୧୮ ଜିଲ୍ଲାରେ ଦ୍ବିତୀୟ ଡୋଜ୍ ଟିକାକରଣ ନୈରାଶ୍ୟଜନକ

ଠିକ୍ ସମୟରେ ଆସୁନାହିଁ ଟିକାକରଣ ମେସେଜ୍

ଭୁବନେଶ୍ବର : ରାଜ୍ୟରେ ୧୮ ଜିଲ୍ଲାରେ ଦ୍ବିତୀୟ ଡୋଜ୍ କରୋନା ଟିକାକରଣ ନୈରାଶ୍ୟଜନକ ରହିଛି। ଅଧିକାଂଶ ଜିଲ୍ଲାରେ ଦ୍ବିତୀୟ ଡୋଜ୍ ଟିକାକରଣ ୨୦ ପ୍ରତିଶତ ବି ଛୁଇଁ ନାହିଁ। ବିଶେଷକରି ଆଦିବାସୀ ବହୁଳ ଜିଲ୍ଲାଗୁଡ଼ିକରେ ଏହା ପ୍ରଥମ ଓ ଦ୍ବିତୀୟ ଡୋଜ୍‌ରେ ବ୍ୟବଧାନ ଅଧିକ ରହିଛି। ରାଜ୍ୟ ସରକାର ଦ୍ବିତୀୟ ଡୋଜ୍ ଟିକାକରଣକୁ ପ୍ରାଥମିକତା ଦେଇଛନ୍ତି। ଏହା ସତ୍ତ୍ବେ ଲୋକମାନେ ଦ୍ବିତୀୟ ଡୋଜ୍ ଟିକା ପାଇବାକୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ରାଜ୍ୟରେ ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ ୫୪ ପ୍ରତିଶତରୁ ଅଧିକ ପ୍ରଥମ ଡୋଜ୍ ଟିକା ନେଇ ସାରିଲେଣି। ରାଜ୍ୟରେ ୧.୨୧ କୋଟି ପୁରୁଷ ଓ ୧.୧୧ କୋଟି ମହିଳା ପ୍ରଥମ ଡୋଜ୍ ଟିକା ନେଇଛନ୍ତି। ୫୧.୫୫ ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ, ୪୫-୬୦ବର୍ଗରେ ୭୨.୮୯ଲକ୍ଷ ଓ ୧୮-୪୪ବର୍ଗରେ ୧.୦୭ କୋଟି ଡୋଜ୍ ଟିକା ଦିଆଗଲାଣି। ହେଲେ ଦ୍ବିତୀୟ ଡୋଜ୍ ଟିକାକରଣ ସେହି ଅନୁପାତରେ ବୃଦ୍ଧି ପାଉନାହିଁ।

କୋ-ୱିନ୍‌ ପୋର୍ଟାଲରୁ ମିଳିଥିବା ସୂଚନା ଅନୁସାରେ, ନୂଆପଡ଼ାରେ ୧୫ପ୍ରତିଶତ ହିତାଧିକାରୀ ଦ୍ବିତୀୟ ଡୋଜ୍ ଟିକା ନେଇଥିବା ବେଳେ ବଲାଙ୍ଗୀରରେ ୧୬, ଦେବଗଡ଼ ୧୭, ନବରଙ୍ଗପୁର ୧୮, ବୌଦ୍ଧ ୧୮.୮, ମାଲକାନଗିରି ୧୯, ‌ସୋନପୁର ୨୦, ଗଜପତି ୨୧.୭ ଓ କନ୍ଧମାଳରେ ୨୪ ପ୍ରତିଶତ ଲୋକ ଦ୍ବିତୀୟ ଡୋଜ୍ ଟିକା ପାଇଛନ୍ତି। ଏହାସହ ଭଦ୍ରକ, କଳାହାଣ୍ଡି, ଝାରସୁଗୁଡ଼ା, ରାୟଗଡ଼ା, କୋରାପୁଟ, କେନ୍ଦୁଝର, ଢେଙ୍କାନାଳ, ନୟାଗଡ଼ ଓ ମୟୂରଭଞ୍ଜ ଭଳି ଜିଲ୍ଲାରେ ଦ୍ବିତୀୟ ଡୋଜ୍ ଟିକାକରଣ ୨୭ ପ୍ରତିଶତରୁ କମ୍ ରହିଛି। ହେଲେ ଖୋର୍ଧାରେ ୬୯ ପ୍ରତିଶତ ହିତାଧିକାରୀ ଦ୍ବିତୀୟ ଡୋଜ୍ ଟିକା ପାଇଛନ୍ତି। ଏହାସହ ଗଞ୍ଜାମ ୪୮, ଜଗତସିଂହପୁର ୪୦.୮, ବାଲେଶ୍ବର ୩୯, କଟକ ୩୭, ପୁରୀ ୨୯, ସୁନ୍ଦରଗଡ଼ ୨୯.୩ ଓ ସମ୍ବଲପୁର ଓ ଯାଜପୁରରେ ୨୮ ପ୍ରତିଶତ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି।

ଅପରପକ୍ଷରେ ଟିକାକରଣ ପାଇଁ ପୂର୍ବରୁ ଆସୁଥିବା ମେସେଜ୍ ମଧ୍ୟ ବନ୍ଦ ହୋଇଯାଇଛି। ଫଳରେ ଦ୍ବିତୀୟ ଡୋଜ୍ ଟିକା ସମୟ ଅବଧି ସଂପର୍କରେ ଅନେକ ଜାଣିପାରୁ ନାହାନ୍ତି। ନିକଟରେ ରାଜ୍ୟରେ ୧୩ଲକ୍ଷ ଲୋକ ନିଜର ଦ୍ବିତୀୟ ଡୋଜ୍ ଟିକା ନେବାକୁ ଭୁଲି ଯାଇଥିବା ଜଣାପଡ଼ିଥିଲା। ଏଥିରେ ଠିକ୍ ସମୟରେ ଦ୍ବିତୀୟ ଡୋଜ୍ ଟିକା ପାଇଁ ମେସେଜ୍ ନ ଆସିବା ମଧ୍ୟ ଅନ୍ୟତମ କାରଣ ବୋଲି କୁହାଯାଉଛି। ପ୍ରଥମ ଓ ଦ୍ବିତୀୟ ଡୋଜ୍ ଟିକା ଭିତରେ ବଡ଼ ବ୍ୟବଧାନ ପଛରେ ସିରିଞ୍ଜର ଅଭାବ ପ୍ରମୁଖ କାରଣ ବୋଲି ସୂଚନା ମିଳିଛି। ଫଳରେ ପ୍ରାଥମିକତା ଭିତ୍ତିରେ ଜିଲ୍ଲା ପ୍ରଶାସନ ଟିକାକରଣ କରିବାରେ ସମସ୍ୟାର ସମ୍ମୁଖୀନ ହେଉଥିବା କିଛି ହିତାଧିକାରୀ ମତ ଦେଇଛନ୍ତି।

ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି, କୋ-ୱିନ୍ ଆପ୍‌ରେ କିଛି ଜିଲ୍ଲାରେ ପ୍ରଥମ ଓ ଦ୍ବିତୀୟ ଡୋଜ୍ ଟିକାକରଣରେ ବଡ଼ ବ୍ୟବଧାନ ଦେଖାଉଛି। ପ୍ରକୃତରେ ରାଜ୍ୟର ୨୮ ଜିଲ୍ଲାରେ କୋଭିସିଲ୍‌ଡ ଟିକା ଦିଆଯାଉଛି। ଏହାସହ କୋଭିସିଲ୍‌ଡ ଟିକାର ଦ୍ବିତୀୟ ଡୋଜ୍ ଭିତରେ ବ୍ୟବଧାନ ୧୧୨ଦିନ ରହିଛି। ହେଲେ ରାଜ୍ୟରେ ଦ୍ବିତୀୟ ଡୋଜ୍ ଅପେକ୍ଷାରେ ରହିଥିବା ପ୍ରାୟ ୭୦ ପ୍ରତିଶତ ହିତାଧିକାରୀ ଟିକା ନେଇ ସାରିଲେଣି। ଆଉ ବଳକା ହିତାଧିକାରୀଙ୍କୁ ଟିକାକରଣ ଜାରି ରହିଛି। ତେବେ ଟିକା ନେବା ପୂର୍ବରୁ ଆସୁଥିବା ମେସେଜ୍ ସଂପର୍କରେ ଡା. ପାଣିଗ୍ରାହୀ କିଛି ସୂଚନା ଦେଇ ପାରି ନ ଥିଲେ।

ସମ୍ବନ୍ଧିତ ଖବର