ଫେବ୍ରୁଆରି ୧୫ରୁ ରାଜ୍ୟରେ କରୋନା ଟିକାର ଦ୍ୱିତୀୟ ଡୋଜ୍

ଆସନ୍ତା ୨ଦିନ ବନ୍ଦ ରହିବ ଟିକାଦାନ
ପ୍ରଥମ ଚରଣରେ ରାଜ୍ୟରେ ୯୨% ଟିକାକରଣ
ରାଜ୍ୟ ତୁଳନାରେ ରାଜଧାନୀରେ ଅଧିକ ନେଇଛନ୍ତି ଟିକା

ଭୁବନେଶ୍ବର : ଆସନ୍ତା ଫେବ୍ରୁଆରି ୧୫ରୁ ରାଜ୍ୟରେ କରୋନା ଟିକାର ଦ୍ବିତୀୟ ଡୋଜ୍ ଦିଆଯିବ। ପ୍ରଥମ ଡୋଜ୍ ନେବାର ୨୮ଦିନ ପରେ ଦ୍ବିତୀୟ ଡୋଜ୍ ନେବାର ନିୟମ ରହିଥିବାରୁ ଏହି ଦିନଠାରୁ ଟିକା ନେବା ଆରମ୍ଭ ହେବ। ମାତ୍ର ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ ଓ ଏହାର ପରବର୍ତୀ ଦିନ ରାଜ୍ୟରେ ଟିକାକରଣ ବନ୍ଦ ରହିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରଥମ ଚରଣ ଟିକାଦାନରେ ରାଜ୍ୟରେ ୧ଲକ୍ଷ ୯୨ହଜାର ୫୫୫ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରହିଛି। ତହିଁରୁ ଭୁବନେଶ୍ବରରେ ୯ହଜାର ଓ ରାଜ୍ୟରେ ୧ଲକ୍ଷ ୮୩ହଜାର ୫୫୫ଜଣ ଟିକା ନେଇ ସାରିଲେଣି। ମୋଟ ୩ଲକ୍ଷ ୫୦ ହଜାର ୭୨୬ଜଣଙ୍କ ମଧ୍ୟରୁ ବଳକା ୧ଲକ୍ଷ ୭୩ହଜାର ୬୩୬ଜଣଙ୍କୁ ଟିକା ଦିଆଯିବ। ଏଥିରେ ଭୁବନେଶ୍ବରରୁ ୧୭ହଜାର ୧୪୧ ଓ ରାଜ୍ୟର ୧ଲକ୍ଷ ୫୬ହଜାର ୪୯୫ଜଣ ରହିଛନ୍ତି। ଆସନ୍ତା ୨୮ତାରିଖରୁ ଫେବ୍ରୁଆରି ୧୦ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟର ଦ୍ବିତୀୟ ଚରଣ ଟିକାକରଣ ଆରମ୍ଭ ହେବ। ରାଜ୍ୟରେ ପ୍ରଥମ ଚରଣ ଟିକାକରଣରେ ୯୨ ପ୍ରତିଶତ ସଫଳତା ମିଳିଛି। ତହିଁରୁ ଭୁବନେଶ୍ବରରେ ୧୦୫ ପ୍ରତିଶତ ଟିକାକରଣ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡ଼ିଛି।

ରାଜ୍ୟରେ ସମୁଦାୟ ୩ଲକ୍ଷ ୫୦ଜହାର ୭୨୬ଜଣ ସ୍ବାସ୍ଥ୍ୟକର୍ମୀ ଟିକା ନେବା ପାଇଁ ପଞ୍ଜୀକୃତ ହୋଇଛନ୍ତି। ଏଥିରେ ୨୬ହଜାର ୬୦୯ଜଣ ଭୁବନେଶ୍ବରରେ ଓ ରାଜ୍ୟରେ ୩ଲକ୍ଷ ୨୪ହଜାର ୧୧୭ଜଣ ରହିଛନ୍ତି। ଏଥିପାଇଁ ଜିଲ୍ଲାୱାରୀ ମାଇକ୍ରୋପ୍ଲାନିଂ ଆସନ୍ତା ୨୭ତାରିଖ ସୁଦ୍ଧା ପ୍ରଦାନ କରିବା ଲାଗି ନିର୍ଦେଶ ଦିଆଯାଇଛି।

ରାଜ୍ୟରେ ଟିକାକରଣର ଅଷ୍ଟମ ଦିନରେ ୯୫ ପ୍ରତିଶତ ଟିକାଦାନ ହୋଇଛି। ସମୁଦାୟ ୩୦୩ଟି ଅଧିବେଶନରେ ୨୬ହଜାର ୮ଜଣଙ୍କୁ ଟିକାଦାନ ଲକ୍ଷ୍ୟ ରହିଥିବା ବେଳେ ୨୪,୭୧୯ଜଣ ଟିକା ନେଇଛନ୍ତି। ପୁରୀରେ ସର୍ବାଧିକ ୧୨୮ ପ୍ରତିଶତ ଟିକାକରଣ ହୋଇଥିବା ବେଳେ ସମ୍ବଲପୁରରେ ସର୍ବନିମ୍ନ ୫୪ ପ୍ରତିଶତ ଟିକାକରଣ ହୋଇଛି। ଭୁବନେଶ୍ବରରେ ୧୧୮ ପ୍ରତିଶତ ଟିକାକରଣ ହୋଇଛି। ବରଗଡ଼ରେ ଆଜି କୌଣସି ଅଧିବେଶନ ଅନୁଷ୍ଠିତ ହୋଇ ନ ଥିଲା। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ୧ଲକ୍ଷ ୭୭ହଜାର ୯୦ଜଣ ଟିକା ନେଇ ସାରିଲେଣି।

ଗତକ‌ାଲି ସୁଦ୍ଧା ଟିକାକରଣରେ ଓଡ଼ିଶା ଦେଶରେ ଦ୍ବିତୀୟ ସ୍ଥାନକୁ ଉଠିଛି। କର୍ଣ୍ଣାଟକରେ ସର୍ବାଧିକ ୧ଲକ୍ଷ ୯୧ହଜାର ୪୪୯ଜଣ ଟିକା ନେଇଥିବା ବେଳେ ଓଡ଼ିଶାରେ ୧ଲକ୍ଷ ୫୨ହଜାର ୩୭୧ଜଣ ଟିକା ନେଇଥିଲେ। ଓଡ଼ିଶା ପଛକୁ ଆନ୍ଧ୍ରରେ ୧ଲକ୍ଷ ୪୭ହଜାର ୩୦, ଉତ୍ତର ପ୍ରଦେଶରେ ୧ଲକ୍ଷ ୨୩ହଜାର ୭୬୧ ଓ ତେଲେଙ୍ଗାନାରେ ୧ଲକ୍ଷ ୧୦ହଜାର ୩୧ଜଣ ଟିକା ନେଇଛନ୍ତି। ଦୁଇଦିନ ପୂର୍ବରୁ ଓଡ଼ିଶା ଦେଶରେ ଟିକାକରଣରେ ତୃତୀୟ ସ୍ଥାନରେ ରହିଥିଲା। ରାଜ୍ୟରେ କରୋନା ଟିକାକୁ ନେଇ ସ୍ବାସ୍ଥ୍ୟକର୍ମୀଙ୍କ ମନରେ ରହିଥିବା ଦ୍ବିଧା ଦୂର ହୋଇଥିବା ନଜରକୁ ଆସିଛି।

ସମ୍ବନ୍ଧିତ ଖବର