି ନଥିଲା। ହାଇକୋର୍ଟ ବାର୍‌ ଆସୋସିଏସନ୍‌ କାର୍ଯ୍ୟବନ୍ଦ ଅନ୍ଦୋଳନକୁ ରାଜ୍ୟର ଅନ୍ୟ ଜିଲ୍ଲାର ଓକିଲ ସଂଘ ଗୁଡିକ ମଧ୍ୟ ସମର୍ଥନ ଜଣାଇ ଆନ୍ଦୋଳନରେ ସାମିଲ ହୋଇଥିବା ସୂଚନା ମିଳିଛି।