ରାଜ୍ୟରେ ପ୍ରଥମ କାଡାଭେରିକ ପ୍ରତିରୋପଣ : ଦ୍ବିତୀୟ କିଡ୍‌ନି ଲାଗିଲା ଆପୋଲୋରେ

ଭୁବନେଶ୍ବର: ରାଜ୍ୟର କିଡ୍‌ନି ପ୍ରତିରୋପଣ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ପ୍ରଥମଥର ଲାଗି ରାଜ୍ୟରେ କାଡାଭେରିକ ପ୍ରତିରୋପଣ ଭୁବନେଶ୍ବରସ୍ଥିତ ଆପୋଲୋ ହସ୍ପିଟାଲ ଓ ଏସ୍‌ସିବି ମେଡିକାଲ କଲେଜରେ ସଫଳ ହୋଇଛି। ଗତକାଲି ମଧ୍ୟରାତ୍ରରେ ଆପୋଲୋ ହସ୍ପିଟାଲରେ ଜଣେ ବ୍ରେନ୍ ଡେଡ୍ ବା ମୃତ ମସ୍ତିସ୍କ ଯୁବତୀଙ୍କ କିଡ୍‌ନିକୁ ଏସ୍‌ସିବିକୁ ନିଆଯିବା ସହ ସେଠାରେ ଜଣେ ପୁରୁଷଙ୍କ ଦେହରେ ଏହାକୁ ସଫଳତାର ସହ ପ୍ରତିରୋପଣ କରାଯାଇଛି। ଏଥିପାଇଁ ଆପୋଲୋ ହସ୍ପିଟାଲ ଓ ଏସ୍‌ସିବି ମେଡିକାଲ କଲେଜର ଡାକ୍ତରୀ ଦଳ ରାତିସାରା କସରତ କରିଥିଲେ। ଏହାସହ ଯୁବତୀଙ୍କ ଆଉ ଏକ କିଡ୍‌ନିକୁ ଆପୋଲୋ ହସ୍ପିଟାଲରେ ୪୫ ବର୍ଷର ଘନଶ୍ୟାମ ଜେନାଙ୍କ ଦେହରେ ପ୍ରତିରୋପଣ କରାଯାଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଆପୋଲୋ ହସ୍ପିଟାଲ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆହ୍ବାନ କରାଯାଇଥିଲା। କାଡାଭେରିକ ଅସ୍ତ୍ରୋପଚାର ପଛରେ ରହିଥିବା ଡାକ୍ତରୀ ଦଳ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ। ଏଥିରେ ୟୁରୋଲୋଜିର ବରିଷ୍ଠ ଡାକ୍ତରୀ ସମୀରନ୍‌ ଦାସଅଧିକାରୀ କହିଲେ ଯେ ୧୯୯୪ ମସିହାରେ ପ୍ରଥମେ ୟୁରୋପରେ ଏହି କାଡାଭେରିକ ପ୍ରତିରୋପଣ କରାଯାଇଥିଲା। ଏବେ ୟୁରୋପରେ ୯୫ପ୍ରତିଶତ କାଡାଭେରିକ ପ୍ରତିରୋପଣ କରାଯାଉଛି। ତେବେ ବ୍ରେନ୍ ଡେଡ୍‌ ହୋଇଥିବା ବ୍ୟକ୍ତିଙ୍କ ଶରୀରରୁ କିଡ୍‌ନି କଢ଼ାଯାଇ ଅନ୍ୟ ଜଣେ ବ୍ୟକ୍ତିଙ୍କ ଦେହରେ ପ୍ରତିରୋପଣ କରାଯିବା କ୍ଷେତ୍ରରେ ଓଡ଼ିଶାରେ ଏହା ପ୍ରଥମ ଘଟଣା। ଏଥିପାଇଁ ବ୍ରେନ୍ ଡେଡ୍‌ ଥିବା ପ୍ରିୟଙ୍କାରାଣୀ୍ଙ୍କ ପରିବାର ପକ୍ଷରୁ ପୂର୍ବରୁ ସମ୍ମତି ଦିଆଯାଇଥିଲା। ସଂଧ୍ୟା ସାଢ଼େ ୫ଟା ସମୟରେ ଏଥିପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଓଡ଼ିଶା ରାଜ୍ୟ ଅଙ୍ଗ ଓ ପ୍ରତିରୋପଣ ସଂଗଠନ ବା ଏସ୍‌ଓଟିଟିଓକୁ ସୂଚନା ଦିଆଯାଇଥିଲା। କିଡ୍‌ନି ପ୍ରତିରୋପଣ ପାଇଁ ପୂର୍ବରୁ ଆବେଦନ କରିଥିବା ବ୍ୟକ୍ତିଙ୍କୁ କିଡ୍‌ନି କମିଟି ପକ୍ଷରୁ ମଧ୍ୟରାତ୍ରରେ ଅନୁମତି ପ୍ରଦାନ କରାଯାଇଥିଲା। କିଡ୍‌ନି କାଢ଼ିବା ଲାଗି ପ୍ରାୟ ସାଢ଼େ ୪ ଘଣ୍ଟା ଲାଗିଥିଲା। ୟୁରୋଲୋଜିର ବରିଷ୍ଠ ଡାକ୍ତର କେ.ପି ଶତପଥୀଙ୍କ ସମେତ ଏସ୍‌ସିବି ମେଡିକାଲ କଲେଜର ପ୍ରଫେସର୍‌ ଡା. ଦତ୍ତେଶ୍ବର ହୋତା ଓ ପ୍ରଫେସର ଡା. ଚିତ୍ତରଂଜନ କର ମଧ୍ୟ ଏହି ସମୟରେ ଉପସ୍ଥିତ ଥିଲେ। ମୃତବ୍ୟକ୍ତିର ରାତିରେ ଶବ ବ୍ୟବଚ୍ଛେଦ ପାଇଁ ନିୟମ ନ ଥିବାରୁ କମିସନରେଟ୍ ପୁଲିସ ପକ୍ଷରୁ ଏଥିପାଇଁ ସ୍ବତନ୍ତ୍ର ଭାବେ ଅନୁମତି ନିଆଯାଇଥିଲା। କ୍ୟାପିଟାଲ ହସ୍ପିଟାଲର ଏଫ୍‌ଏମ୍‌ଟି ଡାକ୍ତର ଲକ୍ଷ୍ମୀ ବେହେରା ଆପୋଲୋ ହସ୍ପିଟାଲକୁ ଆସି ଶବ ବ୍ୟବଚ୍ଛେଦ କରିଥିଲେ। ଯେଉଁ ହସ୍ପିଟାଲରେ ଦୁଇଟି କିଡ୍‌ନିକୁ କଢ଼ା ଯାଇଥାଏ, ସେହି ହସ୍ପିଟାଲରେ କେବଳ ଗୋଟିଏ କିଡ୍‌ନି ପ୍ରତି‌ରୋପଣର ଅନୁମତି ମଳିଥାଏ। ତେଣୁ ଗୋଟିଏ କିଡ୍‌ନି ଏସ୍‌ସିବି ମେଡିକାଲ କଲେଜରେ ପ୍ରତିରୋପଣ କରାଯାଇଥିବା ବେଳେ ଅନ୍ୟଟି ଆପୋଲୋରେ ପ୍ରତିରୋପଣ ହୋଇଛି। ଆପୋଲୋରେ ପ୍ରତିରୋପଣ ହୋଇଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି। ଭୋର୍‌ ସାଢ଼େ ୪ଟାରେ ଏସ୍‌ସବିକୁ କିଡ୍‌ନିକୁ ସ୍ଥାନାନ୍ତର କରିବା ପାଇଁ ପ୍ରସ୍ତୁତି ହୋଇଥିଲା। କିଡ୍‌ନିକୁ ଯଥାଶୀଘ୍ର ଏସ୍‌ସିବିରେ ପହଞ୍ଚାଇବା ଲାଗି କମିସନରେଟ୍ ପୁଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଏହି ପ୍ରତିରୋପଣ ପରେ ଆଗାମୀ ଦିନରେ ଓଡ଼ିଶାରେ ଏଭଳି ପ୍ରତିରୋପଣ ପାଇଁ ବାଟ ଫିଟିବ ବୋଲି ଡା. ଅଧିକାରୀ ଆଶାବ୍ୟକ୍ତ କରିଛନ୍ତି।

ମୃତ ପ୍ରିୟଙ୍କାଙ୍କ ପରିବାର ଲୋକ କହିଛନ୍ତି ଯେ ଏତେ କମ୍ ବୟସରେ ନିଜ ସଂପର୍କୀୟଙ୍କୁ ହରାଇବା ବେଶ୍ ଦୁଃଖଦାୟକ। ଗତ ୨୬ ତାରିଖ ଦିନ ପିକଅପ୍‌ ଭ୍ୟାନ୍ ଧକ୍କାରେ ପ୍ରିୟଙ୍କା ଓ ତାଙ୍କ ୫ବର୍ଷର ଝିଅ ଗୁରୁତର ଆହତ ହୋଇଥିଲେ। ତେବେ ବ୍ରହ୍ମପୁରରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ହଠାତ୍ ପ୍ରିୟଙ୍କାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ହୋଇଥିଲା। ପରେ ତାଙ୍କୁ ଆପୋଲୋ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଏଠାରେ ଚିକିତ୍ସା ପରେ ଡାକ୍ତର ବ୍ରେନ୍ ଡେଡ୍ ଘୋଷଣା କରିବା ପରେ ପରିବାର ଲୋକଙ୍କ ଭିତରେ ଆଲୋଚନା କରାଯାଇ କିଡ୍‌ନି ପ୍ରତିରୋପଣ ପାଇଁ ହସ୍ପିଟାଲ କର୍ତୃପକ୍ଷଙ୍କୁ ସମ୍ମତି ଦିଆଯାଇଥିଲା। ନିଜର ପରିବାରଲୋକଙ୍କୁ ହରାଇଛୁ ସତ, ହେଲେ ଅନ୍ୟ ଜଣେ ପ୍ରିୟଙ୍କାଙ୍କ କିଡ୍‌ନି ଜରିଆରେ ଜୀବନ ବଞ୍ଚିପାରିବେ। ଏପରିକି ମୃତକଙ୍କ ଶ୍ବଶୂର ମଧ୍ୟ ମୃତ୍ୟୁ ପରେ ନିଜ ଶରୀର ଦାନ ପାଇଁ ଇଚ୍ଛାପତ୍ର ଘୋଷଣା କରିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଆପୋଲୋ ହସ୍ପିଟାଲର କେନ୍ଦ୍ରୀୟ ସିଇଓ ସୁଧୀର ଏମ୍‌.ଦିଗ୍ଗିକର, ଆଇସିୟୁ ଟିମ୍ ସଦସ୍ୟ ଶର୍ମିଲି ସିହ୍ନା, ନ୍ୟୁରୋସର୍ଜରି ପରାମର୍ଶଦାତା ଡା.ଅମିତ ଚାନ୍ଦୁକା, ଆଶିଷ ଚନ୍ଦ୍ରା, ଡା. ନିଶିତ ମହାନ୍ତି ଓ ମୃତକଙ୍କ ପରିବାରଲୋକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର