୬ ସପ୍ତାହରେ ‘କୋଭିସିଲ୍‌ଡ’ର ଦ୍ବିତୀୟ ଡୋଜ୍

ପରିଚୟପତ୍ର ନ ଥିଲେ ବି ଟିକା ମିଳିବ

ଭୁବନେଶ୍ବର : ‘କୋଭିସିଲ୍‌ଡ’ ଟିକାର ପ୍ରଥମ ଡୋଜ୍ ନେଇଥିବା ବ୍ୟକ୍ତି ୬ ସପ୍ତାହ ବା ୪୨ଦିନ ପରେ ଦ୍ବିତୀୟ ଡୋଜ୍ ଟିକା ନେବେ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୋ-ୱିନ୍ ପୋର୍ଟାଲରେ ସଂଶୋଧନ କରାଯାଇଛି। ପୂର୍ବରୁ ଦ୍ବିତୀୟ ଡୋଜ୍ ଟିକା ନେବାର ଅବଧି ୨୮ଦିନ ବା ୪ ସପ୍ତାହ ରହିଥିଲା। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଗତ ୬ତାରିଖରେ ଏ ସଂପର୍କରେ ସ୍ପଷ୍ଟ କରିଥିଲେ। ତେଣୁ ଲୋକମାନେ ଦ୍ବିତୀୟ ଡୋଜ୍ ଟିକା ୬ ସପ୍ତାହ ପରେ ନେବା ଲାଗି ସ୍ପଷ୍ଟ କରାଯାଇଛି। ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳ ଓ ନଗର ନିଗମକୁ ସୂଚନା ଦିଆଯାଇଛି।

ପରିଚୟପତ୍ର ନ ଥିଲେ ବି ଟିକା ମିଳିବ
ଭୁବନେଶ୍ବର : ଟିକା ପାଇଁ ପଞ୍ଜୀକରଣ କରିବାକୁ ହେଲେ ନିର୍ଦ୍ଧାରିତ ୭ଟି ପରିଚୟ ପତ୍ର ମଧ୍ୟରୁ ଗୋଟିଏ ଦେଖାଇବା ବାଧ୍ୟତାମୂଳକ କରାଯାଇଛି। ତେବେ ପରିଚୟ ପତ୍ର ନ ଥିଲେ ବି ଟିକାକରଣରୁ କେହି ବଞ୍ଚିତ ହେବେ ନାହିଁ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏପରି ବ୍ୟକ୍ତିଙ୍କୁ ଚିହ୍ନଟ କରି ଟିକାକରଣ ପ୍ରକ୍ରିୟାରେ ସାମିଲ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସଙ୍ଗରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଜିଲ୍ଲାପାଳ ଓ ମହାନଗର ନିଗମ କମିସନର୍‌ମାନଙ୍କୁ ପତ୍ର ଲେଖିଛନ୍ତି।

ଶ୍ରୀ ମହାପାତ୍ର ଦର୍ଶାଇଛନ୍ତି ଯେ ସମାଜରେ ଏପରି କିଛି ଦୁର୍ବଳ ବର୍ଗ ଅଛନ୍ତି, ଯେଉଁମାନଙ୍କ ପାଖରେ ସାତଟି ନିର୍ଦ୍ଧାରିତ ପରିଚୟ ପତ୍ର ମଧ୍ୟ କିଛି ନାହିଁ। କିନ୍ତୁ ସେମାନଙ୍କୁ ଟିକାକରଣରୁ ବଞ୍ଚିତ କରାଯାଇପାରିବ ନାହିଁ। ଏପରି ବ୍ୟକ୍ତିଙ୍କୁ ସ୍ବତନ୍ତ୍ର ଭାବେ ବିଚାର କରାଯାଇ ଟିକାକରଣ କରାଯିବାର ଆବଶ୍ୟକତା ରହିଛି। ବିଭିନ୍ନ ଧର୍ମର ସାଧୁ ସନ୍ଥ, ନିରାଶ୍ରୟ, ବନ୍ଦୀ ଜୀବନ ବିତାଉଥିବା ବ୍ୟକ୍ତି, ଭିକାରୀ, ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଓ ଜରାଶ୍ରମରେ ରହୁଥିବା ଅନ୍ତେବାସୀ ଏବଂ ବିଭିନ୍ନ ଥଇଥାନ ଶିବିରରେ ରହୁଥିବା ବ୍ୟକ୍ତିମାନଙ୍କୁ ଏହି ବର୍ଗରେ ତାଲିକାଭୁକ୍ତ କରାଯାଇଛି। ଏହି ବର୍ଗର ୧୮ ବର୍ଷରୁ ବୟସରୁ ହିତାଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଟିକାକରଣ ପ୍ରକ୍ରିୟାରେ ସାମିଲ କରାଯିବ। ଏମାନଙ୍କ ପାଇଁ ସ୍ବତନ୍ତ୍ର ସେସନ୍ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର