ପୁରୀ: ମହାପଞ୍ଚକର ଆଜି ଦ୍ୱିତୀୟ ଦିନରେ ଶ୍ରୀଜିଉଙ୍କ ବାଙ୍କଚୁଡ଼ ବେଶ ଓ ଗରୁଡ଼ ଉତ୍‌ଥାପନ ନୀତି ଅନୁଷ୍ଠିତ ହୋଇଛି। ଏଥିପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ହୋଇଥିଲା। ତେବେ ପଞ୍ଚକର ଦ୍ବିତୀୟ ଦିନରେ ସେଭଳି ଭିଡ଼ ଦେଖିବାକୁ ମିଳିନି। ସିଂହଦ୍ବାର ଦର୍ଶନ ସେଡ୍‌ ଖାଲି ପଡ଼ିଥିବାବେଳେ ଅଳ୍ପସଂଖ୍ୟକ ଭକ୍ତ ଆସି ମହାପ୍ରଭୁଙ୍କ ଦର୍ଶନ କରି ଫେରିଛନ୍ତି। କେବଳ ସାତପାହାଚ ନିକଟରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଆସନ୍ତାକାଲି ଗୁରୁବାର ଭକ୍ତମାନେ ମହାପ୍ରଭୁଙ୍କୁ ଡାଳିକିଆ ବା ତ୍ରିବିକ୍ରିମ ବେଶରେ ଦର୍ଶନ କରି‌ବାର ସୌଭାଗ୍ୟ ପାଇବେ। ଗତକାଲି ମହାପ୍ରଭୁଙ୍କ ନୀତିରେ ଅହେତୁକ ବିଳମ୍ବ ହୋଇଥିଲା। ସନ୍ଧ୍ୟାଧୂପ ରାତି ପ୍ରାୟ ସାଢ଼େ ଗୋଟାଏରେ, ବଡ଼ସିଂହାର ବେଶ ରାତି ୩ଟା ୨୫ରେ ଓ ହରି ଉତ୍‌ଥାପନ ନୀତି ଭୋର ୪ଟାରେ ଅନୁଷ୍ଠିତ ହୋଇଥିଲା। ନୀତି ବିଳମ୍ବ କାରଣରୁ ଗତକାଲି ରାତ୍ର ପହୁଡ଼ ହୋଇ ପାରିନଥିଲା।

Advertisment

ନୀତି ବିଳମ୍ବ, ଅନିଦ୍ରା ରହିଲେ ମହାପ୍ରଭୁ
ଆଜି ଠାକୁରଙ୍କ ଡାଳିକିଆ ବେଶ

ଏଣୁ ଆଜିର ନୀତିକାନ୍ତି ବିନା ପହୁଡ଼ରେ ଅନୁଷ୍ଠିତ ହୋଇଛି। ମହାପ୍ରଭୁ ଅନିଦ୍ରା ରହିଛନ୍ତି। ଆଜି ମଧ୍ୟ ନୀତି ବିଳମ୍ବ ହୋଇଛି। ଭୋର ୫ଟା ବଦଳରେ ପ୍ରାୟ ଘଣ୍ଟାଏ ବିଳମ୍ବରେ ଅର୍ଥାତ ୬ଟା ୧୦ରେ ମଙ୍ଗଳା ଆଳତି ନୀତି ସଂପନ୍ନ ହୋଇଛି। ସେହି ଅନୁସାରେ ଅନ୍ୟାନ୍ୟ ନୀତି ବିଳମ୍ବ ହେବାରୁ ମହାପ୍ରଭୁଙ୍କ ବାଙ୍କଚୁଡ଼ ବେଶ ୯ଟା ୪୦ରେ ଶେଷ ହୋଇଥିଲା। ଏହା ପରେ ଭକ୍ତମାନେ ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କରିଥିଲେ। ବାଙ୍କଚୁଡ ବେଶରେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ମସ୍ତକରେ ଚନ୍ଦ୍ରିକା ଚୂଳ ସହିତ ଦକ୍ଷିଣ ଦିଗକୁ ଖୋସା ପଡ଼େ। ଏହି ଖୋସାର (ବେଣି) ଅଗ୍ରଗଣ୍ଠିରେ ଏକ ସୁବର୍ଣ୍ଣ କିଆ ଖଞ୍ଜା ଯାଇଥାଏ। ଏକ ଛୋଟ ସ୍ୱର୍ଣ୍ଣ କିରୀଟ ମହାପ୍ରଭୁଙ୍କ କପାଳର ଖୋସାର ଶୀର୍ଷ ଭାଗରେ ଶୋଭା ପାଇଥାଏ। ଏହି ବେଶରେ ଠାକୁରମାନେ ଅବିକଳ ବାମନ ବେଶ ପରି ଦୃଶ୍ୟମାନ ହୋଇଥାନ୍ତି। ପାଳିଆ ମେକାପ, ଖୁଣ୍ଟିଆ, ଚାଙ୍ଗଡ଼ା ମେକାପ, ପାଳିଆ ପୁଷ୍ପାଳକମାନେ ବେଶ ସଂପନ୍ନ କରିଥିଲେ। ଏହା ପରେ ଗରୁଡ଼ ଉତ୍‌ଥାପନ ନୀତି, ମହାପ୍ରଭୁଙ୍କ ବଡ଼ସିଂହାର ବେଶ ଓ ଭୋଗ ନୀତି ହୋଇଥିଲା।