ଅନିଶ୍ଚିତତାରେ ଦ୍ୱିତୀୟ ଡୋଜ୍

ଭୁବନେଶ୍ବର : ରାଜ୍ୟରେ ଏବେ ଦ୍ବିତୀୟ ଡୋଜ୍ ଟିକାକୁ ନେଇ ଅନିଶ୍ଚିତତା ଦେଖା ଦେଇଛି। ପ୍ରାୟ ୧୭ଲକ୍ଷ ଲୋକ ଦ୍ବିତୀୟ ଡୋଜ୍ ଟିକା ଅପେକ୍ଷାରେ ରହିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ୪୫ବର୍ଷରୁ ଅଧିକ ‌ବୟସର ଲୋକଙ୍କ ପାଇଁ ଟିକା‌ ଯୋଗାଇ ଦିଆଯାଉଥିବା ବେଳେ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଏଭଳି ପରିସ୍ଥିତି‌ରେ ପ୍ରଥମ ଡୋଜ୍ ଟିକା ନେଇଥିବା ବ୍ୟକ୍ତି ଧାର୍ଯ୍ୟ ସମୟ ଭିତରେ ଯଦି ଦ୍ବିତୀୟ ଡୋଜ୍ ଟିକା ନ ନିଅନ୍ତି ତା’ହେଲେ ବ୍ୟକ୍ତି ନେଉଥିବା ଟିକାର ଏଫିକେସି ବା ଫଳପ୍ରଦତା କମିଯିବ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକଟ କରିଛନ୍ତି।

ରାଜ୍ୟରେ ୪୫ବର୍ଷରୁ ଅଧିକ ୪୩ଲକ୍ଷରୁ ଅଧିକ ଲୋକ ପ୍ରଥମ ଡୋଜ୍ ଟିକା ନେଇଛନ୍ତି। ସେହିପରି ୭ଲକ୍ଷରୁ ଅଧିକ ଲୋକ ଦ୍ବିତୀୟ ଡୋଜ୍ ଟିକା ନେଇଥିବା ବେଳେ ଆହୁରି ଲକ୍ଷାଧିକ ଲୋକ ଦ୍ବିତୀୟ‌ ଡୋଜ୍ ଅପେକ୍ଷାରେ ରହିଛନ୍ତି। ଠିକ୍ ସମୟ ଭିତରେ ଦ୍ବିତୀୟ ଡୋଜ୍ ଟିକା ନ ଦିଆଯାଏ ତା’ହେଲେ କରୋନା ବିରୋଧରେ ଚାଲିଥିବା ଲଢ଼େଇକୁ ଝଟ୍‌କା ଲାଗିପାରେ। ରାଜ୍ୟରେ ଭୁବନେଶ୍ବରରେ ‘କୋଭାକ୍ସିନ୍’ ଓ ରାଜ୍ୟବ୍ୟାପୀ ‘କୋଭିସିଲ୍‌ଡ’ ଟିକା ଦିଆଯାଉଛି। ‘କୋଭିସିଲ୍‌ଡ’ ଟିକାର ପ୍ରଥମ ଡୋଜ୍ ନେଇଥିବା ବ୍ୟକ୍ତି ୬-୮ ସପ୍ତାହ ମଧ୍ୟରେ ଦ୍ବିତୀୟ ଡୋଜ୍ ଟିକା ନେବାର ନିୟମ ରହିଛି। ହେଲେ ଟିକାର ଉତ୍କଟ ଅଭାବ ଓ ଲକ୍ଷାଧିକ ସଂଖ୍ୟାରେ ଲୋକ ଦ୍ବିତୀୟ ଡୋଜ୍ ପାଇଁ ଅପେକ୍ଷା କରିଥିବାରୁ ରାଜ୍ୟବ୍ୟାପୀ ଟିକାକରଣ କରିବା ସରକାରଙ୍କ ପାଇଁ ପ୍ରମୁଖ ଆହ୍ବାନ ପାଲଟିଛି।

ଗତ ୩ଦିନ ତଳେ ରାଜ୍ୟକୁ ୨ଲକ୍ଷ ଡୋଜ୍ ‘କୋଭିସିଲ୍‌ଡ’ ଆସିଥିବା ବେଳେ ଆସନ୍ତା ୧୫ତାରିଖ ସୁଦ୍ଧା ଆହୁରି ୫ଲକ୍ଷ ଡୋଜ୍ ଆସିବ ବୋଲି କୁହାଯାଉଛି। ଯାହାକି ରାଜ୍ୟରେ ଦ୍ବିତୀୟ ଡୋଜ୍ ଅପେକ୍ଷାରେ ରହିଥିବା ଲୋକଙ୍କ ପାଇଁ ଯଥେଷ୍ଟ ନୁହେଁ। ଟିକାକରଣ ବିଶେଷଜ୍ଞ ଡା. କ୍ଷୀରୋଦ ରାଉତଙ୍କ କହିବା କଥା, ଧାର୍ଯ୍ୟ ସମୟଠାରୁ ଯଦି ଯଥେଷ୍ଟ ବିଳମ୍ବ ହୁଏ ତା’ହେଲେ ଟିକାର ଏଫିାକେସି ବା ଫଳପ୍ରଦତା ହ୍ରାସ ପାଇବ। ଯଦିଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା ‘ହୁ’ ପକ୍ଷରୁ ୭୦ ପ୍ରତିଶତ ପର୍ଯ୍ୟନ୍ତ ଆଣ୍ଟିବଡିକୁ ସ୍ବୀକୃତି ଦିଆଯାଇଛି, ଏ ଦୃଷ୍ଟିରୁ ଦ୍ବିତୀୟ ଡୋଜ୍‌ର ବିଳମ୍ବ ୭୦ ପ୍ରତିଶତ ପର୍ଯ୍ୟନ୍ତ ରହିଲେ କରୋନା ଲଢ଼େଇ ଦିଗରେ ଏହା ସହାୟକ ହେବ ବୋଲି ଆଶା କରାଯାଉଛି। ତେବେ ହଠାତ୍ ୧୮-୪୪ ବର୍ଗର ଲୋକଙ୍କୁ ଟିକାକରଣ ପାଇଁ ଅନୁମତି ଦେବା ଟିକାକରଣକୁ ପ୍ରଭାବିତ କରିଛି। ପୂର୍ବରୁ କେନ୍ଦ୍ର ସରକାର ଯେଉଁଭଳି ଭାବେ ସ୍ବାସ୍ଥ୍ୟକର୍ମୀ, ଆଗଧାଡ଼ିର ଯୋଦ୍ଧା, ୬୦ବର୍ଷରୁ ଅଧିକ, ୪୫ବର୍ଷର ଜଟିଳ ରୋଗଧାରୀ ଓ ୪୫ବର୍ଷର ଲୋକଙ୍କ ପାଇଁ ଟିକାକରଣ ଅନୁମତି ଦେଇଥିଲେ। ଏ ଦୃଷ୍ଟିରୁ ୩୦ବର୍ଷ ପର୍ଯ୍ୟନ୍ତ ଟିକାକରଣକୁ ଅନୁମତି ଦେବାର ଆବଶ୍ୟକତା ରହିଥିଲା। ଗୋଟିଏ ପଟେ ଟିକାର ଉତ୍ପାଦନ ବଢ଼ି ପାରୁ ନ ଥିବା ବେଳେ ୧୮ବର୍ଷର ଯୁବପିଢ଼ିଙ୍କୁ ଟିକା ପାଇଁ ଅନୁମତି ଦେବା ଯୋଗୁଁ ପୋର୍ଟାଲରେ ପଞ୍ଜୀକରଣଠାରୁ ଆରମ୍ଭ କରି ସ୍ଲଟ ବୁକିଂ ଓ ଟିକା ଦେବାରେ ସମସ୍ୟା ସୃଷ୍ଟି ହୋଇଛି ବୋଲି ଡା. ରାଉତ କହିଛନ୍ତି।

ସମ୍ ହସ୍ପିଟାଲର କମ୍ୟୁନିଟି ମେଡିସିନ୍ ବିଭାଗର ମୁଖ୍ୟ ଡା. ଭେଙ୍କଟ ରାଓ କହିଛନ୍ତି, ‘କୋଭିସିଲ୍‌ଡ’ ଟିକାର ଦ୍ବିତୀୟ ଡୋଜ୍ ଟିକାର ଅବଧିକୁ ୩ମାସ ପର୍ଯ୍ୟନ୍ତ ମଧ୍ୟ ବଢ଼ାଯାଇ ପାରେ। ଦୁଇ ଡୋଜ୍ ଭିତରେ ବ୍ୟବଧାନ ଅଧିକ ରହିଲେ ଟିକା ଅଧିକ ଫଳପ୍ରଦ ହେବ ବୋଲି ଏହା ବୈଜ୍ଞାନିକସମ୍ମତ। ମହାମାରୀ ଉର୍ଧ୍ବମୁଖୀ ରହିଥିବା ସମୟରେ ଟିକାର ଫଳପ୍ରଦତା ଅଧିକ ରହିଥିବା ବେଳେ ନିମ୍ନମୁଖୀ ବେଳେ ଏହା କମ୍ ଫଳପ୍ରଦ ଦେଖାଇଥାଏ। ଆମେରିକାରେ ବାୟୋ ଏନ୍‌ଟେକ୍ ମଧ୍ୟ ନିଜର ଏଭଳି ଏକ ରିପୋର୍ଟ ପ୍ରକାଶ କରିଥିଲା। ତେଣୁ ଫଳପ୍ରଦତାର ନମ୍ବର ଉପରେ ଅଧିକ ଧ୍ୟାନ ନ ଦେଇ ଏହା ଶରୀରରେ କିଭଳି କାମ କରୁଛି ତାହାକୁ ଗୁରୁତ୍ବ ଦେବା ଦରକାର ବୋଲି ଡା. ରାଓ କହିଛନ୍ତି।

ସମ୍ବନ୍ଧିତ ଖବର