ଭିତରକନିକା: ବିକାଶ ନାଁରେ ଆମେ ବିନାଶ ମୁହାଁ ହେଉଛୁ। ଜଳ, ବାୟୁ, ମୃତ୍ତିକା ପ୍ରଦୂଷିତ ହେଉଛି। ଜଙ୍ଗଲ ଧ୍ବଂସ ହେଉଥିବା ବେଳେ ସମୁଦ୍ର ଉପକୂଳ ଖାଉଛି। କେତେବେଳେ ଅଦିନରେ ବର୍ଷା ତ ଆଉ କେବେ ବର୍ଷା ଅଭାବରୁ ମାଟି ଫାଟି ଆଁ କରୁଛି। ଶୀତରେ ତତଲା ତାଉଆରେ ଭାଜି ହେଉଛୁ। ଜଳବାୟୁ ପରିବର୍ତ୍ତନର ଏଭଳି ବିଚିତ୍ର ସ୍ଥିତିର ମୁକାବିଲା ପାଇଁ ଆମକୁ ସଜାଗ ହେବାକୁ ପଡ଼ିବ। ପୂର୍ବ ପୁରୁଷ ଆମ ପାଇଁ ଯେମିତି ଏକ ପୃଥିବୀ ଛାଡ଼ି ଯାଇଛନ୍ତି, ଆମେ ବି ପରପିଢ଼ିଙ୍କ ପାଇଁ ସେମିତି ଏକ ସୁନ୍ଦର, ସବୁଜ, ପ୍ରଦୂଷଣମୁକ୍ତ ପୃଥିବୀ ତିଆରି କରିବା। ‘ସମ୍ବାଦ ଗ୍ରୁପ୍’ ପକ୍ଷରୁ ଆଜି ଭିତରକନିକା ଜାତୀୟ ଉଦ୍ୟାନରେ ଶୁଭାରମ୍ଭ ହୋଇଥିବା ‘ପୁନଶ୍ଚ ପୃଥିବୀ’ ଅଭିଯାନର ଦ୍ୱିତୀୟ ସଂସ୍କରଣରେ ଯୋଗଦେଇଥିବା ବିଶେଷଜ୍ଞମାନେ ଏଭଳି ମତପ୍ରକାଶ କରିଛନ୍ତି।
ଉଦ୍ଘାଟନୀ ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ଅତିଥି ଭାବେ ଯୋଗଦେଇ କହିଲେ, ଭିତରକନିକା ଏକ ଜାତୀୟ ଉଦ୍ୟାନ ନୁହେଁ। ବରଂ ଏହାର ଜୈବ ବିବିଧତା ଓ ହେନ୍ତାଳ ବନ ସାରା ବିଶ୍ବରେ ଆମକୁ ପରିଚୟ କରାଇଛି। ହେନ୍ତାଳ ବନ ହେଉଛି ଭିତରକନିକାର ସୁରକ୍ଷା କବଚ। ଜଙ୍ଗଲ ସୁରକ୍ଷା ଆଇନ ଆସିବା ପୂର୍ବରୁ ଭିତରକନିକା ପାଇଁ କନିକା ରାଜାମାନେ ଚିନ୍ତା କରିଥିଲେ। ଭିତରକନିକାକୁ ୨୪ଟି ବ୍ଲକ୍ରେ ବିଭକ୍ତ କରି ଜଙ୍ଗଲ ଓ ଲୋକଙ୍କ ଜୀବିକା ସୁରକ୍ଷା ଦିଗରେ ପଦକ୍ଷେପ ନେଇଥିଲେ। ଯେଉଁମାନେ ଜଙ୍ଗଲର କୌଣସି କ୍ଷତି କରୁଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉଥିଲା। ଏମିତିକି ରାଜା ମଧ୍ୟ ନିଜ ଭୁଲ୍ ସ୍ବୀକାର କରି ଜରିମାନା ଭରିଥିଲେ। ୧୯୭୫ରେ ଭିତରକନିକାକୁ ବନ୍ୟପ୍ରାଣୀ ଅଭୟାରଣ୍ୟ ମାନ୍ୟତା ମିଳିବା ପରେ ଯେଉଁଭଳି ପ୍ରଚାର ପ୍ରସାର ହେବା କଥା ତାହା ହୋଇ ନ ଥିଲା। ଅଭୟାରଣ୍ୟ ଭିତରେ ବହୁ ଗ୍ରାମ ରହିଯାଇଥିଲା। ଅଭୟାରଣ୍ୟ ଘୋଷଣା ସମୟରେ ଭିତରକନିକା ୬୭୨ ବର୍ଗ କିମି ଅଞ୍ଚଳ ପରିବ୍ୟାପ୍ତ ଥିଲା। ଯେଉଁଥିରେ ଅନେକ ଗାଁ ମଧ୍ୟ ରହିଯାଇଥିଲା। ଦୀର୍ଘବର୍ଷର ଲଢ଼େଇ ପରେ ୨୦୨୨ରେ ଏହାର ପରିସୀମା ସଂଶୋଧିତ ହୋଇ ପୁନଃବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ସେଥିରେ ତ୍ରୁଟି ରହିଥିବାରୁ ଏବେ ବି ଅନେକ ସମସ୍ୟା ସୃଷ୍ଟି ହେଉଛି।
ଶ୍ରୀ ସାହୁ ଆହୁରି କହିଲେ, ବିକାଶ କଥା ଚିନ୍ତା କରିବା ବେଳେ ପ୍ରକୃତିର ସୁରକ୍ଷା ସହ ଲୋକଙ୍କ ଜୀବନ ଜୀବିକାକୁ ମଧ୍ୟ ପ୍ରାଥମିକତା ଦେବାକୁ ପଡ଼ିବ। ୧୯୭୧ ଓ ୧୯୯୯ରେ ଭିତରକନିକାରେ ମାଡ଼ ହୋଇଥିବା ବାତ୍ୟାରେ ବ୍ୟାପକ କ୍ଷତି ହୋଇଥିଲା। ତେବେ ୨୦୨୧ ଓ ୨୦୨୪ର ବାତ୍ୟାରେ ହେନ୍ତାଳ ବନ ଆମକୁ ସୁରକ୍ଷା ଦେଇଛି ଏବଂ ଏହାର ଆବଶ୍ୟକତା ସମ୍ପର୍କରେ ଲୋକେ ବୁଝିପାରିଛନ୍ତି। ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପକୂଳବାସୀ ଏବେ ଅଙ୍ଗେ ଅଙ୍ଗେ ଅନୁଭବ କରୁଛନ୍ତି। ଉପକୂଳକୁ ସମୁଦ୍ର ମାଡ଼ି ଆସୁଛି। ଅଦିନିଆ ବର୍ଷା ସାଙ୍ଗକୁ ଶୀତ ଦିନେ ଗ୍ରୀଷ୍ମର ତାତି ଅନୁଭୂତ ହେଉଛି। ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଦିଗରେ ଆରମ୍ଭ ହୋଇଥିବା ‘ପୁନଶ୍ଚ ପୃଥିବୀ’ ଅଭିଯାନରେ ଆମେ ସାମିଲ ହେବା ସହ ଏହାକୁ ଏକ ଆନ୍ଦୋଳନରେ ପରିଣତ କରିବାକୁ ସମସ୍ତେ ସଂକଳ୍ପ ନେବାକୁ ସେ ଆହ୍ବାନ ଦେଇଥିଲେ।
ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ପ୍ରକୃତି ଓ ମଣିଷର ସମ୍ପର୍କ ବର୍ଷ ବର୍ଷ ଧରି ରହିଛି। ମାତ୍ର ସମନ୍ବୟ ଅଭାବରୁ ଆଜି ବିଭିନ୍ନ ସମସ୍ୟା ଦେଖାଦେଉଛି। ପ୍ରକୃତି ମଝିରେ ମଝିରେ ନିଜର କରାଳରୂପ ଦେଖାଉଛି। ଆମେ ଏଭଳି ଅବସ୍ଥାରେ ପହଞ୍ଚିଛୁ, ବିକାଶ ଓ ବିନାଶ ମୁଦ୍ରାର ଦୁଇ ପାର୍ଶ୍ବ ହୋଇ ଆମ ପାଖରେ ଉପସ୍ଥିତ ହୋଇଛନ୍ତି। ଆମ ପିଲାମାନଙ୍କୁ ଶିଖାଇବା ଦରକାର ଯେ ପୃଥିବୀ ଆମର ଶତ୍ରୁ ନୁହେଁ, ବରଂ ମିତ୍ର। ପୃଥିବୀ ସହ ସମନ୍ବୟ ରକ୍ଷା କରି ଆଗକୁ ବଢ଼ିପାରିଲେ ବିକାଶ ନିଶ୍ଚିତ ହେବ। ସ୍ବାଧୀନତା ପୂର୍ବରୁ ଦେଶରେ ଉପନିବେଶବାଦ ରହିଥିଲା। ଏବେ ମଧ୍ୟ ତାହା ଜାରି ରହିଛି। କେବଳ ଚରିତ୍ର ବଦଳିଛି। ରାସ୍ତାଘାଟ, ଖଣିଖାଦାନ, ନଦୀ, ନାଳ, ଝରଣା ପରି ପ୍ରାକୃତିକ ସମ୍ପଦକୁ କବ୍ଜା କରିବା ଲାଗି ଶାସନ କ୍ଷମତାରେ ରହୁଥିବା ମୁଷ୍ଟିମେୟ ଉଦ୍ୟମ କରୁଛନ୍ତି। ସେମାନଙ୍କ ବିରୋଧରେ ସ୍ବର ଉଠାଇବାକୁ ପଡ଼ିବ।
‘ପୁନଶ୍ଚ ପୃଥିବୀ’ ସମ୍ପର୍କରେ ଶ୍ରୀ ପଟ୍ଟନାୟକ କହିଲେ ଆମେ କେବଳ ଖବର ପରିବେଷଣରେ ସୀମିତ ନାହୁଁ। ଲୋକଙ୍କୁ ଲୋକଙ୍କ ସହ ଯୋଡ଼ିବା, ସମସ୍ୟାର ସମାଧାନ କରିବା ଦିଗରେ ଆମେ ଚେଷ୍ଟା କରୁଛୁ। ୨୦୨୪ରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ବିରୋଧୀ ଦଳ ନେତାଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିବାରେ ‘ପୁନଶ୍ଚ ପୃଥିବୀ’ ସକ୍ଷମ ହୋଇଛି। ଆଜିଠାରୁ ଆରମ୍ଭ ହୋଇଥିବା ଦ୍ବିତୀୟ ସଂସ୍କରଣରେ ବିଧାୟକଙ୍କ ଯୋଗଦାନ ଏହାକୁ ସଫଳ କରାଇଛି। ରାଜନେତାମାନେ ଏଭଳି ସଂକଳ୍ପ ନେଲେ ଆମକୁ ଅଧିକ ପରିଶ୍ରମ କରିବାକୁ ପଡ଼ନ୍ତା ନାହିଁ ବୋଲି ସେ କହିଥିଲେ। ‘ସମ୍ବାଦ’ ଓ ‘କନକ୍ ନ୍ୟୁଜ୍’ ସମ୍ପାଦକ ତନୟା ପଟ୍ଟନାୟକ ସ୍ବାଗତ ଭାଷଣ ଦେଇ କହିଲେ, ଜଳବାୟୁ ପରିବର୍ତ୍ତନ ପ୍ରଭାବକୁ ଘରେ ଘରେ ପହଞ୍ଚାଇବାକୁ ଆମେ ଶପଥ ନେଇଛୁ। କଥା, ସଙ୍ଗୀତ, ଗଳ୍ପ ମାଧ୍ୟମରେ ଲୋକଙ୍କ ନିକଟତର ହେବା ସହ ଘରେ ଘରେ ପରିବେଶ ଯୋଦ୍ଧା ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛୁ। ତେଣୁ ଏସି ରୁମ୍ରୁ ବାହାରି ଭିତରକନିକାକୁ ଆସିଛୁ। ଆଜିର ଅଭିଯାନରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଞ୍ଜାମ, ଭଦ୍ରକ, ବାଲେଶ୍ବର ଜିଲ୍ଲାକୁ ସାମିଲ କରିଛୁ। ପରିବେଶ ବିଗାଡ଼ିବା, ସଜାଡ଼ିବା, ଉପଭୋଗ କରିବା ଓ ରୋକିବାର ଦୁଇଟି ଲେଖାଏଁ ଗୋଷ୍ଠୀ ଅଛନ୍ତି। ପରିବେଶକୁ ସଜାଡ଼ୁଥିବା ଲୋକଙ୍କ କଥା ଆମେ ଆପଣଙ୍କ ପାଖରେ ପହଞ୍ଚାଇବୁ। ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ରାଜନଗରବାସୀ ବହୁ ସମ୍ବେଦନଶୀଳ। ୧୨ ବର୍ଷ ପାଇଁ ‘ପୁନଶ୍ଚ ପୃଥିବୀ’କୁ ସଂକଳ୍ପ ଭାବେ ଗ୍ରହଣ କରୁଛୁ ବୋଲି ସେ କହିଥିଲେ। ଏହି ଅବସରରେ ଆୟୋଜିତ ‘ଡରାଉଛି ସମୁଦ୍ର…..ବଦଳୁଛି ଉପକୂଳର ଚିତ୍ର’ ଶୀର୍ଷକ ପ୍ରଥମ ଅଧିବେଶନରେ ରାଜନଗର ଡିଏଫ୍ଓ ସୁରେନ୍ଦ୍ର ଗୋପୀନାଥ ଯାଦବ ଓ ‘ନେଚର୍ସ କ୍ଲବ୍’ର ସମ୍ପାଦକ ମଧୁସ୍ମିତ୍ ପତି ଯୋଗ ଦେଇଥିବା ବେଳେ ‘ଜୀବନ ଓ ଜୀବିକାର ଆହ୍ବାନ’ ଶୀର୍ଷକ ଦ୍ବିତୀୟ ଅଧିବେଶନରେ ପୂର୍ବତନ ବରିଷ୍ଠ ବୈଜ୍ଞାନିକ ସୁଧାକର କର, ବାବା ବାଲୁଙ୍କେଶ୍ବର ଗ୍ରାମ୍ୟ ବିକାଶ ପରିଷଦର ପ୍ରତିଷ୍ଠାତା ଅମରେଶ ନରେଶ ସାମନ୍ତ, ଓଡ଼ିଶା ଜୀବିକା ମିସନ୍ର ଜିଲ୍ଲା ପ୍ରକଳ୍ପ ପରିଚାଳକ ପ୍ରଶାନ୍ତ ପାଢ଼ୀ, ‘ପ୍ରାକୃତିକ ବିପର୍ଯ୍ୟୟର ସୁରକ୍ଷା ବଳୟ: ହେନ୍ତାଳବନ’ ଶୀର୍ଷକ ତୃତୀୟ ଅଧିବେଶନରେ ବିସିକେଆଇସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ସୁଆର, ଏନ୍ଆଇଟି ରାଉରକେଲାର ସହକାରୀ ପ୍ରଫେସର ମେଧା ନାୟକ ଓ ଅବସରପ୍ରାପ୍ତ ସିସିଏଫ୍ ଅରୁଣ ମିଶ୍ର ସାମିଲ ହୋଇଥିଲେ। ଏହି ଅବସରରେ ବିଜୟ କୁମାର କବି, ଦିଲ୍ଲୀପ କୁମାର ମଣ୍ଡଳ, ଯଶୋବନ୍ତ ବେହେରା, ମାନସ ରଞ୍ଜନ ମଲ୍ଲିକ, ପ୍ରଶାନ୍ତ କୁମାର ତରାଇ, ଗଣେଶ ପ୍ରସାଦ ବିଶ୍ବାଳ, ସୁଧୀର ରାଉତ, ସଞ୍ଜୟ କୁମାର ନାୟକ, ମାୟାଧର କର, ସୌମ୍ୟରଂଜନ ବିଶ୍ବାଳ, ଜ୍ୟୋତିର୍ଦ୍ୟାତ୍ୟ ମହାନ୍ତି, ପ୍ରଦୀପ କୁମାର ପ୍ରଧାନ, ଗୋବିନ୍ଦ ଚନ୍ଦ୍ର ଜେନାଙ୍କୁ ‘ସମ୍ବାଦ ପରିବେଶ ସମ୍ମାନ’ ପ୍ରଦାନ କରାଯାଇଥିଲା। ଅବସରପ୍ରାପ୍ତ ବନ କର୍ମଚାରୀ ହେମନ୍ତ କୁମାର ପାଣିଗ୍ରାହୀଙ୍କୁ ସ୍ବତନ୍ତ୍ର ସମ୍ମାନ ଏବଂ ପରିବେଶ ପାଇଁ କାମ କରୁଥିବା ମହିଳା ଓ ଯୁବତୀମାନଙ୍କୁ କ୍ଲାଇମେଟ୍ ଚମ୍ପିଆନ୍ ସମ୍ମାନ ଦିଆଯାଇଥିଲା। ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।