କେନ୍ଦ୍ରାପଡ଼ା : ସାହିତ୍ୟ ବିନା ପୃଥିବୀର କଳ୍ପନା ଅସମ୍ଭବ। କାରଣ, ଆମେ ସମସ୍ତେ କଳ୍ପନା ଜଗତରେ ସାହିତ୍ୟକୁ ନେଇ ବଞ୍ଚୁ। ସ୍ଥାନୀୟ ସୌଭାଗ୍ୟ ମଣ୍ତପରେ ଆଜି ଆୟୋଜିତ ଦ୍ବିତୀୟ କେନ୍ଦ୍ରାପଡ଼ା ସାହିତ୍ୟ ଉତ୍ସବକୁ ଉଦ୍‌ଘାଟନ କରି ବିଶିଷ୍ଟ ଅତିଥିମାନେ ଏହା କହିଛନ୍ତି।

Advertisment

କେନ୍ଦ୍ରାପଡ଼ା ଡେଭଲପମେଣ୍ଟ୍‌ ଫାଉଣ୍ତେସନ୍‌ ପକ୍ଷରୁ କେନ୍ଦ୍ରାପଡ଼ା ଇଭେଣ୍ଟ୍‌ ମ୍ୟାନେଜର୍ସ ସହଯୋଗରେ ଆୟୋଜିତ ଏହି ଉତ୍ସବରେ ଉଦ୍‌ଘାଟକ ଭାବେ ପ୍ରଖ୍ୟାତ କଥାକାର ଡକ୍ଟର ରାମଚନ୍ଦ୍ର ବେହେରା, ମୁଖ୍ୟଅତିଥି ଭାବେ ବିଶିଷ୍ଟ କଥାକାର ଡକ୍ଟର ଗୌରହରି ଦାସ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଅନୁବାଦକ ତଥା ଗବେଷକ ଯତୀନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇଥିଲେ।

କେନ୍ଦ୍ରପଡ଼ା ଡେଭଲପମେଣ୍ଟ୍‌ ଫାଉଣ୍ତେସନ୍‌ର ଆବାହକ ଚୌଧୁରୀ ଅମିତାଭ ଦାସଙ୍କ ଅଧୢକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଉଦ୍‌ଘାଟକ ଡକ୍ଟର ବେହେରା କହିଥିଲେ, ପ୍ରତ୍ୟେକ ମଣିଷ ପାଖେ ସୃଜନଶୀଳତା ରହିଛି। ଏହି ସୃଜନଶୀଳତା ସେତିକିବେଳେ ପରିସ୍ଫୁଟିତ ହୋଇଥାଏ, ଯେତେବେଳେ ମଣିଷର ଆବେଗ ଆକାଶଠୁ ବଡ଼ ଏବ˚ ସମୁଦ୍ରଠୁ ଗଭୀର ହୁଏ। ଗୋଟିଏ ମୁହୂର୍ତ୍ତକର ଆବେଗ ଓ ଅନୁଭବ ହିଁ ଉତ୍କୃଷ୍ଟ ସାହିତ୍ୟ ରଚନା ପାଇଁ ଯଥେଷ୍ଟ ବୋଲି ଡକ୍ଟର ବେହେରା କହିଥିଲେ।

ମୁଖ୍ୟଅତିଥି ଡକ୍ଟର ଦାସ କହିଥିଲେ ଯେ, ସାହିତ୍ୟ ଜରିଆରେ ହିଁ ଗୋଟିଏ ଜାତିର ଇତିହାସକୁ ପଢ଼ିବାର, ବୁଝିବାର ଅବକାଶ ସୃଷ୍ଟି ହୋଇଥାଏ। ମାତ୍ର ଆଜି ପଢ଼ିବାର ଆଗ୍ରହ ପିଲାଙ୍କ ମଧୢରୁ କମିକମି ଯାଉଛି। ପଢ଼ିବା ଲୋକର କଳ୍ପନା ଶକ୍ତି ଯେତିକି ସ˚ପ୍ରସାରିତ ହୁଏ, ଦେଖିବା ଲୋକର ସେତିକି ହୋଇ ନଥାଏ। ଏଣୁ ପରିବାର ଭିତରୁ ମରିଯାଉଥିବା ପଢ଼ିବା ଅଭ୍ୟାସକୁ ବଦଳାଇବାକୁ ପଡ଼ିବ ବୋଲି ଡକ୍ଟର ଦାସ କହିବା ସହ ମାତୃଭାଷା ହରାଇ ଗୋଟିଏ ଜାତି କେବେହେଲେ ଉନ୍ନତି କରିପାରିବ ନାହିଁ ବୋଲି ଦୃଢେ଼ାକ୍ତି ବାଢ଼ିଥିଲେ।

ମଣିଷ ଜୀବନ ଗଳ୍ପମୟ ବୋଲି ଉଲ୍ଲେଖ କରି ମୁଖ୍ୟବକ୍ତା ଶ୍ରୀ ନାୟକ କହିଥିଲେ, ଆତ୍ମକେନ୍ଦ୍ରିକରୁ ଦୂରେଇ କଳ୍ପନା ଜଗତରେ ଗୋଟିଏ ଘଟଣାକୁ ଆବେଗତାର ସହିତ ଭିନ୍ନ ଦୃଷ୍ଟିଭ˚ଗୀରେ ଦେଖି ରଚନା କଲେ ଯେଉଁ ଗଳ୍ପ ସୃଷ୍ଟି ହୁଏ, ତାହା ସ୍ମରଣୀୟ ହୋଇଯାଏ।

ଉଦ୍‌ଘାଟନୀ ସଭା ପରେ ‘ସୀମାବଦ୍ଧତାରୁ ମୁକ୍ତି ଓ ଉତ୍ତର ଆଧୁନିକ ଓଡ଼ିଆ କବିତା ଶୀର୍ଷକ ଆଲୋଚନାରେ କବି ବିମଳ ଜେନା, ଶ୍ରୀଦେବ, ନିରାକାର ଦାସ, ସୀତାଂଶୁ ଲେଙ୍କା ଓ ପ୍ରସନ୍ନ ସ୍ବାଇଁ ଅଂଶଗ୍ରହଣ କରିଥିଲେ। ଡକ୍ଟର ଯଚୀନ୍ଦ୍ର ରାଉତ ଆଲୋଚନାଚକ୍ରକୁ ସଂଯୋଜନା କରିଥିଲେ। ଅପରାହ୍ନରେ ଡକ୍ଟର ସନ୍ଦୀପ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ‘ମଲାଟ କିମିଆରେ ବହିର ଦୁନିଆ ଶୀର୍ଷକ ଆଲୋଚନାରେ ଅତୁଲ ବଳ ଓ ରମାକାନ୍ତ ସାମନ୍ତରାୟ ଅଂଶଗ୍ରହଣ କରିଥିଲେ। ଏହା ପରେ ମାତୃଦତ୍ତ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ‘ବିଶ୍ବାୟନର ଛାପ ଓ ଏକବିଂଶ ଶତାବ୍ଦୀର ଓଡ଼ିଆ ଗପ’ ଶୀର୍ଷକ ଆଲୋଚନାରେ କଥାକାର ଜୟନ୍ତୀ ରଥ, ସହଦେବ ସାହୁ, ରବି ପଣ୍ଡା, ଜ୍ଞାନରଞ୍ଜନ ନାୟକ ଓ ସରୋଜ କୁମାର ମହାନ୍ତି ଅଂଶଗ୍ରହଣ କରିଥିଲେ। ଶେଷରେ ହେମନ୍ତ ଜେନା ଓ ଈଶ୍ବର ଚନ୍ଦ୍ର ପୃଷ୍ଟିଙ୍କ ସଂଯୋଜନାରେ ଏକ କବିତା ଆସର ଆୟୋଜନ କରାଯାଇଥିଲା।

କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ କବି, ଗାଳ୍ପିକ ଓ ସାରସ୍ବତ ବ୍ୟକ୍ତି ଯୋଗ ଦେଇଥିଲେ।