ଆରମ୍ଭ ହେଲା ଦ୍ବିତୀୟ ଡୋଜ୍ ଟିକାକରଣ

ପ୍ରଥମ ଡୋଜ୍ ୭୨%, ଦ୍ବିତୀୟ ଡୋଜ୍ ୮୧% ସ୍ବାସ୍ଥ୍ୟକର୍ମୀ ନେଲେ ଟିକା
୬୩% ଆଗଧାଡ଼ିର ଯୋଦ୍ଧା ନେଲେଣି ଟିକା

ଭୁବନେଶ୍ବର : ରାଜ୍ୟରେ ସୋମବାର ଦିନ ସ୍ବାସ୍ଥ୍ୟକର୍ମୀଙ୍କ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୮୧ ପ୍ରତିଶତ ଟିକାକରଣ ଅର୍ଥାତ୍ ୧୦,୦୩୪ ସ୍ବାସ୍ଥ୍ୟକର୍ମୀ ଦ୍ବିତୀୟ ଡୋଜ୍ ଟିକା ଗ୍ରହଣ କରିଛନ୍ତି। ଏହାସହ ପ୍ରଥମ ଡୋଜ୍ ଟିକାକରଣରେ ୧୫ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ଟିକା ନେଇ ନପାରିବାରୁ ଏହାର ଅବଧିକୁ ପୁଣିଥରେ ୨୫ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଅବଧି ବଢ଼ିବାର ପ୍ରଥମ ଦିନରେ ୭୨ ପ୍ରତିଶତ ଟିକାକରଣ ଲକ୍ଷ୍ୟ ହାସଲ ହୋଇପାରିଛି।

ଦ୍ବିତୀୟ ଡୋଜ୍ ଟିକାକରଣ ପାଇଁ ଆଜି ରାଜ୍ୟରେ ୧୭୨ଟି ଅଧିବେଶନରେ ୧୨,୩୨୦ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା‌ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ୧୦ହଜାର ୩୪ଜଣ ଟିକା ନେଇଛନ୍ତି। କେବଳ ଭଦ୍ରକ ଜିଲ୍ଲାରେ ୧୧୬ ପ୍ରତିଶତ ଟିକାକରଣ ହୋଇପାରିଛି। ଅନୁଗୁଳ ଜିଲ୍ଲାରେ ସର୍ବନିମ୍ନ ୪୯ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ଟିକା ନେଇଛନ୍ତି। ଭୁବନେଶ୍ବରରେ ୭୮ ପ୍ରତିଶତ ଟିକାକରଣ ଲକ୍ଷ୍ୟ ହାସଲ ହୋଇଛି। ସେହିପରି ପ୍ରଥମ ଡୋଜ୍ ଟିକା ପାଇଁ ୧୭୨ ଅଧିବେଶନରେ ୬୫୧୧ ସ୍ବାସ୍ଥ୍ୟକର୍ମୀ/ଆଗଧାଡ଼ିର ଯୋଦ୍ଧାଙ୍କ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ୪୭୧୦ଜଣ ଟିକା ନେଇଛନ୍ତି। ଏଥିରେ ୬୬୬ ସ୍ବାସ୍ଥ୍ୟକର୍ମୀ ଥିବା ବ‌େଳେ ୪୦୪୪ ଆଗଧାଡ଼ିର ଯୋଦ୍ଧା ରହିଛନ୍ତି। ସେମାନଙ୍କ ମଧ୍ୟରେ କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ। ରାଜ୍ୟରେ ଏ ପର୍ଯ୍ୟନ୍ତ ସମୁଦାୟ ୨ଲକ୍ଷ ୮୮ହଜାର ୧୦୮ଜଣ ସ୍ବାସ୍ଥ୍ୟକର୍ମୀ ଟିକା ନେଇ ସାରିଲେଣି।

ସେହିପରି ରାଜ୍ୟରେ ପଞ୍ଜୀକୃତ ୨ଲକ୍ଷ ୪ହଜାର ୪୬୯ ଆଗଧାଡ଼ିର ଯୋଦ୍ଧାଙ୍କ ମଧ୍ୟରୁ ୧ଲକ୍ଷ ୨୮ହଜାର ୬୪୮ ଯୋଦ୍ଧା ଟିକା ନେଇ ସାରିଲେଣି। ଭୁବନେଶ୍ବରରେ ୧୨ ହଜାରରୁ ଅଧିକ ଆଗଧାଡ଼ିର ଯୋଦ୍ଧା ଟିକା ନେଇ ସାରିଲେଣି। ଏ ପର୍ଯ୍ୟନ୍ତ ୬୩ ପ୍ରତିଶତ ଆଗଧାଡ଼ିର ଯୋଦ୍ଧା ଟିକା ନେଇଛନ୍ତି। ଚଳିତମାସ ଶେଷ ସୁଦ୍ଧା ଆଗଧାଡ଼ିର ଯୋଦ୍ଧାଙ୍କୁ ସଂପୂର୍ଣ୍ଣ ଟିକା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର