କଟକ : ମହିଳାମାନେ ଦୁର୍ବଳ ନୁହନ୍ତି। ଯେଉଁମାନେ ପରିବାର ଚଳାଇବାଠାରୁ ଆରମ୍ଭ କରି ଉଡ଼ାଜାହାଜ ଚଳାଉଛନ୍ତି, ଯୁଦ୍ଧ କରୁଛନ୍ତି, ସେମାନେ ଦୁର୍ବଳ ହେବେ କେମିତି? କଟକର ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନରେ ଆୟୋଜିତ ସମ୍ବାଦ ‘ଓଡ଼ିଶା-୫୦’ କାର୍ଯ୍ୟକ୍ରମରେ ଏଭଳି ଆହ୍ବାନ ରଖିଛନ୍ତି ‘ସମ୍ବାଦ’ର ସଂପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ‘ଗ୍ରାମୀଣ ମହିଳା ଉଦ୍ୟୋଗୀ ସମାବେଶ: ସମ୍ବାଦ ଓଡ଼ିଶା ୫୦ ’ର ଦ୍ବିତୀୟ ସଂସ୍କରଣ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଶିକ୍ଷା ଓ ରୋଜଗାର ମହିଳାମାନଙ୍କୁ ସଶକ୍ତ ଓ ସ୍ବାବଲମ୍ବୀ କରିବା ସହ ସମାଜର ବିକାଶ ତ୍ବରାନ୍ବିତ କରିବାରେ ସହାୟକ ହେବ। ଯେଉଁ ବିକାଶରେ ଅଧା ବିଶ୍ବ, ଅର୍ଥାତ୍ ମହିଳାମାନଙ୍କର ଭାଗୀଦାରୀ ରହିବ ନାହିଁ, ତାହା ପ୍ରକୃତ ବିକାଶ ପଦବାଚ୍ୟ ନୁହେଁ। ନିଜେ ସଶକ୍ତ ଓ ଆତ୍ମନିର୍ଭରଶୀଳ ହେବାପାଇଁ ଶ୍ରୀ ପଟ୍ଟନାୟକ ଏହି ଅବସରରେ ପାଞ୍ଚ ସୂତ୍ରୀ କୌଶଳକୁ ଅନୁସରଣ କରିବାକୁ ମହିଳାମାନଙ୍କୁ ପରାମର୍ଶ ଦେଇଥିଲେ।
ଶ୍ରୀ ପଟ୍ଟନାୟକ କହିଥିଲେ ଯେ ମହିଳା ମାନେ ୫ଟି ‘ଏମ୍’ ସୂତ୍ରକୁ କାର୍ଯ୍ୟକାରୀ କରନ୍ତୁ। ୫ଟି ‘ଏମ୍’ ହେଉଛି ମା’, ମାଟି, ମାତୃଭାଷା, ମୋବାଇଲ୍ ଆଉ ମଦ। ତନ୍ମଧ୍ୟରୁ ୪ଟି ‘ଏମ୍’କୁ ଆପଣାଇବା ଓ ଗୋଟିକୁ ପରିହାର କରାଇପାରିଲେ ମହିଳାମାନଙ୍କୁ କେହି ନ୍ୟୁନ ପ୍ରଭାବକୁ କେହି ରୋକିପାରିବେନି।। ମା’, ମାଟି, ମାତୃଭାଷା, ମୋବାଇଲ୍(ପ୍ରଯୁକ୍ତି ବିଦ୍ୟା)କୁ କେବେ ଆପଣାଇବା ସହ ପରିବାରରେ ଯେଭଳି କେହି ମଦ ନ ପିଇବେ, ତାହା ଦେଖିବା ମହିଳାମାନଙ୍କ ଦାୟିତ୍ବ ହେଉ। ମା’ମାନେ ସଂକଳ୍ପ ନେଲେ ମଦମୁକ୍ତ ସମାଜ ଗଠନ ସମ୍ଭବ ହେବାସହ ନାରୀ ନିର୍ଯାତନା ଭଳି ଖବରକୁ କବର ଦିଆଯାଇପାରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
ସମ୍ବାଦ ‘ଓଡ଼ିଶା-୫୦’ର ଦ୍ବିତୀୟ ସଂସ୍କରଣ
ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓର୍ମାସ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ଶାସନ ସଚିବ ଗୁହା ପୁନମ୍ ତାପସ କୁମାର କହିଥିଲେ ଯେ ପିଲାଙ୍କୁ ଲାଳନପାଳନ କରୁଥିବା ମା’ ହିଁ ବାସ୍ତବରେ ବିଶ୍ବ ଚଳାଇଥାଏ। ସଫଳ ମହିଳା ଉଦ୍ୟୋଗୀଙ୍କୁ ଉତ୍ସାହିତ କରିବା ସହ ନୂଆ ମହିଳା ଉଦ୍ୟୋଗୀ ସୃଷ୍ଟି କରିବା ପାଇଁ ‘ସମ୍ବାଦ’ ଭଳି ଗଣମାଧ୍ୟମର ଏଭଳି ସାଧୁ ଉଦ୍ୟମକୁ ସେ ପ୍ରଶଂସା କରିବା ସହିତ ମହିଳା ଉଦ୍ୟୋଗୀ, ଏସ୍ଏଚ୍ଜିଙ୍କ ପାଇଁ ରହିଥିବା ବିଭିନ୍ନ ସରକାରୀ ଯୋଜନା ଓ ଏହାର ରୂପାୟନ ବିଷୟରେ ମହିଳାମାନଙ୍କୁ ଅବଗତ କରିଥିଲେ। କୃଷି, ଅଣକୃଷି କାର୍ଯ୍ୟ ଓ ବ୍ୟବସାୟ କରୁଥିବା ମହିଳାମାନଙ୍କ ଦକ୍ଷତା ଓ ଦୃଷ୍ଟିଭଙ୍ଗୀର ବିକାଶ ପାଇଁ ପ୍ରଶିକ୍ଷଣ ଓ ଏକ୍ସପୋଜର ଭିଜିଟ୍ର ଆବଶ୍ୟକତା ରହିଛି ବୋଲି ଶ୍ରୀମତୀ ଗୁହାପୁନମ୍ କହିଥିଲେ।
‘ସମ୍ବାଦ’ ଗ୍ରୁପ୍ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ, ମହିଳା ଉଦ୍ୟୋଗୀଙ୍କୁ ଲୋକଲୋଚନକୁ ଆଣିବା, ସମ୍ମାନ ଦେବା, ସେମାନଙ୍କ ଦକ୍ଷତାର ବିକାଶ କରିବା ଓ ଅଧିକ ସଶକ୍ତ କରିବା ଆଭିମୁଖ୍ୟ ନେଇ ୨୦୨୦, ଅଗଷ୍ଟ ୩୧ରୁ ‘ସମ୍ବାଦ’ ଏଭଳି ଅଭିଯାନ ଆରମ୍ଭ କରିଛି ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଏତେ ସଂଖ୍ୟକ ମହିଳା ଯୋଗଦେଇଥିବାରୁ ଶ୍ରୀମତୀ ପଟ୍ଟନାୟକ ସେମାନଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ। ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ(ବାର୍ତ୍ତା) ଅରବିନ୍ଦ ଦାସ ସ୍ବାଗତ ଭାଷଣ ଦେଇଥିଲେ। ‘ସମ୍ବାଦ’ର ଏଜିଏମ୍(ନ୍ୟୁଜ୍) କୃଷ୍ଣପ୍ରସାଦ ଦାସ ପ୍ରାରମ୍ଭିକ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଭଳି ୭ଟି ଜିଲ୍ଲାର ମୋଟ ୭୦ଟି ବ୍ଲକ୍ରୁ ୨୫୦ ସଫଳ ମହିଳା ଉଦ୍ୟୋଗୀ ଅଂଶଗ୍ରହଣ କରିଥିଲେ।
କାର୍ଯ୍ୟକ୍ରମର ଦ୍ବିତୀୟ ଅଧିବେଶନରେ ‘ପ୍ରକଳ୍ପ ଚୟନ ଓ ବଜାର ବ୍ୟବସ୍ଥା’ ଶୀର୍ଷକ ବିଷୟ ଉପରେ କର୍ମଶାଳା ଅନୁଷ୍ଠିତ ହେଇଥିଲା। ‘ସମ୍ବାଦ’ର ଏଜିଏମ୍(ନ୍ୟୁଜ୍) କୃଷ୍ଣପ୍ରସାଦ ଦାସଙ୍କ ସଂଯୋଜନାରେ ଆୟୋଜିତ କର୍ମଶାଳାରେ ଓର୍ମାସ୍ର ଯୁଗ୍ମ କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ବିହାରୀ ରାଉତ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସବିତା ରାଉତ, ମେଟ୍ରୋ ଗ୍ରୁପ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ସୋଫିଆ ଫିର୍ଦୋସ୍ ଅଂଶଗ୍ରହଣ କରିଥିଲେ। ସେହିଭଳି କାର୍ଯ୍ୟକ୍ରମର ଅନ୍ତିମ ଅଧିବେଶନରେ ‘ପୁଞ୍ଜି ବ୍ୟବସ୍ଥା ଓ ପାରିବାରିକ ସହଯୋଗ’ ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିଲା। ଏଥିରେ କଟକ ପୌର ନିଗମର ଡେପୁଟି କମିସନର ଶ୍ବେତପଦ୍ମା ଡି. ଶତପଥୀ, କଟକ ଜିଲ୍ଲା ଲିଡ୍ ବ୍ୟାଙ୍କ ମ୍ୟାନେଜର(ଏଲ୍ଡିଏମ୍) ରାଜେଶ ବେହେରା, ଏସେଲ୍ସ ସ୍କୁଲର ପ୍ରତିଷ୍ଠାତା ତଥା ଅଭିନେତ୍ରୀ ମେଘନା ମିଶ୍ର ଆଲୋଚନାରେ ଅଂଶଗ୍ରହଣ କରିଥିବା ବେଳେ ‘ସମ୍ବାଦ’ର କେନ୍ଦୁଝର ମୁଖ୍ୟ ଜିଲ୍ଲା ପ୍ରତିନିଧି ସୁବ୍ରତ ସ୍ବାଇଁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ଯୁବ ଉପସ୍ଥାପକ ଉଲ୍ଲାସ ବେଉରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ‘ସମ୍ବାଦ’ର ସିଓଓ ତଥା ପ୍ରକାଶକ କମଳାକାନ୍ତ ମହାପାତ୍ର, ‘ଆମ ଓଡ଼ିଶା’ର ସଂପାଦକ ସ୍ବରାଜ ମିଶ୍ର, ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର, ସମ୍ବାଦର ମହାପ୍ରବନ୍ଧକ (ମାନବ ସମ୍ବଳ) ବୈଜୟନ୍ତୀ କର, ଉପ ମହାପ୍ରବନ୍ଧକ (ବାର୍ତ୍ତା) ଭବାନୀଶଙ୍କର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।