ଭୁବନେଶ୍ବର : ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି)ର ମହିଳା ଉଦ୍ୟୋଗୀ ପରିଷଦ(ଆଇଡବ୍ଲ୍ୟୁଇସି) ପକ୍ଷରୁ ଜନତା ମଇଦାନଠାରେ ଆୟୋଜିତ ‘ପ୍ରଥମ ମହିଳା ବାଣିଜ୍ୟ ମେଳା’ ଆଜି ଦ୍ବିତୀୟ ଦିନରେ ପହଞ୍ଚିଛି। ମହିଳାଙ୍କ ସ୍ବାସ୍ଥ୍ୟ, ଉତ୍କର୍ଷ ଓ ପୋଷଣକୁ ନେଇ ଆଜି ଆୟୋଜିତ ୩ଟି ଅଧିବେଶନରେ ଦେଶର ବହୁ ଜଣାଶୁଣା ବ୍ୟକ୍ତିବିଶେଷ ଯୋଗଦେଇଥିଲେ। ସେମାନେ ବିଭିନ୍ନ ସମ୍ବେଦନଶୀଳ ପ୍ରସଙ୍ଗରେ ଆଲୋଚନା କରିବା ସହ ଫିଟ୍ନେସ୍ ମନ୍ତ୍ର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଆଧ୍ୟାତ୍ମିକ ଗୁରୁ ଶ୍ରୀଗୌରାଙ୍ଗ ଦାସ ପ୍ରଭୁ ପ୍ରତିଟି କ୍ଷେତ୍ରରେ ନାରୀ କିଭଳି ନିଜ ଉତ୍କର୍ଷ ବଜାୟ ରଖିଛି, ସେ ସମ୍ପର୍କରେ ପ୍ରେରଣାଦାୟୀ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ୧୭ଜଣ ସଫଳ ମହିଳାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଫାଲକନ୍ର କମ୍ପାନି ସେକ୍ରେଟାରି ସୁସ୍ମିତା ଦତ୍ତ, ନେକ୍ସା ସାଇବର୍ ସିଟିର ସେଲ୍ସ ମ୍ୟାନେଜର୍ ସୁଶ୍ରୀ ଶୁଭଲକ୍ଷ୍ମୀ ଦାସ, ତୁସି ମୋଟର୍ସ୍ର ମାର୍କେଟିଂ ହେଡ୍ ରାଜଶ୍ରୀ ପ୍ରିୟଦର୍ଶନୀ, ରିସ୍ତା ଫୁଡ୍ସ୍ ଆଣ୍ଡ୍ ପ୍ରଡକ୍ଟସ୍ର ନିର୍ଦ୍ଦେଶକ ରିତୁ ଗୁପ୍ତା, ଡି.ଏନ୍ ହୋମ୍ସ୍ର ନିର୍ଦ୍ଦେଶିକା ରତ୍ନମାଳା ସ୍ବାଇଁ, ମେଟ୍ରୋ ଗ୍ରୁପ୍ର ଲିଗାଲ୍ ହେଡ୍ ପଦ୍ମିନୀ ସାହୁ, ‘ସମ୍ବାଦ’ର ଉପ ମହାପ୍ରବନ୍ଧକ (ମାନବ ସମ୍ବଳ) ବୈଜୟନ୍ତୀ କର, ଗାୟତ୍ରୀ ଗ୍ରୁପ୍ର ଡେପୁଟି ମ୍ୟାନେଜର୍ (ପ୍ରୋଜେକ୍ଟସ୍) ସୋନାଲିକା ସାମଲ, ଓଏମ୍ସି ଏଜିଏମ୍ (ଏଫ୍ ଆଣ୍ଡ ଇ) ସଂଧ୍ୟା ମିଶ୍ର, ଅଶ୍ବିନୀ ଗ୍ରୁପ୍ ଏଜିଏମ୍(ଅର୍ଥ) ସୁଜାତା ମହାପାତ୍ର, ଜେଏସ୍ଡବ୍ଲ୍ୟୁର କର୍ପୋରେଟ୍ କମ୍ୟୁନିକେସନ୍ ମୁଖ୍ୟ ରୂପାଲି କର, ଉତ୍କଳ ଆଲୁମିନା ଜିଏମ୍ (ସିଏସ୍ଆର୍) ଲୋପା ପ୍ରିୟଦର୍ଶନୀ, ଏମ୍ଜିଏମ୍ର ଅର୍ଚ୍ଚନା ସାହୁ, ମେ’ଫେୟାର୍ର କଷ୍ଟମର୍ ରିଲେସନ୍ ଓ ସ୍ପା’ ମ୍ୟାନେଜର୍ ଯଶପୀତ୍ କୌର, ତାଜ୍ ଭିଭାନ୍ତର ଏଫ୍ ଆଣ୍ଡ୍ ବି ବିଭାଗର ପଲ୍ଲବୀ ସାମଲ, ଇଣ୍ଡ୍ଲଜ୍ ସେଲୁନ୍ ମ୍ୟାନେଜର ନୀତୁ ଗନ୍ତାୟତ ଓ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କୁ ସମ୍ବର୍ଧିତ କରାଯାଇଥିଲା। ଆଇଡବ୍ଲ୍ୟୁଇସିର ସଂଯୋଜିକା ସୁକୀର୍ତ୍ତି ପଟ୍ଟନାୟକ ଓ ସହ-ସଂଯୋଜିକା ତନୟା ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶ୍ରେୟସ୍ ବ୍ୟାଣ୍ଡ୍ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ଆସନ୍ତାକାଲି ‘ଓଡ଼ିଶା ପର୍ଯ୍ୟଟନର ଭବିଷ୍ୟତ ଓ ଆଗାମୀ ଯୋଜନା’, ‘ଲିଙ୍ଗଗତ ବୈଷ୍ୟମତାରେ ଶିକ୍ଷା ଓ ସଶକ୍ତୀକରଣ’, ‘ମହିଳା ଓ ଅର୍ଥ: ଆର୍ଥିକ ପରିଚାଳନା ଓ ଫଣ୍ଡିଂର ବ୍ୟବହାର’, ‘ମହିଳା-ଶିକ୍ଷା-ସଶକ୍ତୀକରଣ’ ଏବଂ ‘ପରିବର୍ତ୍ତନର ଉତ୍ପ୍ରେରକ: ରାଜନୀତିରେ ମହିଳାଙ୍କ ଭାଗୀଦାରି’ ଶୀର୍ଷକ ୫ଟି ଅଧିବେଶନ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ଅଧିବେଶନରେ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଯାଦବ, ଆଦିତ୍ୟ ପଣ୍ଡା, ପ୍ରଦୀପ୍ତ ମହାପାତ୍ର, ପ୍ରାଶାସନିକ ଅଧିକାରୀ ଅନନ୍ୟା ଦାସ, ମୋନାଲିସା ବଳ, ପଞ୍ଚମୀ ମାନୁ ଉକିଲ୍, ଆଶେଷ କେ ପାଣ୍ଡେ, ୟୁ.ଏନ୍ ବେହେରା, ନିଶିକାନ୍ତ ମିଶ୍ର, ଆଇଇଏସ୍ ନିଶିତା ମାନ୍, ସାଂସଦ ଅଚ୍ୟୁତ ସାମନ୍ତ ଓ ସାଂସଦ ସୁଜିତ କୁମାର ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିବେ। ଶେଷରେ ଓଡ଼ିଆ ଚଳଚ୍ଚିତ୍ର ଯାତ୍ରାକୁ ନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।