କଟକ: ଗାଁ ହେଉଛି, ଆମ ଦେଶର, ଆମ ରାଜ୍ୟର ଆତ୍ମା। ଆମ ଜନସଂଖ୍ୟାର ଏକ ବଡ଼ ଅଂଶ ଗାଁ ମାନଙ୍କରେ ହିଁ ବସବାସ କରନ୍ତି। ଗାଁ ମାନଙ୍କର ବିକାଶରେ ରାଜ୍ୟ ଓ ଦେଶର ବିକାଶ ସମ୍ଭବ ହେବ। ସେଥିପାଇଁ, ଆମ ସରକାର ‘ବିକଶିତ ଗାଁ, ବିକଶିତ ଓଡିଶା’ର ପରିକଳ୍ପନା କରିଛନ୍ତି। ଗାଁ ମାନଙ୍କର ଭିତ୍ତିଭୂମି ବିକାଶ ପାଇଁ ବର୍ଷକୁ ହଜାରେ କୋଟି ଟଙ୍କା ଲେଖାଏଁ ପାଞ୍ଚ ବର୍ଷରେ ପାଞ୍ଚ ହଜାର କୋଟି ଟଙ୍କା ବିନିଯୋଗ କରାଯିବ। ଗାଁର ବିକାଶ ପାଇଁ ପ୍ରକଳ୍ପଗୁଡ଼ିକ ଗ୍ରାମସଭାରେ ସ୍ଥିର କରାଯିବ ବୋଲି କଟକରେ ଆୟୋଜିତ ସାଧାରଣତନ୍ତ୍ର ଦିବସ ସମାରୋହରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ବିଡ଼ାନାସୀ ପଡ଼ିଆରେ ଆୟୋଜିତ ସମାବେଶରେ ସମ୍ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ସରକାରର ଦୂରଗାମୀ ଯୋଜନା ଗୁଡ଼ିକର ସଫଳ ରୂପାୟନରେ ଏକ ମୁଖ୍ୟ ଉପାଦାନ ହେଉଛି ‘ଦକ୍ଷତାରୁ ଚାହିଦା’ ଏବଂ ‘ଶିଳ୍ପରୁ ସମୃଦ୍ଧି’। ଆମେ ଏହାକୁ ମନ୍ତ୍ର କରି ଆଗକୁ ବଢ଼ିଛୁ। ୨୦୨୪ ମସିହା ଜୁନ ୧୨ରେ ଶପଥ ଗ୍ରହଣ କରିବାର ଗୋଟିଏ ଘଣ୍ଟା ମଧ୍ୟରେ ପ୍ରଥମ କ୍ୟାବିନେଟ ବୈଠକ ଡାକି ଚାରିଟି ଗୁରତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ଶ୍ରୀ ମନ୍ଦିରର ଚାରିଦ୍ୱାର ଭକ୍ତଙ୍କ ପ୍ରବେଶ ପାଇଁ ଖୋଲିବା ସହିତ ଶ୍ରୀମନ୍ଦିରର ସୁପରିଚାଳନା ଓ ଉନ୍ନତି ପାଇଁ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠିର ବ୍ୟବସ୍ଥା, ମହିଳା ସଶକ୍ତୀକରଣ ପାଇଁ ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ଓ ଚାଷୀ ଭାଇ ଭଉଣୀଙ୍କ ପାଇଁ ଧାନ କିଣା ବାବଦକୁ ଏମଏସ୍ପି ୩୧୦୦ ଟଙ୍କା ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସୁଭଦ୍ରା ଯୋଜନାରେ ରାଜ୍ୟର ଏକ କୋଟିରୁ ଅଧିକ ମା’ଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଲେଖାଏ ପାଞ୍ଚବର୍ଷ ପାଇଁ ପ୍ରଦାନ କରିବା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଆଜି ସୁଦ୍ଧା ୮୦ ଲକ୍ଷରୁ ଅଧିକ ମହିଳା ହିତାଧିକାରୀ ପ୍ରଥମ କିସ୍ତି ଟଙ୍କା ପାଇ ସାରିଲେଣି। ଅବଶିଷ୍ଟ ଯୋଗ୍ୟ ମହିଳା ହିତାଧିକାରୀ ଆସନ୍ତା କିଛି ଦିନ ମଧ୍ୟରେ ଟଙ୍କା ପାଇଯିବେ। ମାର୍ଚ୍ଚ ୮ ତାରିଖ, ମହିଳା ଦିବସ ଅବସରରେ ମହିଳାମାନଙ୍କୁ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା ଦିଆଯିବ।
ଆୟୁଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଯୋଡ଼ି ହେବାକୁ ଯାଉଛନ୍ତି ରାଜ୍ୟବାସୀ। ଏଥିରେ କେବଳ ରାଜ୍ୟ ଭିତରେ ନୁହେଁ, ରାଜ୍ୟ ବାହାରେ ରହୁଥିବା ଓଡ଼ିଶାର ଭାଇ ଓ ଭଉଣୀ ମାନେ ମଧ୍ୟ ପାଞ୍ଚଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇ ପାରିବେ। ୨୯ ହଜାରରୁ ଅଧିକ ଅନୁବନ୍ଧିତ ଡାକ୍ତରଖାନାରେ ସେସବୁ ସୁଯୋଗ ଉପଲବ୍ଧ ହେବ। ମହିଳା ହିତାଧିକାରୀମାନେ ଏଥିରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇବେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଆଗାମୀ ୫ ବର୍ଷ ଆମ ଓଡ଼ିଶା ପାଇଁ ଭିତ୍ତିଭୂମିର ସୁବର୍ଣ୍ଣ ଯୁଗ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କାର୍ଯ୍ୟକ୍ରମରେ ସାଂସଦ ଭର୍ତ୍ତୃହରି ମହତାବ, ବିଧାୟକ ସୌଭିକ ବିଶ୍ବାଳ, ସୋଫିଆ ଫିରଦୋସ, ଛବି ମଲ୍ଲିକ, ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହବ ସିନ୍ଦେ, ପୁଲିସ କମିସନର ଏସ୍. ଦେବଦତ୍ତ ସିଂହ, ଡିସିପି ଜଗମୋହନ ମୀନା, ଡିଆଇପିଆର୍ଓ ଭବାନୀଶଙ୍କର ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ। ପରେଡ୍ରେ ୫୨ଟି ଦଳ ଭାଗ ନେଇଥିବା ବେଳେ ୧୭ଟି ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହୋଇଥିଲା।